୮୧ ପିଲାଙ୍କୁ ୧ ଲିଟର କ୍ଷୀର – ଜଣକୁ କେତେ?
ସୋନଭଦ୍ରା(ୟୁପି): ଗୋଟିଏ ଲିଟର କ୍ଷୀର ପିଇଲେ ୮୧ ଜଣ ପିଲା। ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ। ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଚୋପାନ ଅଞ୍ଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ଅନୁଯାୟୀ ଚୋପାନ ଅଞ୍ଚଳର ଏକ ସରକାରୀ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପାଚିକାଙ୍କୁ ଏକ ଲିଟର କ୍ଷୀର ଯୋଗାଇ ଦିଆଯାଇଥିଲା। ଆଉ ଏହି କ୍ଷୀର ସମସ୍ତ ପିଲାଙ୍କୁ ଦେବାକୁ ନିର୍ଦ୍ଦେଶ ରହିଥିଲା।
ପରିସ୍ଥିତିକୁ ଦେଖି ପାଚିକା ଜଣଙ୍କ ଏକ ଲିଟର କ୍ଷୀରରେ ବାଲଟିଏ ପାଣି ମିଶାଇଥିଲେ। ଏହାପରେ ପାଣି ମିଶା କ୍ଷୀରକୁ ଉପସ୍ଥିତ ଥିବା ୮୧ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟି ଥିଲେ। ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଚୋପାନ ଥାନାରେ ଏକ ଏତଲା ଦାୟର କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ନିଲମ୍ବନ କରାଯିବା ସହିତ ଶିକ୍ଷାମିତ୍ରଙ୍କୁ ବହିଷ୍କାର କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଲାଗି ଶିକ୍ଷା ନିର୍ଦେଶାଳୟକୁ ଚିଠି ଲେଖାଯାଇଥିବା ଜିଲାପାଳ ଏସ୍ ରାଜଲିଙ୍ଗମ କହିଛନ୍ତି। ମଧ୍ୟାହ୍ନ ଭୋଜନ ନିୟମ ଅନୁସାରେ ପ୍ରତି ପିଲାକୁ ୧୫୦ ମିଲି କ୍ଷୀର ମିଳିବା ଉଚିତ।
Comments are closed.