ସୁନନ୍ଦା ପୁଷ୍କର ମୃତ୍ୟୁ: ଶଶି ଥରୁର ଉପରେ ଚାଲିବ ମାମଲା

0

ନୂଆଦିଲ୍ଲୀ: ପଟିଆଲା କୋର୍ଟ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ପତ୍ନୀ ସୁନନ୍ଦା ପୁଷ୍କାର ମୃତ୍ୟୁ ମାମଲାରେ ଦାୟୀ କରିଛନ୍ତି। ଏହି ମାମଲାରେ କୋର୍ଟ ପକ୍ଷରୁ ଶଶି ଥରୁରଙ୍କୁ ସମନ କରିବା ସହ ତାଙ୍କୁ ଜୁଲାଇ ୭ରେ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଶଶି ଥରୁରଙ୍କ ବିରୋଧରେ ମାମଲା ପରିଚାଳନା କରିବ ନିମନ୍ତେ କୋର୍ଟ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ ବିଚାରପତି ସମର ବିଶାଳ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଏହି ମାମଲାରେ ତଦନ୍ତ କରୁଥିବା ଦିଲ୍ଲୀ ପୁଲିସର ଏସଆଇଟି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀଙ୍କୁ ଆତ୍ମହତ୍ୟା କରିବା ନିମନ୍ତେ ପ୍ରୋତ୍ସାହିତ କରିଥିବା ଦର୍ଶାଇଛନ୍ତି।
୪ବର୍ଷ ପୂର୍ବେ ୧୭ଜାନୁୟାରୀ ୨୦୧୪ ଦିଲ୍ଲୀ ସ୍ଥିତ ଲୀଲା ପ୍ୟାଲେସ ନାମକ ଏକ ପଞ୍ଚ ତାରକା ହୋଟେଲରେ ୫୭ବର୍ଷିୟା ସୁନନ୍ଦାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ପ୍ରାରମ୍ଭରେ ଏହାକୁ ଏକ ଆତ୍ମହତ୍ୟା ମାମଲା ପରି ଲାଗୁଥିଲେ ମଧ୍ୟ ଅଧିକ ତଦନ୍ତ ପରେ ପୁଲିସ କାହାରି ନାମ ଉଲ୍ଲେଖ ନକରି ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଉଭୟଙ୍କ ବିବାହ ୨୦୧୦ରେ ହୋଇଥିଲେ ମଧ୍ୟ ୨୦୧୪ଜାନୁୟାରୀ ୧୫ରେ ପାକିସ୍ତାନର ମେହେର ତାରାର ନାମକ ଜନୈକା ସାମ୍ବାଦିକଙ୍କ ସହ ଶଶି ଥରୁରଙ୍କ ଟ୍ୱିଟରରେ ବାର୍ତ୍ତାଳାପ ବିବାଦର କାରଣ ପାଲଟିଥିଲା। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ସେପଟେ ପାକିସ୍ତାନୀ ସାମ୍ବାଦିକ ଶଶିଙ୍କ ସହ ତାଙ୍କ ସମ୍ପର୍କକୁ ଅସ୍ୱୀକାର କରିଥିଲେ। ଏପଟେ ଶଶି ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‍ ହୋଇ ଯାଇଥିବା ଅଭିଯୋଗ କରିଥିଲେ। ତେବେ ଘଟଣାକୁ ନେଇ ଉଭୟଙ୍କ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବା ସହ ସୁନନ୍ଦାଙ୍କ ହଠାତ୍‍ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇ ଯାଇଥିଲା।

ଏହି ମାମଲାରେ ଲୀଲା ପ୍ୟାଲେସ କର୍ତ୍ତୁପକ୍ଷଙ୍କୁ ସମ୍ପୃକ୍ତ ବୋଲି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଅଭିଯୋଗ କରିଛନ୍ତି। ସୁନନ୍ଦାଙ୍କୁ ହତ୍ୟା କରାଯାଇଛି ଏଭଳି ଅଭିଯୋଗ ଶ୍ରୀ ସୁବ୍ରମଣ୍ୟମ ପୂର୍ବରୁ ଏକାଧିକ ଥର ଗଣମାଧ୍ୟମରେ କରିଛନ୍ତି। ଘଟଣା ଦିନ ଓ ଏହା ପୂର୍ବରୁ ସୁନନ୍ଦା ରହିଥିବା କୋଠରୀର ଆଖପାଖ ସିସି ଟିଭି ଫୁଟେଜକୁ ହୋଟେଲ କର୍ତ୍ତୁପକ୍ଷ ଜାଣିଶୁଣି ନଷ୍ଟ କରିଦେଇଛି ବୋଲି ସୁବ୍ରମଣ୍ୟମ ଅଭିଯୋଗ କରିଛନ୍ତି।

Leave A Reply