ବିବାହ ବିଚ୍ଛେଦ ଓ ଶିଶୁଙ୍କ ଅଭିରକ୍ଷା ଆଇନ
ଗୋଧନେଶ୍ବର ହୋତା
ବିବାହ ଏପରି ଏକ ସାମାଜିକ ପ୍ରଥା ଓ ଅନୁଷ୍ଠାନ ଯାହା କାହିଁ କେଉଁ କାଳରୁ ମଣିଷ ସମାଜରେ ପ୍ରଚଳିତ ହୋଇଆସୁଛି। ଏହା କେବେ ଓ କେଉଁ ପରିସ୍ଥିତିରେ ସୃଷ୍ଟି ହୋଇଥିଲା ଏହା ଜାଣିବା ଇତିହାସର ବିଷୟବସ୍ତୁ ହୋଇପାରେ, କିନ୍ତୁ ଏହା ସତ୍ୟ ଯେ ଈଶ୍ବରଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ଜାଣିଛି ଯେ ପରିବାର ହିଁ ସମାଜର ଭିତ୍ତିଭୂମି ଏବଂ ପରିବାରର ସୃଷ୍ଟି ଏକ ସଫଳ ବିବାହରୁ। ତେଣୁ ଭାରତୀୟ ସମାଜ ବିବାହକୁ ମଣିଷ ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଅନୁଷ୍ଠାନ ରୂପେ ବିବେଚନା କରି ଆସିଛି। ଜଣେ ପୁରୁଷ ଓ ଜଣେ ନାରୀ ବିବାହ ବନ୍ଧନରେ ବନ୍ଧା ହୋଇ ସ୍ବାମୀ ଓ ସ୍ତ୍ରୀ ଭାବେ ସୁଖଦୁଃଖରେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରି ଏକ ସୁନ୍ଦର ପରିବାରର ପ୍ରତିଷ୍ଠା କରିଥିବା ଉଦାହରଣର ଅଭାବ ନାହିଁ।
ସାମ୍ପ୍ରତିକ ସମାଜରେ ପ୍ରାୟତଃ ବିବାହ ଆଉ ଜନ୍ମଜନ୍ମାନ୍ତରର ସମ୍ପର୍କ ହୋଇ ରହିନାହିଁ। କେତେ ମିଳିବ ଓ କେତେ ଯିବ ତାହାର ଏକ ହିସାବୀ ବିପଣନର ଏକ ଚୁକ୍ତି ହୋଇଯାଇଛି ମାତ୍ର। ସହନଶୀଳତାର ଉତ୍କଟ ଅଭାବ। ପଶୁବତ୍ ଯୌନ ଜୀବନ ଓ ସନ୍ତାନମାନଙ୍କ ସବୁ ଅଳିକୁ ତୁରନ୍ତ ପୂରଣ କରିଦେଲେ ପିତାମାତା ସନ୍ତୁଷ୍ଟ ଯେ ସେମାନେ ଉତ୍ତମ ପିତାମାତା। ଏ ପ୍ରକାରର ଦାମ୍ପତ୍ୟ ଜୀବନରେ ନା ଅଛି ଆବେଗ ନା ପରସ୍ପର ସୁଖଦୁଃଖରେ ସହଭାଗୀ ହେବାର ମନୋଭାବ। କଥାକଥାକେ ପ୍ରେମ, ଯୌନଜୀବନ, ବିବାହ ଓ ଛାଡ଼ପତ୍ର। ବେଳେବେଳେ ଦେଖାଯାଏ ଯେ ନିଜନିଜ ବିବାହିତ ସନ୍ତାନମାନଙ୍କୁ ରିମୋଟ କେଣ୍ଟ୍ରାଲ କରିବା ଓ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଅବିବେକୀ ହସ୍ତକ୍ଷେପ ଯୋଗୁଁ ମଧ୍ୟ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୁଏ ଓ ବିବାହ ବିଚ୍ଛେଦ ହୁଏ।
ଆମ ଦେଶର ଆଇନ ଓ ସମାଜ ଛାଡ଼ପତ୍ରକୁ ସର୍ବଦା ନିରୁତ୍ସାହିତ କରିଆସିଛି। କୌଣସି ପ୍ରକାରେ ଘରଟିଏ ଯେପରି ନଭାଙ୍ଗୁ ସେଥିପାଇଁ ଛାଡ଼ପତ୍ର ଆବେଦନକୁ ଜଟିଳ ଓ ସମୟସାପେକ୍ଷ ପ୍ରକ୍ରିୟା ଦେଇ ଗତିକରିବା ପରେ ବିଚାର କରାଯାଏ। ଏହା ସମୟସାପେକ୍ଷ କରବାର ଏକମାତ୍ର ଉଦ୍ଦେଶ୍ୟ ହେଲା କାଳେ ସମୟ ବଦଳିବ ଓ ପତିପତ୍ନୀ ସେମାନଙ୍କ ନିଜନିଜ ଭୁଲ ବୁଝିପାରି ପରସ୍ପରଠାରୁ ଦୂରେଇ ଯିବାପାଇଁ ଜିଦ୍ରୁ ଓହରିବେ ଓ ଘରଟିଏ ବସିଯିବ। ଏତେ ସହଜରେ ଓ ଶୀଘ୍ର ଛାଡ଼ପତ୍ର ମାମଲାଗୁଡ଼ିକର ବିଚାର ଫଇସଲା ନକରି କାଳକ୍ଷେପଣ ନୀତି ଆପଣେଇବା ପାଇଁ ସର୍ବଦା ନ୍ୟାୟାଳୟଗୁଡ଼ିକ ପ୍ରଚେଷ୍ଟା କରିଥାନ୍ତି। ତେବେ ଏସବୁ ସତ୍ତ୍ବେ ବିପଜ୍ଜନକ ଭାବେ ଆମ ଦେଶରେ ବିବାହ ବିଚ୍ଛେଦ ହେଉଛି। ଭୁଲ ଯାହାର ବି ହେଉନା କାହିଁକି, ତା’ର କୁଫଳ ଭୋଗୁଛନ୍ତି ନିରୀହ ଶିଶୁମାନେ।
ପ୍ରାଚୀନ ହିନ୍ଦୁ ଆଇନରେ ନାବାଳକ ଓ ସେମାନଙ୍କ ଅଭିଭାବକଙ୍କ ବିଷୟରେ ସେପରି କୌଣସି ଉନ୍ନତମାନର ବିଧି ବ୍ୟବସ୍ଥା ନଥିଲା। ସେ ସମୟରେ ସାଧାରଣତଃ ନାବାଳକଟି ଏକାନ୍ନବର୍ତ୍ତୀ ପରିବାରରେ ରହୁଥିଲା ଓ ସର୍ବଦା କର୍ତ୍ତାଙ୍କ ପ୍ରତ୍ୟକ୍ଷ ସୁରକ୍ଷାରେ ହିଁ ବଢ଼ୁଥଲା। ନାବାଳକଟିର ରକ୍ଷଣାବେକ୍ଷଣ କରିବା କର୍ତ୍ତାଙ୍କ ଆଇନଗତ ଦାୟିତ୍ବ ଥିଲା। ଯେତେବେଳେ ନାବାଳକଟି ଶିକ୍ଷା ସଂସ୍କାର ପାଇଁ ଗୁରୁକୁଳ ବା ଆଶ୍ରମକୁ ଯାଉଥିଲା ସେତେବେଳେ ଗୁରୁହିଁ ତାଙ୍କ ସୁରକ୍ଷା ଦାୟିତ୍ବରେ ରହୁଥିଲେ ଓ ସେହି କାରଣରୁ ପୁରାତନ ଆଇନରେ ଆଇନ ପ୍ରଣେତାମାନେ ନାବାଳକର ଅଭିରକ୍ଷା ପାଇଁ ସେମିତି କୌଣସି ବିକଳ୍ପ ଆଇନଗତ ବ୍ୟବସ୍ଥା ଚିନ୍ତା କରିନଥିଲେ। ଏସବୁ ସତ୍ତ୍ବେ ରାଜା ସର୍ବୋପରି ନାବାଳକଙ୍କ ରକ୍ଷାକର୍ତ୍ତା ଓ ସୁରକ୍ଷାଦାତା ଥିଲେ ଯାହାକି ଆଇନରେ ସେହି ବ୍ୟବସ୍ଥା କେବଳ ଏହି ପରିବର୍ତ୍ତନରେ ବଜାୟ ରହିଛି ଯେ ରାଜାଙ୍କ ସ୍ଥାନ ଏବେ ସରକାର ନେଇଛନ୍ତି।
ସାଧାରଣତଃ ଶିଶୁଟିଏ ଅନାଥ ହୋଇଥାଏ ଦୁଇଟି କାରଣରୁ। ପ୍ରଥମତଃ ପିତାମାତାଙ୍କ କୃତକର୍ମ ଓ ଦ୍ବିତୀୟଟି ଦୈବୀକୃତ। ପିତାମାତାଙ୍କ ମିଥ୍ୟା ଅହମିକା ଯୋଗୁଁ ଶିଶୁଟିର ଯତ୍ନ ଓ ବିକାଶ ଯେପରି କୌଣସି ପ୍ରକାରେ ପ୍ରଭାବିତ ନହୁଏ ସେଥିସକାଶେ କେନ୍ଦ୍ର ସରକାର ହିନ୍ଦୁ ନାବାଳକତ୍ବ ଓ ଅଭିଭାବକତ୍ବ ଆଇନ ୧୯୫୬ ଓ ଅଭିଭାବକ ଓ ପ୍ରତିପାଲ୍ୟ ଆଇନ ୧୮୯୦ ପ୍ରଣୟନ କରିଛନ୍ତି। ହିନ୍ଦୁ ନାବାଳକତ୍ବ ଓ ଅଭିଭାବକତ୍ବ ଆଇନ ପ୍ରାୟ ୬୩ ବର୍ଷ ପୂର୍ବେ ପ୍ରଣୟନ କରାଯାଇଥିଲା। ଯେତେବେଳେ ମହିଳାମାନଙ୍କ ଅର୍ଥନୈତିକ ସ୍ବାଧୀନତା ପ୍ରାୟତଃ ନଥିଲା ଓ ପିଲାଟିଏ ବଢ଼ିବା ପାଇଁ ପିତାଙ୍କ ଉପାର୍ଜିତ ଅର୍ଥର ହିଁ ଆବଶ୍ୟକତା ରହୁଥିଲା। ତେବେ ସେ ସ୍ଥିତି ଆଜି ଆଉ ନାହିଁ। ମହିଳାମାନେ ଆଜିକାଲି ରୋଜଗାରକ୍ଷମ ହୋଇ ସ୍ବାବଲମ୍ବୀ ହେଲେଣି ଓ ନାବାଳକମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଆଦିର ସୁବିଧା ଯୋଗାଇଦେବାକୁ ସକ୍ଷମ।
ଉକ୍ତ ଆଇନରେ ଜଣେ ନାବାଳକର ‘ଅଭିଭାବକ’ ଅର୍ଥ ସେହି ବ୍ୟକ୍ତି ଯିଏ କି ନାବାଳକଟିର ଶରୀର, ମନ, ବିକାଶ, ସମ୍ପତ୍ତି ଆଦିର ଦାୟିତ୍ବ ବହନ କରୁଥିବେ ଓ ଅଭିଭାବକ ଅର୍ଥରେ ଆଉ ଯେଉଁମାନେ ସାମିଲ ହେବେ ସେମାନେ ହେଲେ ଜନ୍ମିତ ପିତାମାତା, ନାବାଳକଙ୍କ ପିତା ବା ମାତାଙ୍କ ଦ୍ବାରା ଏକ ଉଇଲ କ୍ରମେ ନିଯୁକ୍ତ ଜଣେ ଅଭିଭାବକ, ନ୍ୟାୟାଳୟ ଦ୍ବାରା ନିଯୁକ୍ତ ଜଣେ ଅଭିଭାବକ ଓ ପ୍ରତିପାଲ୍ୟ ଅଧିକରଣ ସମ୍ବନ୍ଧୀୟ ପ୍ରଣୀତ କୌଣସି ଆଇନ ଦ୍ବାରା ବା ଅନୁଯାୟୀ ଅଭିଭାବକ ଦାୟିତ୍ବ ବହନ କରିବାକୁ କ୍ଷମତାପ୍ରାପ୍ତ ଜଣେ ବ୍ୟକ୍ତି।
ସାଧାରଣତଃ ଅଧିକାଂଶ କ୍ଷେତ୍ରରେ ନାବାଳକଙ୍କ ହିତ ଦାୟିତ୍ବରେ ପିତାମାତା ଉଭୟେ ରହନ୍ତି ଓ ସେମାନେ ହିଁ ପ୍ରାକୃତିକ ଅଭିଭାବକ। ତେବେ କୌଣସି କାରଣରୁ ଯଦି ପିତାମାତାଙ୍କ ବିବାହ ବିଚ୍ଛେଦ ହୁଏ ବା ଉଭୟ ପରସ୍ପରଠାରୁ ଅଲଗାଅଲଗା ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ଔରସରୁ ଜାତ ନାବାଳକଙ୍କ ଦାୟିତ୍ବ କିଏ ନେବ ତାହା ଅତି ଗୁରୁତ୍ବପୂର୍ଣ୍ଣ। କାରଣ ବାତ୍ସଲ୍ୟ ମମତାର କୌଣସି ପଟାନ୍ତର ନାହିଁ। ଉଭୟ ଚାହିଁେବ ନାବାଳକଟିର ଦାୟିତ୍ବ ନେବାପାଇଁ। ଏହି ପରିସ୍ଥିତିରେ ନାବାଳକଟି କାହା ପାଖରେ ରହିବ ସେନେଇ ଆଇନରେ କ’ଣ ବ୍ୟବସ୍ଥା ରହିଛି ତାହା ଅନୁଧ୍ୟାନ କଲେ ଯାହା ଜଣାପଡ଼ୁଛି ତଦନୁସାରେ ନାବାଳକମାନଙ୍କ ଜିମା ବା ଅଭିରକ୍ଷାର ଆଇନଗତ ଅଧିକାର କାହାରି ନାହିଁ। ଏପରିକି ଜନ୍ମିତ ପିତାମାତାଙ୍କର ମଧ୍ୟ ନାହିଁ। ଏହି ବ୍ୟବସ୍ଥା ଅଦ୍ଭୁତ ହେଲେ ମଧ୍ୟ ଏହାହିଁ ଆଇନର ବ୍ୟବସ୍ଥା। ଆଇନତଃ ନ୍ୟାୟାଳୟଙ୍କ ମତରେ ଯାହାର ଅଭିରକ୍ଷାରେ ନାବାଳକଟିର ସର୍ବବିଧି କଲ୍ୟାଣ ସାଧିତ ହୋଇପାରିବ ସେ ହିଁ ନାବାଳକର ଅଭିରକ୍ଷା ଦାୟିତ୍ବରେ ରହିବ।
ତେବେ ସାଧାରଣତଃ ଆଇନରେ ଯେଉଁ ବ୍ୟବସ୍ଥା ରହିଛି ତଦନୁସାରେ ନାବାଳକର ଦାୟିତ୍ବ ପ୍ରଥମେ ଶାରୀରିକ ଓ ମାନସିକ ଭାବେ ଯଦି ପିତା ସୁସ୍ଥ ଅଛନ୍ତି ତେବେ ତାଙ୍କୁହିଁ ଅଗ୍ରାଧିକାର ଦିଆଯିବ। ନାବାଳକଟିର ବୟସ ପାଞ୍ଚବର୍ଷ ନ ପୂରିବା ଯାଏଁ ମା’ କୋଳରୁ ସନ୍ତାନଟି ଛଡ଼ାଇ ନିଆଯାଇ ପିତା ବା ଅନ୍ୟ କାହାରି ଜିମା ଓ ଅଭିରକ୍ଷାରେ ଦିଆଯିବ ନାହିଁ। ଅର୍ଥାତ୍ ପାଞ୍ଚବର୍ଷ ପୂରିବା ଯାଏଁ ନାବାଳକଟି ମାଆର ଲାଳନପାଳନରେ ହିଁ ରହିବ। ପାଞ୍ଚବର୍ଷ ପୂରିବା ପରେ ନାବାଳକଟି କାହା ଅଭିରକ୍ଷାରେ ରହିବ ତାହା ନ୍ୟାୟାଳୟ ହିଁ ନିର୍ଣ୍ଣୟ କରିବେ। ନାବାଳକଟି କାହା ପାଖରେ ରହିଲେ ତାହାର ରକ୍ଷଣାବେକ୍ଷଣ, ଶିକ୍ଷା, ସଂସ୍କାର, ଶାରୀରିକ, ମାନସିକ, ବୌଦ୍ଧିକ, ନୈତିକ, ଆଚରଣଗତ ଓ ଚାରିତ୍ରିକ ବିକାଶ ହୋଇପାରିବ ସେଥିପ୍ରତି ସର୍ବପ୍ରଧାନ ଗୁରୁତ୍ବ ନ୍ୟାୟାଳୟ ବିଚାର କରିବେ। ନାବାଳକର ଅଭିରକ୍ଷା ନିମନ୍ତେ ପିତାମାତାଙ୍କ ମଧ୍ୟରୁ କାହାର ଅଧିକ ଅଧିକାର ରହିଛି ସେଥିପ୍ରତି ଏତେଟା ଗୁରୁତ୍ବ ନଦେଇ ନ୍ୟାୟାଳୟ ଦେଖିବେ ଯେ ଯେଉଁଠାରେ ନାବାଳକଟିର ବଢ଼ିବାରେ ସବୁ ପ୍ରକାରର ଅନୁକୂଳ ଓ ସମୁଚିତ ବାତାବରଣ ରହିଛି ଓ ନାବାଳକଟିର ଭବିଷ୍ୟତ ଉଜ୍ବଳ ହେବ ସେହିଠାରେ ହିଁ ନାବାଳକ ରହିବେ ବୋଲି ନିଷ୍ପତ୍ତି ଦେବେ।
ସାଂପ୍ରତିକ ହିନ୍ଦୁ ନାବାଳକତ୍ବ ଓ ଅଭିଭାବକତ୍ବ ଆଇନରେ ନାବାଳକର ଦାୟିତ୍ବ ନେବାରେ ପିତାଙ୍କୁ ଅଗ୍ରାଧିକାର ଦେବା ଫଳରେ ମାତା ବା ମହିଳାଙ୍କ ସନ୍ତାନ ଉପରେ ଅଧିକାରକୁ ନ୍ୟୂନ କରିବା ସଙ୍ଗେସଙ୍ଗେ ପିତୃକୈନ୍ଦ୍ରିକ ସମାଜକୁ ଦର୍ଶାଉଛି ଓ ଏହାର ଦୁଃଖଦାୟକ ପରିଣାମ ସମାଜକୁ ବେଳେବେଳେ ଭୋଗିବାକୁ ପଡ଼ୁଛି। ସମାଜରେ ଲିଙ୍ଗ ଭେଦଭାବକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ସମାଜରେ ସ୍ବୀକୃତି ପାଇବାକୁ ହେଲେ ମହିଳାମାନଙ୍କୁ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିବାରୁ ସେମାନେ ନୈତିକ ଓ ମାନସିକ ସ୍ତରରେ ଆଶ୍ରୟ ପାଇଁ ପୁରୁଷଟିଏ ଉପରେ ବେଳେବେଳେ ନିଜର ସକଳ ଅନିଚ୍ଛା ସତ୍ତ୍ବେ ସନ୍ତାନର ମମତା ଯୋଗୁଁ ମୁଣ୍ଡନୁଆଁଇ ରହିବାକୁ ବାଧ୍ୟ ହେଉଛନ୍ତି।
ପାଞ୍ଚବର୍ଷପରେ ସନ୍ତାନର ପ୍ରଥମ ଅଧିକାର ପିତାଙ୍କୁ ଦିଆଯିବା ଯୋଗୁଁ ସାମାଜିକ ମଞ୍ଚରେ ମାତା ତା’ର ଦୃଷ୍ଟିଭଙ୍ଗୀ ପରିପ୍ରକାଶ କରିବାର ଭୂମିକାକୁ ନ୍ୟୂନ କରିବାସହିତ ମା’ ଯେ ନାବାଳକଟିର ସର୍ବାଙ୍ଗୀଣ ବିକାଶ କରିବାକୁ ଅସମର୍ଥ, ତାହା ପ୍ରତିପାଦିତ କରୁଛି। ଏହା ମଧ୍ୟ ସନ୍ତାନର ଯତ୍ନ ନେବାରେ ମହିଳାମାନଙ୍କ ଈଶ୍ବରଦତ୍ତ କ୍ଷମତା ଓ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଉଠାଉଛି। ଆମଦେଶରେ ସଂପ୍ରତି ଯେତେବେଳେ ଲିଙ୍ଗ ଅନୁପାତ, ଅର୍ଥାତ୍ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଭୟଙ୍କର ଭାବେ କମିଗଲାଣି, ଏ ପରିସ୍ଥିତିରେ ନାବାଳକର ଦାୟିତ୍ବ ବିଷୟରେ ସଂାପ୍ରତିକ ବିଧିବ୍ୟବସ୍ଥାରେ ମହିଳାଙ୍କ ଅଧିକାରର ପୁନର୍ବିଚାର ସମାଜବିଜ୍ଞାନୀ, ବୁଦ୍ଧିଜୀବୀ ଓ ଆଇନ୍ ପ୍ରଣେତାମାନେ କରିବା ଆବଶ୍ୟକ। ସମ୍ବିଧାନ ମହିଳାମାନଙ୍କୁ ସମାଜରେ ସମାନତା, ସ୍ବାଧୀନତା ଓ ମର୍ଯ୍ୟାଦା ପ୍ରଦାନ ପାଇଁ ନିଶ୍ଚିତତା ପ୍ରଦାନ କରିଛନ୍ତି ଓ ତାହାକୁ କାର୍ଯ୍ୟକାରୀ କରିବାପାଇଁ ଯେତିକି ଦାୟିତ୍ବ ଆଇନର ରହିଛି ସେତିକି ଦାୟିତ୍ବ ସମାଜର ମଧ୍ୟ ରହିଛି। ତେବେ ଏ କ୍ଷେତ୍ରରେ ଅବିବାହିତାବସ୍ଥାରେ ମାତୃତ୍ବ ଲାଭ କରିଥିବା ମହିଳାମାନଙ୍କ ସକାଶେ ଉଚ୍ଚତମ ନ୍ୟାୟାଳୟ ନିକଟ ଅତୀତରେ ଦେଇଥିବା ରାୟମତେ ଉକ୍ତ ମହିଳାମାନେ ତାଙ୍କ ସନ୍ତାନର ସମ୍ପୂର୍ଣ୍ଣ ଅଭିଭାବକତ୍ବ ଅଧିକାର ପାଇବା ସଙ୍ଗେସଙ୍ଗେ ସନ୍ତାନର ପିତା କିଏ ତାହା ପ୍ରଘଟ ନକରିବାର ସୁରକ୍ଷା ପ୍ରଦାନ କରିଛନ୍ତି ଓ ଉକ୍ତ ସନ୍ତାନଙ୍କ ଶିକ୍ଷା ଓ ନିଯୁକ୍ତି ବାବଦରେ ପିତାଙ୍କ ନାମ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଏହି ରାୟ ମହିଳାମାନଙ୍କୁ ସନ୍ତାନର ଅଭିଭାବକତ୍ବର ପ୍ରଥମ ପସନ୍ଦ ପାଇଁ ଆଇନରେ ସଂଶୋଧନ ସକାଶେ ଏକ ଅନୁକୂଳ ପଦକ୍ଷେପ ବୋଲି ବିଚାର କରାଯାଇପାରେ।