ଆଉ ଏକ ଡୋକଲାମ୍‍ ପରିସ୍ଥିତି ସମ୍ଭାଳିବା ସମ୍ଭବ ନୁହେଁ: ଚୀନ ରାଷ୍ଟ୍ରଦୂତ

0

ନୂଆଦିଲ୍ଲୀ : ଚୀନ୍‍ ଏବେ ଭାରତ ସହିତ ମିତ୍ରତାର ମନୋଭାବ ପ୍ରଦର୍ଶନ ଆରମ୍ଭ କରିଛି। କିଛି ଭାରତୀୟ ମିତ୍ରଙ୍କ ପରାମର୍ଶ କ୍ରମେ ଭାରତ ଏବଂ ପାକିସ୍ତାନ ସହିତ ତ୍ରିପାକ୍ଷିକ ବୈଠକ ପୂର୍ବକ ସମ୍ପର୍କରେ ଉନ୍ନତି ଓ ପାରସ୍ପରିକ ସହଯୋଗ ବୃଦ୍ଧି ଉପରେ ଚୀନ୍‍ ଗୁରୁତ୍ୱାରୋପ କରିଛି। ଭାରତ-ଚୀନ୍‍ ଦ୍ୱିପାକ୍ଷିକ ସମ୍ପର୍କ ଯେଭଳି ସ୍ଥିତିରେ ଅଛି, ତାହା ଆଉ ଏକ ଡୋକଲାମ ପରିସ୍ଥିତି ଜନିତ ଚାପ ସମ୍ଭାଳିବା ସମ୍ଭବ ନୁହେଁ ବୋଲି ଭାରତରେ ନିଯୁକ୍ତ ଚୀନ୍‍ ରାଷ୍ଟ୍ରଦୂତ ଲୁଓ ଝାଓହୁଇ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ବୈଠକ ଦ୍ୱାରା ସୀମା ବିବାଦ ସମାଧାନର ଗ୍ରହଣୀୟ ସୂତ୍ର ବାହାର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱରୋପ କରିଛନ୍ତି। ଚୀନ୍‍ ଦୂତାବାସରେ ସୋମବାର ‘ୱହାନ୍‍ ପରେ ଭାରତୀ-ଚୀନ୍‍ ସମ୍ପର୍କ କେତେଦୂର ଆଗେଇ ପାରିବ’ ଶୀର୍ଷକ ଏକ ବୈଠକରେ ଯୋଗ ଦେଇ ସେ ଏହା କହିଛନ୍ତି।
ଭାରତ-ଚୀନ୍‍ ସମ୍ପର୍କ ଉପରେ ଝାଓହୁଇ କହିଛନ୍ତି, ଭାରତ, ଚୀନ୍‍ ଏବଂ ପାକିସ୍ତାନର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ୍‍ କରିବା ଲାଗି କିଛି ଭାରତୀୟ ମିତ୍ରଙ୍କଠାରୁ ପରାମର୍ଶ ମିଳିଛି, ଯାହାକି ଅତ୍ୟନ୍ତ ଗଠନମୂଳକ ଚିନ୍ତାଧାରା। ଅତୀତରେ ଚୀନ୍‍, ରୁଷ୍‍ ଏବଂ ମଙ୍ଗୋଲିଆ ମଧ୍ୟରେ ଏଭଳି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭାରତ, ଚୀନ ଏବଂ ପାକିସ୍ତାନ ମଧ୍ୟରେ ଏଭଳି ସମ୍ମିଳନୀ ଯଦିଓ ବର୍ତ୍ତମାନ ନ ହେଲେ ମଧ୍ୟ ଭବିଷ୍ୟତରେ ସମ୍ଭବ ହେବ। ବାସ୍ତବରେ ଭାରତୀୟ ମିତ୍ରଙ୍କ ଦ୍ୱାରା ପ୍ରଦତ୍ତ ଏହି ଉପାୟ ତିନି ପଡୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସୁଧାରିବାର ଉତ୍ତମ ଉପାୟ ବୋଲି ସେ ଦର୍ଶାଇଛନ୍ତି। ଭାରତ-ଚୀନ୍‍ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ସେ କହିଛନ୍ତି, ଉଭୟ ରାଷ୍ଟ୍ର ମଧ୍ୟରେ ମତାନ୍ତର ରହିବା ସ୍ୱାଭାବିକ୍‍; କିନ୍ତୁ ଏଭଳି ମତାନ୍ତରକୁ ଆପୋଷ ସହଯୋଗ ଓ ବୁଝାମଣା ଭିତ୍ତିରେ ନିୟନ୍ତ୍ରଣ କରାଯିବା ଆବଶ୍ୟକ। ଏଥିନେଇ ଉଭୟ ଦେଶ ମଧ୍ୟରେ ପରସ୍ପର ଉପରେ ଆସ୍ଥା ବୃଦ୍ଧି କରିବା ଭଳି ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ବୈଠକର ଆୟୋଜନ କରାଯିବା ଦରକାର ବୋଲି ସେ ଦର୍ଶାଇଛନ୍ତି। ଆଗାମୀ ଦିନରେ ଚୀନ୍‍ ଭାରତ ଦ୍ୱିପାକ୍ଷିକ ଧାର୍ମିକ ସହଯୋଗ ବୃଦ୍ଧି ଦିଗରେ କାର୍ଯ୍ୟ କରିବ। ଚୀନ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ କୈଳାସ ମାନସରୋବର ଯାତ୍ରାର ପ୍ରବନ୍ଧ କରିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।
ଉଲ୍ଲେଖ ଯେ, ୨୦୧୭ ଜୁନ୍‍ରୁ ଅଗଷ୍ଟ ମଧ୍ୟରେ ୭୩ ଦିନ ଧରି ଭାରତ-ଚୀନ୍‍-ଭୂଟାନ ମଧ୍ୟସ୍ଥଳ ଡୋକଲାମରେ ଭାରତ-ଚୀନ୍‍ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଫଳସ୍ୱରୂପ ନାଥୁଲା ପଥ ଦେଇ କୈଳାସ ମାନସରୋବର ଯାତ୍ରା ଏବଂ ଦୁଇ ଦେଶ ମଧ୍ୟରେ ବାର୍ଷିକ ସାମରିକ ଅଭ୍ୟାସ ବନ୍ଦ ରହିଥିଲା। ଏପରିକି ବ୍ରହ୍ମପୁତ୍ର ଏବଂ ସିନ୍ଧୁ ନଦୀ ସମ୍ବନ୍ଧରେ ଚୀନ୍‍ ଭାରତକୁ କୌଣସି ତଥ୍ୟ ପ୍ରଦାନ କରି ନ ଥିଲା। ଡୋକଲାମ ପରିସ୍ଥିତି ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଅନେକ ଥର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‍ ପ୍ରତିପକ୍ଷ ସି ଜିନ୍‍ପିଙ୍ଗ୍‍ ଗତ ମେ’ ମାସରେ ୱହାନ୍‍ ଏବଂ କ୍ୱିଂଡାଓଠାରେ ଦୁଇଥର ବୈଠକ କରିଛନ୍ତି। ସେହିଭଳି ଭାରତ, ଚୀନ୍‍ ଏବଂ ପାକିସ୍ତାନକୁ ନେଇ ଗଠିତ ସଂଘାଇ ସହଯୋଗିତା ସଂଗଠନ (ଏସ୍‍ସିଓ)ରେ ନିରାପତ୍ତାକୁ ଗୁରୁତ୍ୱାରୋପ କରାଯାଉଥିବା ଝାଓହୁଇ ଦର୍ଶାଇଛନ୍ତି। ବର୍ତ୍ତମାନ ଏସ୍‍ସିଓ ଏବଂ ବ୍ରିକ୍‍ସ ରାଷ୍ଟ୍ର ସମୁହ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି ପୂର୍ବକ ସାମାଜିକ ସମସ୍ୟାଗୁଡିକର ମୁକାବିଲା ଦିଗରେ ହାତ ମିଳାଇବା ସମୟର ଆହ୍ୱନ ବୋଲି ସେ କହିଛନ୍ତି।

Leave A Reply