ଆଇସ୍ଲାଣ୍ଡ ସହ ଡ୍ର ରଖିଲା ଆର୍ଜେଣ୍ଟିନା
ମସ୍କୋ: ଚଳିତ ଫୁଟ୍ବଲ ବିଶ୍ୱକପ୍ରେ ଶୁକ୍ରବାର ପଡ଼ିଆକୁ ଓହ୍ଲାଇଛି ୨ ଥରର ଚମ୍ପିଆନ୍ ଏବଂ ଗତଥରର ରନର୍ସଅପ ଆର୍ଜେଣ୍ଟିନା ଦଳ। ତେବେ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ପାଇଁ ଦୁଃସ୍ୱପ୍ନ ପାଲଟିଛି। ଗ୍ରୁପ୍ ‘ଡି’ର ଏହି ମ୍ୟାଚ୍ରେ ପ୍ରତିଯୋଗୀଙ୍କ ମଧ୍ୟରେ କ୍ଷୁଦ୍ରତମ ଦେଶ ଆଇସ୍ଲାଣ୍ଡ ସହ ୧-୧ ଗୋଲ୍ରେ ଆର୍ଜେଣ୍ଟିନା ମ୍ୟାଚ୍ ଡ୍ର ରଖିପାରିଛି। ସ୍ପାର୍ଟାକ୍ ଷ୍ଟାଡିୟମ୍ରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଆର୍ଜେଣ୍ଟିନା ପ୍ରଥମ ଗୋଲ୍ଦେଇ ଆଗୁଆ ହୋଇଥିଲେ ହେଁ ୫ ମିନିଟ ପରେ ଆଇସ୍ଲାଣ୍ଡ ଗୋଲ୍ ସୁଝାଇ ଦେଇଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ପେନାଲ୍ଟି ପାଇଥିଲେ ହେଁ ଆଇସ୍ଲାଣ୍ଡ ଗୋଲ୍ରକ୍ଷକ ଏହାକୁ ରୋକି ଆର୍ଜେଣ୍ଟିନାକୁ ନିରାଶ କରିଥିଲେ।
ସମସ୍ତେ ଆଶା ରଖିଥିଲେ ଯେ ବିଶ୍ୱ ଫୁଟ୍ବଲର ଶିଶୁ ଆଇସ୍ଲାଣ୍ଡ ବିପକ୍ଷରେ ଆର୍ଜେଣ୍ଟିନା ବଡ଼ ବ୍ୟବଧାନରେ ଜିତିବ। ଗ୍ୟାଲେରୀରେ ମଧ୍ୟ ହଜାର ହଜାର ଆର୍ଜେଣ୍ଟିନା ସମର୍ଥକ ତା’ର ଦଳକୁ ପ୍ରବଳ ସମର୍ଥନ ଦେଇଥିଲେ। ମ୍ୟାଚ୍ର ପ୍ରଥମ ୧୦ ମିନିଟ ଆର୍ଜେଣ୍ଟିନା ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ତଥାପି ଆଇସ୍ଲାଣ୍ଡ ଡିଫେଣ୍ଡର ମାରାତ୍ମକ ଲିଓନେଲ ମେସିଙ୍କୁ ଛାଇ ପରି ଜଗି ରହିଥିଲେ। ଫଳରେ ମେସି ପ୍ରବଳ ଚାପରେ ନଜର ଆସୁଥିଲେ। ତେବେ ୧୯ ମିନିଟ୍ରେ ଗୋଲ୍ଦେଇ ଆର୍ଜେଣ୍ଟିନା ଆଗୁଆ ହୋଇ ଯାଇଥିଲା। ଏକ ଥ୍ରୁ ପାସ୍ ପାଇ ବାମପାଦରେ ରକେଟ୍ମାର୍କା ସଟ୍ ମାରି ସର୍ଜିଓ ଆଗ୍ୱୁରୋ ଆର୍ଜେଣ୍ଟିନାକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ତେବେ ୨୩ ମିନିଟରେ ଆଇସ୍ଲାଣ୍ଡ ପାଇଁ ରେକର୍ଡ ସୃଷ୍ଟି କରିଥିଲେ ଆଲ୍ଫ୍ରେଡ୍ ଫିନ୍ବୋଗାସନ୍। ବିଶ୍ୱକପ୍ରେ ଆଇସ୍ଲାଣ୍ଡ ପାଇଁ ସର୍ବପ୍ରଥମ ଗୋଲ୍ଦେବାର କୃତିତ୍ୱ ଅଭିଜ୍ଞ ଫରୱାର୍ଡ ଆଲ୍ଫ୍ରେଡ୍ ହାସଲ କରିଥିଲେ। ଆର୍ଜେଣ୍ଟିନା ଡିଫେଣ୍ଡରଙ୍କ ତ୍ରୁଟିରୁ ଫାଇଦା ଉଠାଇ ଗୋଲ୍ ସମ୍ମୁଖରେ ବଲ୍ ପାଇ ଆଲ୍ଫ୍ରେଡ୍ ଫିନ୍ବୋଗାସନ୍ ଆର୍ଜେଣ୍ଟିନା ଗୋଲ୍ରକ୍ଷକଙ୍କୁ ପରାସ୍ତ କରିଥିଲେ। ୟୁରୋ-୨୦୧୬ରେ ମଧ୍ୟ ଆଇସ୍ଲାଣ୍ଡ ପ୍ରତିପକ୍ଷ ଇଂଲଣ୍ଡ ଓ ପର୍ତ୍ତୁଗାଲ୍ ବିପକ୍ଷରେ ଗୋଟିଏ ଗୋଲ୍ ପଛରେ ଥିଲା। ହେଲେ ଉଭୟ ଥର ଏହା ଲଢ଼ୁଆ ପ୍ରଦର୍ଶନ କରି ମ୍ୟାଚ୍ ଜିତି ପାରିଥିଲା। ଏହି ଗୋଲ୍ ବରଣ କରିବା ପରେ ଆର୍ଜେଣ୍ଟିନା ଅଧିକ ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ହେଲେ ଆଇସଲାଣ୍ଡର ଡିଫେନ୍ସ ଭେଦ କରିବାରେ ଏହା ବିଫଳ ହୋଇଥିଲା। ଏହିପରି ମଧ୍ୟାନ୍ତର ସୁଦ୍ଧା ମ୍ୟାଚ୍ ୧-୧ ଗୋଲ୍ ସ୍ଥିତିରେ ଥିଲା। ଏହି ହାଫ୍ରେ ଆର୍ଜେଣ୍ଟିନା ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ ହେଁ ଆଗ୍ୱୁରୋଙ୍କ ଗୋଲ୍କୁ ଛାଡ଼ି ଏହା ଆଉ ସ୍କୋର୍ କରି ପାରିନଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ଆଞ୍ଜେଲ୍ ଡି ମାରିଆ ଓ ନିକୋଲାସ୍ ଓଟାମେଣ୍ଡିଙ୍କ ପ୍ରୟାସ ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୬୩ ମିନିଟରେ ଗୋଲ୍ ସମ୍ମୁଖରେ ଲିଓନେଲ ମେସିଙ୍କୁ ଫାଉଲ୍ମାରି ପକାଇ ଦେଇଥିଲେ ଆଇସ୍ଲାଣ୍ଡ ଡିଫେଣ୍ଡର। ଫଳରେ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା। ନିଜେ ଅଧିନାୟକ ମେସି ମାରିଥିବା ପେନାଲ୍ଟି କିକ୍କୁ ଆଇସ୍ଲାଣ୍ଡ ଗୋଲ୍ରକ୍ଷକ ହାନେସ୍ ହାଲ୍ଡୋରସନ୍ ରୋକି ଦେଇଥିଲେ। ପରେ ଆର୍ଜେଣ୍ଟିନା ଆକ୍ରମଣ କରି ଚାଲିଥିଲା ଏବଂ ଆଇସ୍ଲାଣ୍ଡ ଦୁର୍ଗ ରକ୍ଷା କରିବାରେ ବ୍ୟସ୍ତ ହୋଇଥିଲା। ଆଇସ୍ଲାଣ୍ଡ ଗୋଲ୍ରକ୍ଷକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ।