ଡମ୍ପର ଧକ୍କାରେ ବୃଦ୍ଧା ମୃତ

ଯୋଡା: ବିପର୍ଯ୍ୟସ୍ତ ରାସ୍ତାଘାଟ ସହ ମାତ୍ରାଧିକ ପ୍ରଦୂଷଣ ଓ ବେପରୁଆ ଖଣିଜ ସମ୍ପଦ ବୋଝେଇ ଭାରୀଯାନ ଚଳାଚଳ କାରଣରୁ ଯୋଡା ଖଣି ମଣ୍ଡଳରେ ସଡକ ଦୁର୍ଘଟଣା ଜନିତ ଜନ ଓ ଧନ ହାନୀ ଏକ ନିତି ଦିନିଆ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ଉଗ୍ର ପ୍ରଦୂଷଣ ସମେତ ଅନିୟନ୍ତ୍ରିତ ଟ୍ରାଫିକ୍‍ ସମସ୍ୟା କାରଣରୁ ସାଧାରଣ ଯାତାୟତ ଗୁରୁତର ରୂପେ ପ୍ରଭାବିତ ହୋଇଥିବା ସମୟରେ ଦୈନିକ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା କାରଣରୁ ଲୋକେ ଘରୁ ବାହାରିବା ନିମନ୍ତେ ନିରାପଦ ମଣୁ ନାହାନ୍ତି। ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟିରୁ ପଳାଶପଙ୍ଗା ଅଭିମୁଖେ ଯାଇଥିବା ବିଜୁ ପଟ୍ଟନାୟକ ଏକ୍ସପ୍ରେସ ହାଇୱେ-୨ ଅନ୍ତର୍ଗତ ଯୋଡା ସହରସ୍ଥିତ ଲାଲ ପେଟ୍ରୋଲ ପମ୍ପ ସନ୍ନିକଟରେ ଶୁକ୍ରବାର ଅପରାହ୍ନରେ ଓଆର-୧୪ଭି-୧୯୩୫ ନମ୍ବର ଏକ ଡମ୍ପର ଜୈନିକା ବୃଦ୍ଧାଙ୍କୁ ସିଧା ସଳଖ ଧକ୍କା ଦେବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାର ଖବର ମିଳିଛି।

ଦୁର୍ଘଟଣା ପରେ ଡମ୍ପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସମୟରେ ଡମ୍ପରଟିକୁ ଯୋଡା ପୁଲିସ ଜବତ କରିଥିବାର ଖବର ମିଳିଛି। ଖବରରୁ ପ୍ରକାଶ,ଯୋଡା ଥାନା ଅନ୍ତର୍ଗତ କୁନ୍ଦୁରୁନାଲା ବସ୍ତିର ଲକ୍ଷ୍ମୀ ପାତ୍ର (୫୨) ଶୁକ୍ରବାର ଅପରାହ୍ନରେ ପନି ପରିବା କିଣି ନିଜ ଘରକୁ ଫେରୁଥିବା ଅବସରରେ ଏଭଳି ଅଭାବନୀୟ ସଡକ ଦୁର୍ଘଟଣା ସଂଗଠିତ ହୋଇଥିବାର ଖବର ମିଳିଛି। ଅଚେତ ଅବସ୍ଥାରେ ଲକ୍ଷ୍ମୀଙ୍କୁ ତୁରନ୍ତ ସ୍ଥାନୀୟ ଯୋଡା ଟାଟା ଷ୍ଟିଲ୍‍ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Comments are closed.