କରୋନା ପାଇଁ ଆର୍ଥିକ ଅନାଟନ ମଧ୍ୟରେ କୁମ୍ଭାର ପରିବାର

ସମ୍ବଲପୁର(ବିରାଜ କୁମାର ମିଶ୍ର) :  ବିଶ୍ୱ ଅର୍ଥନୀତିର ମାନଚିତ୍ରକୁ କରୋନା ଓଲଟପାଲଟ କରିଦେଇଛି। ଯାହା ଫଳରେ ଏବେ ଗରିବ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି। ଗତ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଓ ୨୪ ତାରିଖରୁ ଦେଶ ବ୍ୟାପି ଲକ ଡାଉନ ଚାଲିଥିବାରୁ ବହୁ ଲୋକ ବେକାର ହୋଇ ବସି ରହିଛନ୍ତି। ଲକ ଡାଉନର ବିଶେଷ ପ୍ରଭାବ ସମ୍ବଲପୁର ଜିଲାର କୁମ୍ଭାର ପରିବାର ମାନଙ୍କ ଉପରେ ପଡିଛି। ଜିଲାରେ ୫ ହଜାରରୁ ଉର୍ଦ୍ଧ କୁମ୍ଭାର ପରିବାର ନିଜର କଷ୍ଟାର୍ଜିତ ସାମଗ୍ରୀ ବିକ୍ରି କରି ପରିବାର ପୋଷଣ କରୁଥିବା ବେଳେ ଏବେ ତାହା ବିକ୍ରି କରି ନ ପାରି ଆର୍ଥିକ ଅନାଟନ ମଧ୍ୟରେ ଜୀବନଯାପନ କରୁଛନ୍ତି। ଏପରିକି ବହୁ କୁମ୍ଭାର ପରିବାର ଭୋକ ଉପାସରେ ମଧ୍ୟ ଦିନ କାଟୁଥିବାର ଜଣାପଡିଛି।

ଜିଲାର ୯ଟି ବ୍ଲକରେ ରହିଥିବା ହଜାର ହଜାର କୁମ୍ଭାର ମାଟିର ଦୀପ, କଳସ, ଆଳତି, ହାଣ୍ଡି, ସୁରେଇ, ମାଠିଆ ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରି ଦୈନିକ ବଜାର ଓ ସାପ୍ତାହିକ ହାଟ ଗୁଡିକରେ ବିକ୍ରି କରି ନିଜ ତଥା ପରିବାରର ଭରଣପୋଷଣ କରିଥାନ୍ତି। ଗ୍ରୀଷ୍ମ ଋତୁରେ ଥାଣ୍ଡା ପାଣି ଟିକିଏ ପାଇଁ ମାଟି ହାଣ୍ଡି, ସୁରେଇ ଓ ମାଠିଆ ଇତ୍ୟାଦିର ବିଶେଷ ଚାହିଦା ରହୁଥିବାରୁ କୁମ୍ଭାର ମାନେ ଛୋଟରୁ ବଡ ପର୍ଯ୍ୟନ୍ତ ବିଭିନ୍ନ ଆକାରର ମାଟି ପାତ୍ର ବିକ୍ରି କରିଥାନ୍ତି। ଏଥି ସହ ପ୍ରତିବର୍ଷ ବିବାହ, ବ୍ରତ, ଆଦି ମାଙ୍ଗଳିକ କାର୍ଯ୍ୟକ୍ରମ ଗୁଡିକରେ ମାଟି ସାମଗ୍ରୀର ବହୁଳ ଚାହିଦା ଥିବାରୁ ତାକୁ ବିକ୍ରି କରି ବେଶ ଦୁଇ ପଇସା କମାଣି କରିଥାନ୍ତି। ଠିକ ବିକ୍ରି ସମୟରେ କରୋନା ମହାମାରୀ ଆସିଯିବାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ସାରା ଦେଶକୁ ଲକ ଡାଉନ କରାଯାଇଛି। ଯାହା ଫଳରେ ସମସ୍ତ ଦୈନିକ ବଜାର, ସାପ୍ତାହିକ ହାଟ, ଯାନବାହନ ଚଳାଚଳ ବନ୍ଦ ରହିଛି। ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଥିବା ବେଳେ ସବୁ ଆଡେ ପୁଲିସ ଓ ପ୍ରଶାସନର କଡା ପହରା ଲାଗିଛି। ସମସ୍ତ ବ୍ରତ, ବିବାହ ଓ ଅନ୍ୟ ମାଙ୍ଗଳିକ କାର୍ଯ୍ୟ ଗୁଡିକ ବାତିଲ ହୋଇଯାଇଛି ଅଥବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚି ଯାଇଛି।

ଏଣୁ ଯାହା ବିକ୍ରିର ଆଶା ଥିଲା ତାହା ଧୂଳିସାତ ହୋଇଯାଇଛି। ସମସ୍ତ ନିର୍ମିତ ସାମଗ୍ରୀ ଗୁଡିକ ବିକ୍ରି ହୋଇ ନ ପାରି ଘରେ ପଡି ରହିଛି। ସହରର କେନ୍ଦ୍ରସ୍ଥଳ ଅଞ୍ଚଳରେ ରହିଥିବା କୁମ୍ଭାରପଡାର ନିବାସୀ ଶଙ୍କର ରଣାଙ୍କ ଅନୁଯାୟୀ କରୋନା ମାଡରେ ଚଳିତ ବର୍ଷ ବହୁ କ୍ଷତି ସହିବାକୁ ପଡୁଛି। ଚଳିତ ବର୍ଷ ବହୁ ବ୍ରତ, ବିବାହ ଓ ଅନ୍ୟ ମାଙ୍ଗଳିକ କାର୍ଯ୍ୟ ଅଧିକ ସଂଖ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଜାଣିବା ପରେ ପ୍ରାୟ ଦୁଇ ମାସ ପୂର୍ବରୁ କାମ ଆରମ୍ଭ କରିଥିଲି। ଭଲ ରୋଜଗାରର ଆଶା ରଖିଥିବା ବେଳେ କିନ୍ତୁ ସବୁ ବାତିଲ ହୋଇଯିବାରୁ ଏ ପର୍ଯ୍ୟନ୍ତ ନିର୍ମିତ ସାମଗ୍ରୀର ମୂଳ ମଧ୍ୟ ବାହାରି ନାହିଁ। ଯାହା କିଛି ଚାଉଳ, ଡାଲି ଓ ଜମା ପୁଞ୍ଜି ଘରେ ଥିଲା ଲକ ଡାଉନରେ ତାହା ମଧ୍ୟ ଶେଷ ହୋଇ ଗଲାଣି। ଯଦି ତୁରନ୍ତ କିଛି ସହାୟତା ନ ମିଳେ ତାହା ହେଲେ ବଞ୍ଚିବା ଦୁରୁହ ହୋଇଯିବ ବୋଲି କୁମ୍ଭାର ଶଙ୍କର କହିଛନ୍ତି। ଅଚାନକ କରୋନା ଚଡକ ଯୋଗୁଁ ଜିଲାର ସମସ୍ତ କୁମ୍ଭାର ପରିବାର ଆର୍ଥିକ ଦୁର୍ଦ୍ଦିନରେ ରହିଥିବାରୁ ସେମାନଙ୍କୁ ପ୍ରଶାସନ ଓ ସରକାର ତୁରନ୍ତ ସହାୟତା ଯୋଗଇ ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Comments are closed.