ବାତ୍ୟା ସହାୟତା ଘୋଷଣା କଲେ ନବୀନ: ୧୮ ସୁଦ୍ଧା ରିପୋର୍ଟ, ୨୪ ସୁଦ୍ଧା ସହାୟତା ବଣ୍ଟନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଲୋକସେବା ଭବନରେ ବାତ୍ୟା ବୁଲବୁଲରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲାର ଜିଲାପାଳଙ୍କୁ ୧୮ ତାରିଖ ସୁଦ୍ଧା ଏସଆରସିକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସହାୟତା ବଣ୍ଟନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଛନ୍ତି।
ରାଜ୍ୟର ୬ଟି ଜିଲା ଭଦ୍ରକ , ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଏବଂ ମୟୁରଭଞ୍ଜ ବାତ୍ୟା ବୁଲବୁଲ ଦ୍ୱାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫସଲ ନଷ୍ଟ ହେବା ସହ ଧନ ହାନୀ ମଧ୍ୟ ହୋଇଛି। ଆଗାମୀ ଦୁଇଦିନ ମଧ୍ୟରେ ଭିତ୍ତିଭୂମିର ପୁନରୁଦ୍ଧାର ସହିତ ବିଦ୍ୟୁତ ସଂଯୋଗ ନ ଆସିବା ପର୍ଯ୍ୟନ୍ତ ଜେନେରଟର ବ୍ୟବହାର କରି ଜଳ ଯୋଗାଣ ଚାଲୁ ରଖିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଚ୍ଛା ୬ ହଜାର ୮୦୦ ଟଙ୍କା ଇନପୁଟ ସବସିଡ଼ି, ଜଳସେଚିତ ଜମିରେ ହେକ୍ଟର ପିଚ୍ଛା ୧୩ ହଜାର ୫ ଶହ ଟଙ୍କା ଏବଂ ସବୁ ଦିନିଆ ଫସଲ ପାଇଁ ୧୮ ହଜାର ଟଙ୍କା ଘୋଷଣା କରାଯାଇଛି। ରବି ଫସଲ ୨୦୧୯-୨୦ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ୧୦ ହଜାର ପରିବାରକୁ ୫୦ ହଜାର ବିହନ ମିନି କିଟ୍ ଦିଆଯିବ। ୫୦ ୟୁନିଟ ପର୍ଯ୍ୟନ୍ତ କ୍ଷତି ପାଇଁ ଛତୁ ଚାଷୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ। ୩୩ ପ୍ରତିଶତ ବା ତଦୁର୍ଦ୍ଦ କ୍ଷତି ହୋଇଥିବା ଚାଷୀଙ୍କୁ ସ୍ବଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।
ସେହିପରି କ୍ଷୀର ଦେଉଥିବା ଗାଈ, ମଇଁଷି ପାଇଁ ୩୦ ହଜାର ଟଙ୍କା ଏବଂ କ୍ଷୀର ଦେଉ ନ ଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ। ବାଛୁରୀ ପାଇଁ ୧୬ ହଜାର, ଛେଳି, ମେଣ୍ଢା ପାଇଁ ୩ ହଜାର ଟଙ୍କା ଓ କୁକୁଡ଼ା ପାଇଁ ମୁଣ୍ଡ ପିଛା ୫୦ ଟଙ୍କା ଦିଆଯିବ। ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨ ହଜାର ୨ ଶହ ଟଙ୍କା ଏବଂ ଇନପୁଟ ସବସିଡ଼ି ଭାବରେ ହେକ୍ଟର ପିଚ୍ଛା ୮ ହଜାର ୨ଶହ ଟଙ୍କା ସହାୟତା ଦିଆଯିବ। ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪ ହଜାର ୧ଶହ ଟଙ୍କା, ଜାଲ ପାଇଁ ୨ ହଜାର ୧ଶହ ଟଙ୍କା, ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜାଲ ପାଇଁ ୨ହଜାର ୬ଶହ ଟଙ୍କା ସହାୟତା ଦିଆଯିବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର,ସ୍ବତନ୍ତ୍ର ରିଲିଫ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ।
Comments are closed.