ଜନସଂଘର୍ଷ ଓ ସ୍ବରାଜ ପାଇଁ ଆହ୍ବାନ
ସତ୍ୟନାରାୟଣ ସାହୁ
ଶହେ ବର୍ଷ ତଳେ ୧ ଜାନୁଆରୀ ୧୯୧୮ରେ ମହାତ୍ମାଗାନ୍ଧି ସ୍ବରାଜର ଅର୍ଥକୁ ବିଶ୍ଳେଷଣ କରି କହିଥିଲେ ଯେ ଏହାର ମୂଳରେ ଅଛି ଶୁଦ୍ଧ ପାଣି, ଶୁଦ୍ଧ ପବନ ଓ ପ୍ରଚୁର ଶସ୍ୟ। ଟ୍ୟୁଟିକୋରିନର ଜନ ସଂଘର୍ଷ ଷ୍ଟେରଲାଇଟ କାରଖାନା ବିରୋଧରେ ଆରମ୍ଭ କରାଗଲା ୨୦ ବର୍ଷ ତଳେ ଠିକ୍ ସ୍ବରାଜର ମୂଳ ତତ୍ତ୍ବକୁ ଦାବିକରି ଶୁଦ୍ଧପାଣି, ଶୁଦ୍ଧ ପବନ ଓ ପ୍ରଦୂଷଣରହିତ ମୃତ୍ତିକା; କାରଣ ଷ୍ଟେରିଲାଇଟ କାରଖାନା ଦ୍ବାରା ପାଣି, ପବନ ଓ ମୃତ୍ତିକା ପ୍ରଦୂଷଣର ଶିକାର ହେଲା। ଏହି ଜନସଂଘର୍ଷ ପୁଲିସ ଗୁଳିର ଶିକାର ହେଲା ଓ ୧୩ଜଣ ଲୋକଙ୍କର ଜୀବନ ଚାଲିଗଲା। ସ୍ବାଧୀନତାର ୭୦ବର୍ଷ ପରେ ଯଦି ସାଧାରଣ ଲୋକ ଶୁଦ୍ଧ ପାଣି ଓ ପବନ ପାଇଁ ସଂଘର୍ଷ କରିବେ ଓ ପୁଲିସ ଗୁଳିରେ ପ୍ରାଣ ହରାଇବେ ତେବେ ତାହା ସ୍ବରାଜର ଠିକ୍ ବିପରୀତ ଓ ପ୍ରତିକୂଳ ଏବଂ ସରକାରୀ କଳର ବଳ ପ୍ରୟୋଗର ଏକ ଭୟାବହ ଉଦାହରଣ।
୧୯୧୩ରେ ମହାତ୍ମାଗାନ୍ଧି ଲେଖିଥିଲେ ଯେ ଆଧୁନିକ ସଭ୍ୟତାରେ ପାଣି ଓ ପବନ ବହୁଭାବେ ପ୍ରଦୂଷିତ ହେବ। ଦ୍ରୁତ ଗତିରେ ପାଣିପବନ ପ୍ରଦୂଷିତ ହେବାରୁ ଲୋକମାନଙ୍କର ପ୍ରତିବାଦ ଓ ସଂଘର୍ଷ ଶୁଦ୍ଧ ପାଣି ଓ ପବନ ପାଇଁ ମଧ୍ୟ ବଢ଼ି ଚାଲିଛି। ଏହି ପ୍ରକାର ସଂଘର୍ଷକୁ କୁହାଯାଏ ପରିବେଶ ନ୍ୟାୟ ପାଇଁ ସଂଘର୍ଷ।
ଟ୍ୟୁଟିକୋରିନ୍ର ଜନସଂଘର୍ଷ ୨୦ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏହି ପ୍ରକାର ପରିବେଶ ପାଇଁ ନ୍ୟାୟ ଆନ୍ଦୋଳନକୁ ସମ୍ବେଦନଶୀଳତାର ସହ ଯଦି ସରକାରୀ କଳ ଦେଖିବ ତେବେ ଭୟାବହ ପରିଣାମକୁ ଏଡ଼େଇ ଦେଇହେବ।
ପ୍ରଫେସର ଅମର୍ତ୍ତ୍ୟ ସେନ ତାଙ୍କର ବହି ‘ଆଇଡିଆ ଅଫ୍ ଜଷ୍ଟିସ୍’ ରେ ଲେଖିଛନ୍ତି ଯେ ଜନଆନ୍ଦୋଳନରେ ଯେଉଁ କ୍ରୋଶ ଓ ଅାକ୍ରୋଶ ଥାଏ ତା’ ପଛରେ ଥିବା ଅସଲ କାରଣକୁ ବୁଝିବାକୁ ହେବ ଏବଂ ତା’ର ନିରାକରଣ ପାଇଁ ବିନା ବଳ ପ୍ରୟୋଗରେ ଲୋକଯୁକ୍ତିକୁ ଆଧାର କରି ପଦକ୍ଷେପ ନେବାକୁ ପଡ଼ିବ; ଅର୍ଥାତ୍ ବଳ ପ୍ରୟୋଗ ନୁହେଁ, ବରଂ ଲୋକଯୁକ୍ତି, (ଯାହାକୁ ଇଂରାଜୀରେ କୁହାଯାଏ ପବ୍ଲିକ୍ ରିଜନିଙ୍ଗ୍) ଦ୍ବାରା ଲୋକଙ୍କୁ ନ୍ୟାୟ ଦିଆଯାଇ ପାରିବ। ଟ୍ୟୁଟିକୋରିନ୍ରେ ପୁଲିସ ଗୁଳିରେ ଯେଉଁ ୧୩ ଲୋକଙ୍କ ଜୀବନ ଗଲା ତାହା ଲୋକଯୁକ୍ତିଭିତ୍ତିକ ଶାସନର ଠିକ୍ ବିପରୀତ ଥିଲା।
ଯଦି ମହାତ୍ମା ଗାନ୍ଧି ୧୯୧୮ରେ ସ୍ବରାଜର ଅର୍ଥକୁ ଶୁଦ୍ଧ ପାଣି, ପବନ ଓ ପ୍ରଚୁର ଶସ୍ୟ ପରିପ୍ରେକ୍ଷୀରେ ଦେଖିଥିଲେ , ସେ ୧୯୩୯ରେ ଗଣତନ୍ତ୍ରକୁ ଶାସକ ଓ ଶାସିତ ବର୍ଗର ଶୁଦ୍ଧ ପାଣି ଓ ପବନ ପାଇବା ଅଧିକାର ଦୃଷ୍ଟିକୋଣରୁ ଦେଖିଥିଲେ। ଏହା ଜାଣିବା ଶିକ୍ଷାପ୍ରଦ ହେବ ଯେ ଉତ୍କଳମଣି ଗୋପବନ୍ଧୁ ଦାସ ୬ ମେ ୧୯୨୮ରେ ‘ସମାଜ’ରେ ଗୋଟିଏ ଲେଖା ‘ପ୍ରକୃତିର ପଥ ଲୋଡ଼ା’ ଲେଖିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ ମଣିଷ ବିଜ୍ଞାନର ସହାୟତା ନେଇ ପ୍ରକୃତି ସହ ସମନ୍ବୟ ସ୍ଥାପନ ଆଡ଼କୁ ଅଗ୍ରସର ହେବା ଦରକାର। ଉତ୍କଳମଣିଙ୍କର ସେହି ଚିନ୍ତାଧାରା ଏକବିଂଶ ଶତାବ୍ଦୀ ପାଇଁ ପ୍ରଯୁଜ୍ୟ; କାରଣ ଲୋକମାନଙ୍କର ପାଣି, ପବନ ଓ ଶସ୍ୟ ପାଇଁ ସଂଘର୍ଷ ତୀବ୍ର ହେଉଛି ଓ ସେମାନେ ସରକାରୀ କଳ ଓ ବହୁ କମ୍ପାନୀମାନଙ୍କର ଅର୍ଥବଳର ଶିକାର ହୁଅନ୍ତି ଓ ପ୍ରାଣ ମଧ୍ୟ ହରାନ୍ତି।
ସାଧାରଣ ଲୋକଙ୍କ ପରିବେଶ ନ୍ୟାୟ ପାଇଁ ସଂଘର୍ଷ ଓ ତାଙ୍କର ଲୋକଯୁକ୍ତି ପ୍ରତିଫଳିତ ହୋଇଥିଲା ଗଞ୍ଜାମ ପଞ୍ଚାୟତର ଏକ ଆବେଦନ ପିଟିସନରେ ଯାହାକି ରାଜ୍ୟ ସଭାର ପିଟିସନ୍ (ଆବେଦନ) କମିଟିକୁ ୧୯୭୭ରେ ଦିଆଯାଇଥିଲା। ସେହି ପିଟିସନଟି ଥିଲା ପରିବେଶ ନ୍ୟାୟ ପାଇଁ ଭାରତର ପାର୍ଲାମେଣ୍ଟକୁ ପ୍ରଥମ ପିଟିସନ୍, ଯେଉଁଥିରେ ଦର୍ଶାଯାଇଥିଲା ଜୟଶ୍ରୀ କେମିକାଲ୍ସ୍ର କ୍ଲୋରିନ୍ ଉତ୍ପାଦନ କେମିତି ସେହି ଅଞ୍ଚଳର ପାଣି, ପବନ ଓ ମାଟିକୁ ପ୍ରଦୂଷିତ କରିଥିଲା। ସେହି ସମୟରେ ରାଜ୍ୟସଭାର ପିଟିସନ କମିଟିର ଚେୟାରମେନ୍ ଥିଲେ ବ୍ରହ୍ମାନନ୍ଦ ପଣ୍ଡା। ଗଞ୍ଜାମ ପଞ୍ଚାୟତର ଲୋକେ ଜୟଶ୍ରୀ କେମିକାଲସକୁ ବନ୍ଦ କରିବାକୁ ଦାବି ନ କରି କେବଳ ପାଣି, ପବନ ଓ ମାଟିକୁ ପ୍ରଦୂଷଣମୁକ୍ତ ରଖାଯାଉ ବୋଲି ପ୍ରାର୍ଥନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ସେହି ପିଟିସନରେ ଲୋକମାନେ ଦାବି କରିଥିଲେ ଯେ ଭାରତର ସଂସଦ କାନୁନ୍ ତିଆରି କରୁ ପବନକୁ ପ୍ରଦୂଷଣମୁକ୍ତ ରଖିବାପାଇଁ। ସେହି ପିଟିସନ୍କୁ ତର୍ଜମା କଲାପରେ ରାଜ୍ୟସଭାର ପିଟିସନ କମିଟି ଏକ ରିପୋର୍ଟ ରାଜ୍ୟ ସଭାକୁ ଦେଇଥିଲା। ସେଥିରେ କୁହାଯାଇଥିଲା ଯେ ସଂସଦ ବାୟୁକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଏକ କାନୁନ ଆଣିବା ପାଇଁ ଗଞ୍ଜାମ ପଞ୍ଚାୟତ ଲୋକେ ଯେଉଁ ଅନୁରୋଧ କରିଛନ୍ତି, ତାକୁ ଗ୍ରହଣ କରାଯାଉ। କିଛି ବର୍ଷପରେ ଏହି ପ୍ରକାର କାନୁନ୍ ସଂସଦ ତିଆରି କଲା। ଗଞ୍ଜାମ ପଞ୍ଚାୟତର ଲୋକମାନଙ୍କ ଏହି ପ୍ରକାରର ସାମ୍ବିଧାନିକ ସଂଘର୍ଷ ପରିବେଶ ନ୍ୟାୟ ପାଇଁ ଆନ୍ତର୍ଜାତିକ ସ୍ତରରେ ହୋଇଥିବା ବ୍ରୁଣ୍ଟ୍ଲାଣ୍ଡ୍ କମିସନ ୧୯୮୭ର ରିପୋର୍ଟ ‘ଆୱାର୍ କମନ୍ ଫ୍ୟୁଚର୍’ର ୧୦ ବର୍ଷ ପୂର୍ବରୁ ହୋଇଥିଲା। ଅର୍ଥାତ୍ ଗଞ୍ଜାମ ପଞ୍ଚାୟତର ଲୋକମାନେ ଆନ୍ତର୍ଜାତିକ ସ୍ତରରେ ହୋଇଥିବା ପ୍ରୟାସର ବହୁ ଆଗରୁ ଜଳ ଓ ବାୟୁ ପ୍ରଦୂଷଣ କଥା ଜାତୀୟ ସ୍ତରରେ ଉଠାଇଥିଲେ।
ଓଡ଼ିଶାରେ ପରିବେଶ ନ୍ୟାୟ ପାଇଁ ବହୁ ସଂଘର୍ଷ ହୋଇଛି। ଗୋପାଳପୁରରେ ଇସ୍ପାତ କାରଖାନା ବିରୋଧରେ ଆନ୍ଦୋଳନ ହେଲା ଓ ସେହି ଆନ୍ଦୋଳନକୁ ଲୋକସଭାର ପୂର୍ବତନ ବାଚସ୍ପତି, ସ୍ବର୍ଗତ ରବି ରାୟ ଇସ୍ପାତଠାରୁ ଟାଣ ବୋଲି କହିଥିଲେ। ବାସ୍ତବରେ ସେହି ଇସ୍ପାତଠାରୁ ଟାଣ ଜନସଂଘର୍ଷ ଗୋପାଳପୁରର ପରିବେଶକୁ ବଞ୍ଚାଇ ଦେଲା। ଆମର ମନେପଡ଼େ କଳିଙ୍ଗ ନଗରରେ ହୋଇଥିବା ପୁଲିସ ଗୁଳିକାଣ୍ଡ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ ଟାଟା ଇସ୍ପାତ କାରଖାନା ପ୍ରତିଷ୍ଠା ବିରୋଧରେ ଲଢ଼ିବାକୁ ଯାଇ। ପୋସ୍କୋ ଇସ୍ପାତ କାରଖାନା ବିରୋଧରେ ବହୁଲୋକ ସଂଘର୍ଷରତ ଥିଲେ ଓ ଜେଲ ମଧ୍ୟ ଯାଇଥିଲେ। ବେଦାନ୍ତ କମ୍ପାନୀର ବକ୍ସାଇଟ କାରଖାନା ଯାହାକି ନିୟମଗିରି ପାହାଡ଼କୁ ଭାଙ୍ଗି ବସାଇବା ପାଇଁ ଚେଷ୍ଟା ହୋଇଥିଲା, ତାହା ଲୋକଙ୍କ ଆନ୍ଦୋଳନ ପାଇଁ ବନ୍ଦ ହେଲା। ନିୟମଗିରିର ଗ୍ରାମସଭା ମଧ୍ୟ ଅନୁମତି ଦେଇନଥିଲା ସେଠାରେ ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ। ପ୍ରଫୁଲ୍ଲ ସାମନ୍ତରାଙ୍କର ଅବଦାନ ପରିବେଶ ନ୍ୟାୟ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। ସେ ହେଉଛନ୍ତି ଚିରନ୍ତନ ବିକାଶର ଆଶା। ଯେତେେବଳେ ୨୦୦୦ ମସିହାରେ କାଶିପୁରଠାରେ ବକ୍ସାଇଟ କାରଖାନା ବିରୋଧରେ ଆନ୍ଦୋଳନ ହେଲା ସେତେବେଳେ ପୁଲିସ ଗୁଳିମାଡ଼ରେ ଅନେକଙ୍କର ମୃତ୍ୟୁ ହେଲା। ନିରୀହ ଲୋକଙ୍କର ନ୍ୟାଯ୍ୟ ପରିବେଶ ନ୍ୟାୟ ପାଇଁ େହାଇଥିବା ମୃତ୍ୟୁ ତତ୍କାଳୀନ ଭାରତର ରାଷ୍ଟ୍ରପତି କେ.ଆର.ନାରାୟଣନଙ୍କୁ ବ୍ୟଥିତ କରିଥିଲା। ସେ ତାଙ୍କର ୨୦୦୧ ମସିହାର ଗଣତନ୍ତ୍ରର ପୂର୍ବସନ୍ଧ୍ୟା ଭାଷଣରେ କହିଥିଲେ ‘ଏମିତି କେହି ନକହୁ ଯେ ଭାରତର ଗଣତନ୍ତ୍ର ତା’ର ଦ୍ରୁତ ବିକାଶ କରିବାକୁ ଯାଇ ସବୁଜ ପୃଥିବୀ ଓ ମାଟିକୁ ଧ୍ବଂସ କରିଛି। ଆମେ ସମଗ୍ର ବିଶ୍ବକୁ ଦେଖାଇ ପାରିବା ଯେ ଏହି ଦେଶ ଯେଉଁଠି ସହିଷ୍ଣୁତା ଓ କରୁଣା ଅଛି ସେଇଠି ସମସ୍ତଙ୍କର ବଞ୍ଚିରହିବା ପାଇଁ ସୁଯୋଗ ଅଛି।’
ସ୍ବରାଜ ସମ୍ବନ୍ଧରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ କହିଥିଲେ ଯେ ତାହା ଜନ୍ମସିଦ୍ଧ ଅଧିକାର ଓ ମହାତ୍ମା ଗାନ୍ଧି ଯାହାର ଅର୍ଥ ବୁଝୁଥିଲେ ଶୁଦ୍ଧ ପାଣି, ପବନ ଓ ପ୍ରଚୁର ଶସ୍ୟ, ତାହା ରହିଛି ପରିବେଶ ନ୍ୟାୟ ପାଇଁ ଲୋକଙ୍କର ସଂଘର୍ଷ ଭିତରେ।
ମହାନ ବିପ୍ଳବୀ କାର୍ଲମାର୍କସ୍, ଯାହାଙ୍କର ୨୦୦ତମ ଜନ୍ମ ସମଗ୍ର ପୃଥିବୀରେ ପାଳନ କରାଯାଉଛି, ଊନବିଂଶ ଶତାବ୍ଦୀେର ଲେଖିଥିଲେ- ‘‘ଗୋଟିଏ ପୂରା ସମାଜ, ଦେଶ ବା ଅନ୍ୟ ସବୁ ସମାଜ ଏକାଠି ମିଶି କହିପାରିବେ ନାହିଁ ଯେ ଏ ପୃଥିବୀର ସେମାନେ ମାଲିକ। ସେମାନେ କେବଳ ଏ ପୃଥିବୀର ଉତ୍ତରାଧିକାରୀ, ହିତାଧିକାରୀ ଏବଂ ଆଗାମୀ ଓ ପରବର୍ତ୍ତୀ ପିଢ଼ି ପାଇଁ ଏ ପୃଥିବୀକୁ ଉନ୍ନତ ଅବସ୍ଥାରେ ଛାଡ଼ି ଯିବା ତାଙ୍କର ଦାୟିତ୍ବ।’’
ଆମେ କେମିତି ଉନ୍ନତ ଅବସ୍ଥାରେ ଏ ପୃଥିବୀକୁ ପରବର୍ତ୍ତୀ ପିଢ଼ିକୁ ଛାଡ଼ିପାରିବୁ? ଯଦି ସଂଘର୍ଷରତ ଏହି ପିଢ଼ିର ଲୋକଙ୍କୁ ପୁଲିସ ଗୁଳିର ଶିକାର ହେବାକୁ ପଡ଼ିବ, ତେବେ ଗାନ୍ଧିଙ୍କର ସ୍ବରାଜ ଯେଉଁଥିରେ ଶୁଦ୍ଧ ପାଣି, ଶୁଦ୍ଧ ପବନ ଓ ପ୍ରଚୁର ଶସ୍ୟ ସମସ୍ତଙ୍କୁ ମିଳିବା କଥା ତାହା େକବେ ମିଳିପାରିବ ନାହିଁ। ଏଥିପାଇଁ ଦରକାର ଲୋକଯୁକ୍ତି, ସହନଶୀଳତା ଓ କରୁଣା; ପୁଲିସର ଗୁଳି ନୁହେଁ।