www.samajalive.in
Sunday, December 7, 2025
14.1 C
Bhubaneswar

ଗର୍ଭବତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍‍ର ପ୍ରୟାସ

କଳିଙ୍ଗନଗର:  ବିଶ୍ୱ ଧିରେଧିରେ କରୋନା ଭାଇରସ୍‍ ସହିତ ପରିଚିତ ହେଉଥିବାବେଳେ ଏହାକୁ ନେଇ ଏବେ ଅନେକ ଅନିଶ୍ଚିତତା ରହିଛି। ଏହା ଗର୍ଭବତୀ ମାଆ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‍ (ଟିଏସ୍‍ଏଫ୍‍) ପକ୍ଷରୁ କଳିଙ୍ଗନଗର ପାର୍ଶ୍ବବର୍ତ୍ତୀ ଗ୍ରାମର ଗର୍ଭବତୀ ମାଆ ମାନଙ୍କ ସହାୟତା ପାଇଁ ପଦକ୍ଷେପ ନିଆଯାଇଛି।

ଲକ୍‍ଡାଉନ୍‍ ସମୟରେ ସୁକିନ୍ଦା ଓ ଦାନଗଦୀ ବ୍ଲକ୍‍ରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଗର୍ଭବତୀ ମାଆ ମାନଙ୍କ ବିଭିନ୍ନ ସମସ୍ୟାର ଚିହ୍ନଟ ଓ ସମାଧାନ ପାଇଁ ଟିଏସ୍‍ଏଫ୍‍ର ସ୍ଥାନୀୟ ଶାଖା ପକ୍ଷରୁ ଏକ କାର୍ଯ୍ୟନୀତି ପ୍ରସ୍ତୁତ କରାଯାଇଛି। ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା)ଙ୍କ ସହାୟତାରେ ଏହି ଅଞ୍ଚଳର ଗର୍ଭବତୀ ମା ମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଟିମ୍‍ ସହିତ ଲଗାତର ନିରୀକ୍ଷଣ ମାଧ୍ୟମରେ ପ୍ରସବ ପୂର୍ବ ଓ ପରବର୍ତ୍ତୀ ସମସ୍ୟାର କିପରି ସମାଧାନ କରାଯାଇପାରିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

- Advertisement -

ଶାଳିଜଙ୍ଗା ଗ୍ରାମ ପଞ୍ଚାୟତର ଜଣେ ଗର୍ଭବତୀ ମାଆ ବବିତା ମହନ୍ତଙ୍କ କହିବା ଅନୁଯାୟୀ, ସେ ଯନ୍ତ୍ରଣା ଅନୁଭବ କରୁଥିଲେ ଓ ଏହା ବଢିବାରେ ଲାଗିଥିଲା। ତେବେ ସେ ତୁରନ୍ତ ଜଣେ ଡାକ୍ତରଙ୍କ ପରାମର୍ଶ ଲୋଡ଼ିବା ସହିତ ସ୍ଥାନୀୟ ଆଶା ଦିଦିଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ସେ ଟାଟା ଷ୍ଟିଲ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର) ଟିମ୍‍ ସହ ମିଶି ତାଙ୍କ ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ।

ଆଶଙ୍କା ଓ ଭୟ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା ଓ ସୂଚନାର ପ୍ରସାର ବ୍ୟତୀତସ୍ୱାସ୍ଥ୍ୟ କର୍ମୀ ଓ ଗର୍ଭବତୀ ମା ମାନଙ୍କ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବା ଦିଗରେ ଉଦ୍ୟମ କରାଯାଉଛି। ଏହା ସକରାତ୍ମକ ଫଳାଫଳ ମିଳିବା ସମ୍ଭାବନାକୁ ବୃଦ୍ଧି କରିବାରେ ସହଯୋଗ କରୁଛି। ଟିଏସ୍‍ଏଫ୍‍ର ସ୍ୱାସ୍ଥ୍ୟ ଟିମ୍‍ ପକ୍ଷରୁ ଆଶା କର୍ମୀ ଓ ଗର୍ଭବତୀ ମାଆ ମାନଙ୍କ ସହିତ ପ୍ରତିଦିନ ଆଲୋଚନା ଜାରି ରହିଛି। ସମ୍ଭାବ୍ୟ ପ୍ରସବ ତାରିଖର ଗୋଟିଏ ସପ୍ତାହ ପୂର୍ବରୁ ପ୍ରସବ ପାଇଁ ଗର୍ଭବତୀ ମାଆ ମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି।

ଟିଏସ୍‍ଏଫ୍‍ ସ୍ୱାସ୍ଥ୍ୟ ଟିମ୍‍ ସହିତ କାର୍ଯ୍ୟରତ ଶାଳିଜଙ୍ଗା ଗ୍ରାମ ପଞ୍ଚାୟତର ୨୯ ବର୍ଷୀୟ ଆଶାକର୍ମୀ ଜୟମଣି ହାଂସଦାଙ୍କ କହିବା ଅନୁସାରେ ପ୍ରାରମ୍ଭରେ ଅଧିକାଂଶ ଲୋକ ଏହି ପରିସ୍ଥିତିର ମୁକାବିଲା କରିବାକୁ ନେଇ ଆଶଙ୍କାରେ ଥିଲେ। ଆମେ ଘର ଘର ବୁଲି ସେମାନଙ୍କୁ ସଚେତନ କରିବା ସହିତ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲୁ। ପ୍ରସବ ହେବାର ଗୋଟିଏ ସପ୍ତାହ ପୂର୍ବରୁ ଆମେ ହସ୍ପିଟାଲ ଓ ଆମ୍ବୁଲାନ୍ସକୁ ସତର୍କ କରିବା ସହିତ ନିଜେ ମଧ୍ୟ ପ୍ରସ୍ତୁତ ରହୁଛୁ।

ଏହାବ୍ୟତୀତ ଭିଡିଓ ଏବଂ ଫୋନ୍‍ କଲ୍‍ ମାଧ୍ୟମରେ ଡାକ୍ତରଙ୍କ ସହିତ ନିୟମିତ ଭାବେ ଆଲୋଚନାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେମାନଙ୍କ ନିମନ୍ତେ ଆବଶ୍ୟକ ଚିକିତ୍ସା ଓ ଜରୁରୀ ସହାୟତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟିଏସ୍‍ଏଫ୍‍ର ନିଜସ୍ୱ ଡାକ୍ତରମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‍ସି)ର ଡାକ୍ତରଙ୍କ ସହିତ ଫୋନ୍‍ ମାଧ୍ୟମରେ ଆଲୋଚନା କରିବା ସହ ଆବଶ୍ୟକ ସ୍ଥଳେ ରୋଗୀର ବିସ୍ତୃତ ବିବରଣୀ ମଧ୍ୟ ଯୋଗାଇ ଦେଉଛନ୍ତି। ନବଜାତ ଶିଶୁମାନଙ୍କୁ ଠିକ୍‍ ସମୟରେ ଟିକା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ପ୍ରସବ ପରେ ମଧ୍ୟ ନିୟମିତ ଭାବେ ଆଲୋଚନା କରାଯାଉଛି। କରୋନା ଭାଇରସ୍‍ ଯୋଗୁଁ ଲକ୍‍ଡାଉନ୍‍ ଘୋଷଣା ହେବା ପରେ ଟିଏସ୍‍ଏଫ୍‍ ସହଯୋଗରେ ଏପର୍ଯ୍ୟନ୍ତ ପ୍ରାୟ ୨୪ ଜଣ ମହିଳାଙ୍କ ପ୍ରସବ କାର୍ଯ୍ୟ ସୁରକ୍ଷିତ ଭାବେ ସମ୍ପନ୍ନ କରାଯାଇଛି। ମେ ମାସ ଶେଷ ସୁଦ୍ଧା ଚିହ୍ନଟ ହୋଇଥିବା ଏଭଳି ପ୍ରାୟ ୮୮ଜଣ ଗର୍ଭବତୀ ମାଆ ମାନଙ୍କୁ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି।

ଟାଟା ଷ୍ଟିଲ କଳିଙ୍ଗନଗର ସିଏସ୍‍ଆର ବିଭାଗ ମୁଖ୍ୟ ଶ୍ରୀ ଆଲେନ୍‍ ଜୋସେଫ୍‍ କହିଛନ୍ତି ଯେ, “ଏଭଳି ଏକ ମହାମାରୀ ମଧ୍ୟରେ ବହୁ ପରିବାର ନବଜାତ ପିଲାର ସ୍ୱାଗତ କରୁଛନ୍ତି। ଅବଶ୍ୟ ଏହି ଭାଇରସ୍‍ର ପରିବର୍ତ୍ତିତ ପ୍ରକୃତି ଅନୁସାରେ ଗର୍ଭବତୀ ମାଆ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଉଚିତ ଓ ଅନୁଚିତ ପଦକ୍ଷେପ ସଂକ୍ରାନ୍ତରେ ସଚେତନ ରହିବା ନିହାତି ଆବଶ୍ୟକ। ମାଆ ହେବାର ନିକଟତର ଥିବା ଗର୍ଭବତୀ ମହିଳା ମାନଙ୍କ ପାଇଁ ବିପଦ ଅଧିକ ଥିବାରୁ ଆମେ ଏପରି ମହିଳାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛୁ। ଏପରି ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ଦ୍ୱାରା ପ୍ରତିରୋଧକ ପଦକ୍ଷେପ, ଠିକ୍‍ ସମୟରେ ସମସ୍ୟାକୁ ଚିହ୍ନଟ କରିବା, ଗୁରୁତର ଅବସ୍ଥାକୁ ଏଡ଼ାଇବା ଓ ସ୍ୱାସ୍ଥ୍ୟ ଅସମାନତାକୁ ଦୂର କରାଯାଇପାରୁଛି”।

 

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories