ଏଥର ଥ୍ରୀ ଡିକୁ ଗୁରୁତ୍ୱ

0

ଭୁବନେଶ୍ୱର: ପୂର୍ବରୁ ସ୍ୱଚ୍ଛ, ସଫଳ ଓ ଉତ୍ତରଦାୟୀ ଶାସନ ପାଇଁ ଥ୍ରୀ ଟି(ଟ୍ରାନ୍ସପରେନ୍ସି, ଟିମ୍‍ ୱାର୍କ ଓ ଟେକ୍‍ନୋଲଜି)କୁ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥ୍ରୀ ଡି – ଡିଟରମିନେସନ୍‍(ଦୃଢ଼ ପ୍ରତିଜ୍ଞା), ଡେଡିକେସନ୍‍(ସମର୍ପଣ), ଡିଭୋସନ୍‍(ଅନୁରାଗ)କୁ ଗୁରୁତ୍ୱ ଦେଇଛନ୍ତି।

ବିଜେଡି ଶାସନର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାକୁ ସଶକ୍ତ କରିବା ପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାର ଚାରିକୋଟି ଲୋକ ଏଥିପାଇଁ ବିଜେଡି ଉପରେ ଆସ୍ଥା ସ୍ଥାପନ କରିଥିବାରୁ ସେମାନେ ଧନ୍ୟବାଦାର୍ହ। ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦେବାଠାରୁ ଆରମ୍ଭ କରି ଗ୍ରାମ ଓ ଅନୁନ୍ନତ ଅଞ୍ଚଳକୁ ସଡ଼କ ନିର୍ମାଣ ଆଦି ସବୁ କ୍ଷେତ୍ରରେ ବିକାଶ ସାଧନକୁ ଓଡ଼ିଶା ସରକାର ଗୁରୁତ୍ୱ ଦେଇଛନ୍ତି। ୧୧ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ୯ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ୍‍ ଦିଆଯାଇଛି। ଦେଶରେ ଏହା ଏକ ରେକର୍ଡ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

prayash

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଆଉ ୯ଟି ମେଡିକାଲ୍‍ କଲେଜ୍‍ ଖୋଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୪ଟି କଲେଜ୍‍ ପ୍ରତିଷ୍ଠା ହୋଇସାରିଛି। ୯ଟି ଜିଲାରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ ପାଇଁ ନିଷ୍ପତ୍ତି ହୋଇଛି। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇପାରିଛି। ୩୦ ଲକ୍ଷ ମହିଳା ମମତା ଯୋଜନାରେ ଉପକୃତ ହୋଇଛନ୍ତି। ଏକାଧିକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ୱର କ୍ରୀଡ଼ା ହବ୍‍ର ମାନ୍ୟତା ପାଇବାକୁ ଯାଉଛି।
ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ମନ୍ତିମଣ୍ଡଳ ପରିଷଦର ବୈଠକରେ ଆଲୋଚନା କରିଥିଲେ।

 ବିକାଶ ନାମରେ ହୋଇଛି ବିନାଶ: କଂଗ୍ରେସ


ଅପରପକ୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଶାସନ ଅମଳରେ ଓଡ଼ିଶାର ବିକାଶ ନୁହେଁ ବରଂ ବିନାଶ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଜେଡିର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଗତ ଚାରିବର୍ଷ ମଧ୍ୟରେ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଛି। ଚାଷୀମାନେ ହତାଶ ହୋଇଛନ୍ତି। ଶିଳ୍ପ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜ୍ୟ ପଛରେ ପଡ଼ିଯାଇଛି। ଗତ ମାଟ୍ରିକ୍‍ ପରୀକ୍ଷାରେ ୩୦ଟି ସ୍କୁଲ୍‍ରେ ପାସ୍‍ ହାର ଶୂନ ରହିଛି। ଗାଁ ଗଣ୍ଡାରେ ଡାକ୍ତର ନାହାନ୍ତି। ଅର୍ଥନୈତିକ ସର୍ଭେରେ ଓଡ଼ିଶା ଗରିବ ବୋଲି ଦର୍ଶାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର କାମ କମ୍‍ କରୁଥିବା ବେଳେ ଅଧିକ ଆତ୍ମପ୍ରଚାର କରୁଛନ୍ତି। କେବଳ ଭାଷଣରେ ପେଟ ପୁରେନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୋଦି ପ୍ରଥମେ ଛତିଶଗଡ଼ର କଲ୍‍ମା ବ୍ୟାରେଜ୍‍ ବନ୍ଦ କରି ଓଡ଼ିଶା ଆସନ୍ତୁ। ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରନ୍ତୁ।

Leave A Reply