ମନୀଷ ସିସୋଦିଆ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ : ଆଇଏଏସ୍ ଅଧିକାରୀଙ୍କ ଧର୍ମଘଟ ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହିତ ଧାରଣାରେ ବସିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୋମବାର ଅସୁସ୍ଥ ହୋଇପଡିଛନ୍ତି। ଫଳରେ ତାଙ୍କୁ ଏଲ୍ଏନ୍ଜିପି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅରବିନ୍ଦ କେଜରିୱାଲ ଟ୍ୱିଟ୍ କରି ଏହି ସୂଚନା ପ୍ରଦାନ କରିଛନ୍ତି। ସିସୋଦିଆଙ୍କ ରକ୍ତରେ କିଟୋନିସ୍ତର ୭.୪ରେ ପହଞ୍ଚିଛି। ରବିବାର ତାଙ୍କ ରକ୍ତରେ କିଟୋନିସ୍ତର ୬.୪ ଥିଲା। ଏହା ଶୂନରେ ରହିବା ଆବଶ୍ୟକ। ରକ୍ତରେ କିଟୋନିସ୍ତର +୨ରେ ପହଞ୍ଚିଲେ ବିପଦସ୍ତର ବୋଲି ଧରାଯାଇଥାଏ। ଧାରଣାର ଅଷ୍ଟମ ଦିନରେ ସୋମବାର ଡାକ୍ତରମାନେ ଉପରାଜ୍ୟପାଳଙ୍କ ବାସଭବନକୁ ଯାଇ ସିସୋଦିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ପରିଲକ୍ଷିତ ହେବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ୪ ଦିନ ମଧ୍ୟରେ ଜୈନଙ୍କ ଓଜନ ପ୍ରାୟ ୩.୭ କିଲୋଗ୍ରାମ ହ୍ରାସ ପାଇଛି। ଜୁନ୍ ୧୨ ବେଳକୁ ଜୈନଙ୍କ ଓଜନ ୮୨.୭ କିଲୋଗ୍ରାମ ଥିଲାବେଳେ ଜୁନ୍ ୧୬ରେ ଓଜନ ହ୍ରାସ ପାଇ ୭୯ କିଲୋଗ୍ରାମରେ ପହଞ୍ଚିଛି। ସିସୋଦିଆ ଏବଂ ଜୈନ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏବେ କେଜରିୱାଏ ଏବଂ ଗୋପାଳ ରାୟ ଅନଶନରେ ବସିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରବିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ଲାଗି ଆପ୍ର ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରା କରିଥିଲେ। ଦଳୀୟ କର୍ମୀମାନେ ମଣ୍ଡି ହାଉସରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଶୋଭାଯାତ୍ରା ଯାଇଥିôବାବେଳେ ଦିଲ୍ଲୀ ପୁଲିସ ସେମାନଙ୍କୁ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ନିକଟରେ ଅଟକାଇଥିଲା। ଆପ୍ର ଏହି ଶୋଭାଯାତ୍ରାକୁ ପୁଲିସ ଅନୁମତି ମିଳି ନଥିଲା; ତେଣୁ ସେମାନଙ୍କୁ ବାଟରେ ଅଟକାଯାଇଥିବା ଡିସିପି କହିଛନ୍ତି। ଆପ୍ର ଏହି ଶୋଭାଯାତ୍ରାରେ ସିପିଆଇ(ଏମ୍) ସଚିବ ସୀତାରାମ ୟେଚୁରୀ ଯୋଗଦେଇଥିଲେ। ଶୋଭାଯାତ୍ରାରେ ଜନଗହଳି ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ଦିଲ୍ଲୀ ମେଟ୍ରୋ ରେଳର ଲୋକ କଲ୍ୟାଣ ମାର୍ଗ, ପଟେଲ ଚୌକ, ସେଣ୍ଟ୍ରାଲ ସେକ୍ରେଟାରିଏଟ, ଉଦ୍ୟୋଗ ଭବନ ଓ ଜନପଥର ଷ୍ଟେସନକୁ ଦିନ ୨ଟା ପରଠାରୁ ବନ୍ଦ କରିଦିଆଯାଇଥିଲା। ଏହାପରେ ଆଇଏଏସ୍ ଅଫିସର ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ଆପ୍ ଅଭିଯୋଗକୁ ଖଣ୍ଡନ କରିଥିଲେ। ଦିଲ୍ଲୀର ଆଇଏଏସ୍ ଅଫିସରମାନେ ଧର୍ମଘଟ ଚଳାଇଥିବା ନେଇ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଓ ଭିତ୍ତିହୀନ ବୋଲି ସଂଘ କହିଥିଲା। ଆଇଏଏସ୍ ଅଧିକାରୀମାନେ ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଇଏଏସ୍ ଅଫିସରଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ଦେଇଥିଲେ। କେଜରିୱାଲ ତାଙ୍କ ଟ୍ୱିଟରରେ ଏହି ଲିଖିତ ସୁରକ୍ଷା ପ୍ରତିଶ୍ରୁତି ଦେବା ସହ ଆଇଏଏସ୍ ଅଫିସରଙ୍କୁ ଧର୍ମଘଟ ଛାଡି କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରିଛନ୍ତି। ତେବେ ଆଇଏଏସ୍ ଅଫିସରମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଉପରାଜ୍ୟପାଳ ନିର୍ଦେଶ ନ ଦେବ ପର୍ଯ୍ୟନ୍ତ ସେମାନେ ଅନଶନରେ ବସିବେ ବୋଲି କେଜରିୱାଲ କହିଛନ୍ତି।