ଆମୀର-ଆଲିଆ : ଆଉ ଏକ ‘ବୀର୍‍-ଜାରା’

0

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ପରେ ଜେଲ୍‍ରୁ ମୁକୁଳୁ ଥିବା ପ୍ରେମିକଙ୍କୁ ଅପେକ୍ଷା କରିଥିଲେ ଆଲିଆ। ମହମ୍ମଦ ଆମୀର ଖାଁଙ୍କ ସହିତ ତାଙ୍କର ପ୍ରେମ ପୂର୍ବ ପରି ଅତୁଟ ରହିଥିଲା। ଦିନେ ନୁହେଁ କି ମାସେ। ଏହି ପ୍ରତୀକ୍ଷା ଥିଲା ଦୀର୍ଘ ୧୪ ବର୍ଷ। ଜେଲରୁ ମୁକୁଳିବା ପରେ ପ୍ରେମକୁ ଚୂଡ଼ାନ୍ତ ରୂପ ଦେଇ ପରସ୍ପରଙ୍କୁ ବିବାହ କରିଥିଲେ। ଏବେ ଆମୀର ଓ ଆଲିଆଙ୍କର ୪ବର୍ଷର ଝିଅଟିଏ।
ବଲିଉଡ୍‍ ଚଳଚ୍ଚିତ୍ର ‘ବୀର-ଜାରା’ ଭଳି ସେମାନଙ୍କ ଜୀବନର କାହାଣୀ ଥିଲା ଗତିଶୀଳ। ଦୀର୍ଘ ବର୍ଷ ପରେ ଆମୀର ଏବେ ଚର୍ଚ୍ଚାକୁ ଆସିଛନ୍ତି। କାରଣ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦେଶକ୍ରମେ ତାଙ୍କୁ ନିକଟରେ ୫ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି। ଅକାରଣରେ ପ୍ରାୟ ୧୪ବର୍ଷ ଜେଲ୍‍ରେ ବନ୍ଦୀ କରି ରଖିବା ପାଇଁ ତାଙ୍କୁ ମିଳିଛି ଏ କ୍ଷତିପୂରଣ। ଦିଲ୍ଲୀର ଏକ ଗଳିରୁ ଫେବୃଆରୀ ୧୯୯୮ରେ ଟ୍ୟୁସନ୍‍ରୁ ଉଭୟ ଆମୀର ଓ ଆଲିଆ ଫେରୁଥିଲେ। ଏହି ସମୟରେ ପୁଲିସ ଆମୀରଙ୍କୁ ଧରି ନେଇଥିଲା। ସେତେବେଳେ ଆମୀରଙ୍କ ବୟସ ଥିଲା ମାତ୍ର ୧୮ ବର୍ଷ। ତାଙ୍କ ନାମରେ ୧୯୯୬ରୁ ୧୯୯୭ ମଧ୍ୟରେ ୨୦ରୁ ଅଧିକ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବାର ଆରୋପ ଲଗାଇଥିଲା ଓ କୁଖ୍ୟାତ ଆତଙ୍କବାଦୀ ଭାବେ ଚିତ୍ରିତ କରିଥିଲା। ଏହି ଅଭିଯୋଗକ୍ରମେ ଆମୀରଙ୍କୁ ଦୀର୍ଘ ୧୪ବର୍ଷ ଜେଲ୍‍ରେ କଟାଇବାକୁ ପଡ଼ିଥିଲା।
ଜୀବନ ଓ ପ୍ରେମର ଆରମ୍ଭ ସମୟରେ ଏସବୁ ତାଙ୍କୁ ଯେମିତି ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲା। ଯନ୍ତ୍ରଣା ଜର୍ଜରିତ ଆମୀରଙ୍କୁ ବଞ୍ଚିବାର ରାହା ଦେଇଥିଲା କେବଳ ତାଙ୍କର ପ୍ରେମ। ଏଭଳି ଦୁର୍ଦିନରେ ବି ତାଙ୍କୁ ଛାଡ଼ି ନଯାଇ ଅପେକ୍ଷା କରିଥିଲେ ଆଲିଆ। ୨୦୧୨ରେ ସେ ନିର୍ଦୋଶରେ ଜେଲ୍‍ରୁ ମୁକୁଳିଥିଲେ। ସେତେବେଳକୁ ତାଙ୍କୁ ହୋଇଥିଲା ୩୨ବର୍ଷ। ଜେଲ୍‍ରେ କଟିଥିଲା ତାଙ୍କର ଯୌବନ, ଧ୍ୱଂସ ପାଇଯାଇଥିଲା ତାଙ୍କ ବଡ଼
ହେବାର ସ୍ୱପ୍ନ। ଏଥିମଧ୍ୟରେତାଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା; ମାଆ ପକ୍ଷାଘାତରେ ଶଢ଼ୁଥିଲେ। ଅକାରଣରେ ଜେଲ୍‍ ଦଣ୍ଡ ଭୋଗିବା କାରଣରୁ ୨୦୧୫ରେ ଜାତୀୟ ମାନବାଧିକାର ଆୟୋଗ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ। ଏଭଳି ଏକ ରାୟ ଥିଲା ଐତିହାସିକ। ଏହି ଟଙ୍କାରେ ସେ ଋଣ ପରିଷୋଧ କରିଥିଲେ। ବର୍ତ୍ତମାନ ଆମୀର ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରୁଛନ୍ତି। ଶାନ୍ତି, ସଂହତି ଓ ଧର୍ମ ନିରପେକ୍ଷତାର ପ୍ରଚାର କରୁଛନ୍ତି। ସମାଜ ତାଙ୍କୁ କିପରି ଗ୍ରହଣ କରିବ ସେ ଚିନ୍ତାରେ ଥିବା ଆମୀର ଏବେ ସ୍ୱାଭାବିକ ଜୀବନ ବିତାଉଛନ୍ତି। ତାଙ୍କ ଭଳି ଆଉ କାହରି ଜୀବନ ଏମିତି ମିଛ ଅରୋପରେ ଧୂଳିସାତ୍‍ ହୋଇ ନଯାଉ ସେଥିପାଇଁ ସେ ପ୍ରୟାସ କରୁଛନ୍ତି।

Leave A Reply