ଜାମ୍ମୁ କାଶ୍ମୀରରେ କଠୋର ନୀତି ଚଳିବ ନାହିଁ: ମେହବୁବା
ଶ୍ରୀନଗର : ଜାମ୍ମୁ କାଶ୍ମୀର ଭଳି ଏକ ସମ୍ବେଦନଶୀଳ ରାଜ୍ୟରେ କଠୋର ନୀତି ଚଳିବ ନାହିଁ। ଏଥିନେଇ ବିଜେପି ସହିତ ଆଲୋଚନା ପୂର୍ବକ ବୁଝାମଣା କରିବାକୁ ପିଡିପି ସମସ୍ତ ଉଦ୍ୟମ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ପଦରୁ ସଦ୍ୟ ଇସ୍ତଫା ଦେଇଥିବା ମେହବୁବା ମୁଫ୍ତି ରାଜ୍ୟପାଳ ଏନ୍. ଏନ୍. ଭୋରାଙ୍କୁ ଭେଟିବା ପରେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଜେପି ଏକ ବୃହତ୍ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୃହତ୍ ଜନାଦେଶ ସହିତ କ୍ଷମତାକୁ ଆସିଥିବା ଘଟଣାକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ମୁଫ୍ତି ମହମ୍ମଦ ସୟିଦ ଏହି ମେଣ୍ଟ ଗଠନ କରିଥିଲେ। କ୍ଷମତା ବଣ୍ଟନ ପାଇଁ ଏହି ମେଣ୍ଟ ହୋଇ ନ ଥିଲା; ବରଂ ଏହା ଯୋଗୁ ଏକପାଖିଆ ଯୁଦ୍ଧବିରତି, ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ଏବଂ ୧୧,୦୦୦ ଯୁବକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ସମ୍ଭବ ହୋଇଥିଲା। ପିଡିପି ଏହାର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କ୍ରମେ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ଦାବି ଉଠାଇଥିଲା। ଧାରା ୩୫ଏ ଏବଂ ୩୭୦କୁ ପିଡିପି ସମର୍ଥନ କରିବା ସହିତ ଯୁଦ୍ଧବିରତି ଲାଗୁ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ମେହବୁବା ଗଣମାଧ୍ୟମକୁ କହିଛନ୍ତି।