‘ମୋଦି କେୟାର’ ଢ଼ାଞ୍ଚାରେ ସରକାର ଆଣୁଛନ୍ତି ନୂଆ ଯୋଜନା

0

ନୂଆଦିଲ୍ଲୀ : ‘ମୋଦି କେୟାର’ ଶୈଳୀରେ କେନ୍ଦ୍ର ସରକାର ଦେଶର ୫୦୦ନିୟୁତ କର୍ମଜୀବୀଙ୍କ ପାଇଁ ନୂଆ ମହଦାକାଙ୍‍କ୍ଷୀ ଯୋଜନା ଆଣୁଛନ୍ତି। ଏହି ଯୋଜନାରେ କର୍ମଜୀବୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଜୀବନ ବୀମା, ମାତୃତ୍ୱକାଳୀନ ସୁବିଧା ପ୍ରଦାନ ପାଇଁ ବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ଏହାଛଡ଼ା ଅସଂଗଠିତ ଶ୍ରମିକ ଶ୍ରେଣୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ପ୍ରସ୍ତାବିତ ଏହି ଯୋଜନା ସାଧାରଣ ଜନତାଙ୍କୁ ଲାଭ ଦେବା ଭଳି ଭାରତର ସର୍ବବୃହତ୍‍ ଯୋଜନା ହେବ ବୋଲି କୁହାଯାଉଛି। ସରକାରଙ୍କ ଉପରେ ଏହା ବଡ଼ ଧରଣର ଆର୍ଥିକ ଚାପ ପକାଇବାର ଆଶଙ୍କା ଥିଲେ ମଧ୍ୟ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ। ତେବେ ଏହି ଯୋଜନାରେ ବେରୋଜଗାରୀ ଭଳି ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ପ୍ରଧାନମନ୍ତ୍ରୀ ୨୦୧୯ ସାଧାରଣ ନିର୍ବାଚନକୁ ଲକ୍ଷ୍ୟରଖି ଏହି ଯୋଜନା ପ୍ରଣୟନ କରିବାକୁ ନିର୍ଦେଶ ଦେଇଛନ୍ତି; କିନ୍ତୁ ସ୍ୱଳ୍ପ ଅବଧି ଓ ଅର୍ଥକୁ ନେଇ ସରକାର ଚାପରେ ଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ୧୦୦ନିୟୁତ ଗରିବ ପରିବାରଙ୍କ ପାଇଁ ସରକାର ବଜେଟରେ ‘ମୋଦି କେୟାର’ ଯୋଜନା ଘୋଷଣା କରିଥିଲେ। ଏବେ ନୂଆ ଯୋଜନା ଘୋଷଣା କରାଗଲେ ଅର୍ଥ ବ୍ୟବସ୍ଥା ସମସ୍ୟା ହେବ ବୋଲି ବିଚାର କରାଯାଉଛି।
ସୂଚନାନୁଯାୟୀ, ଏ ନେଇ ସରକାର ଚିଠା ବିଧେୟକ ପ୍ରସ୍ତୁତ କରିଛନ୍ତି; ଆବଶ୍ୟକ ପଡ଼ିଲେ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଏହାକୁ ଆଗତ କରିବେ କିମ୍ବା ଯେ କୌଣସି ସମୟରେ ଘୋଷଣା କରପାରନ୍ତି। ବିଶେଷକରି ଅସଂଗଠିତ ଶ୍ରମିକଙ୍କ ସୁରକ୍ଷା ପାଇଁ ୧୫ଟି ପ୍ରଚଳିତ ଶ୍ରମ ଆଇନରେ ସଂଶୋଧନ ଅଣାଯିବ ଓ ଏହାକୁ ସରଳ କରାଯାଇ ଗୋଟିଏ କରାଯିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର। ସରକାର ଦେଶର ତଳସ୍ତରରେ କାର୍ଯ୍ୟରତ ଅର୍ଦ୍ଧେକ କର୍ମଜୀବୀଙ୍କ ପାଇଁ ଚିନ୍ତିତ ଅଛନ୍ତି ଓ ଶ୍ରମିକ ଶ୍ରେଣୀଙ୍କ ସାମାଜିକ ସୁରକ୍ଷା ପାଇଁ ଏହା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ଦେଶର ୯୦ପ୍ରତିଶତ କର୍ମଜୀବୀ ଅସଂଗଠିତ ବର୍ଗରେ ରହିଛନ୍ତି ଓ ସେମାନେ ସରକାରଙ୍କ ନୂଆ ଯୋଜନା ଦ୍ୱାରା ବେଶ୍‍ ଉପକୃତ ହେବେ ବୋଲି ଗଙ୍ଗୱାର ଆଶା ବ୍ୟକ୍ତ କରିଛନ୍ତି।

Leave A Reply