BJD Bijuli 480×75 Mob

ଜଳବାୟୁରେ ପରିବର୍ତ୍ତନ, ବଢ଼ୁଛି ତାପମାତ୍ରା ତଥାପି ରାସ୍ତା ପ୍ରଶସ୍ତୀକରଣ ନାଁରେ କଟାଗଲାଣି ୨ ଶହରୁ ଊର୍ଦ୍ଧ୍ବ ଗଛ, ଟ୍ରି ଟ୍ରାନ୍ସପ୍ଲାଣ୍ଟିଂ ହେଲେ ମିଳନ୍ତା ଫାଇଦା

BJD Bijuli 480×75 Mob

ବାଲେଶ୍ବର(ଜଗନ୍ନାଥ ଖଟୁଆ): ବାଲେଶ୍ବର ସହରରେ ଏବେ ଚାଲିଛି ରାସ୍ତା ପ୍ରଶସ୍ତୀକରଣ ଓ ଡ୍ରେନ ନିର୍ମାଣ କାର୍ଯ୍ୟ। ସହରକୁ ସୁନ୍ଦର, ଆକର୍ଷଣୀୟ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେଉଛି। ଲୋକ ସଂଖ୍ୟା ବଢ଼ୁଥିବାରୁ ଜନଗହଳିକୁ ଆଖି ଆଗରେ ରଖି ଏହି କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପ୍ରାଶାସନିକ ଅଧିକାରୀମାନେ ମଧ୍ୟ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ଏହି କାର୍ଯ୍ୟକୁ ତଦାରଖ କରୁଥିବା ଦେଖିବାକୁ ମିଳୁଛି। ତେବେ ରାସ୍ତା ପ୍ରଶସ୍ତୀକରଣ ଆଳରେ ସହରବାସୀଙ୍କ ପାଇଁ ସବର୍ନାଶ କରାଯାଉଛି। ଏଥିପ୍ରତି କାହାରି ଦୃଷ୍ଟି ନଥିବାବେଳେ ସମସ୍ତେ ଜାଣି ନିରବ ରହୁଛନ୍ତି। ରାସ୍ତା କଡ଼ରେ ଥିବା ବହୁ ପୁରୁଣା ଗଛ କଟା ଚାଲିଛି। ସହର ଏବେ ଟାଙ୍ଗରା ଭୂଇଁ। ଜାତୀୟ ରାଜପଥରୁ ବାଲେଶ୍ବର ସହରକୁ ପ୍ରବେଶ କଲାବେଳେ କୁରୁଡ଼ା ଛକରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ପ୍ରାୟ ୨ ଶହରୁ ଅଧିକ ଗଛର ଗଣ୍ଡି ମାଟିରେ ଗଡ଼ୁଛି।

କିଛି ଦିନ ପୂର୍ବରୁ ସବୁଜିମାମୟ ଥିବା ସହରର ପ୍ରବେଶ ଦ୍ବାର ଏବେ ଫାଙ୍କା ଫାଙ୍କା ଦିଶୁଛି। ଏଭଳି ସ୍ଥିତିରେ ବାଲେଶ୍ବର ସହର​‌ରେ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଦିନକୁ ଦିନ ଏଠାରେ ତାପମାତ୍ରା ବଢ଼ିବାରେ ଲାଗିଛି। ବର୍ଷା ଋତୁରେ ପ୍ରବଳ ଖରା ହେଉଥିବାବେଳେ ଶୀତରେ ପ୍ରଚୁର ବର୍ଷା ହେଉଛି। ପୁଣି ଆଇଟିଆଇ ଛକରୁ ଫକୀରମୋହନ ଗୋଲେଇ ଯାଏ ପ୍ରବଳ ଖରା ହେଉଥିବାବେଳେ ସହରର ଉପକଣ୍ଠ ମେଘଡମ୍ବୁର ଓ ସ୍ବସ୍ତିନଗରରେ ବର୍ଷା ହେଉଛି। ଏସବୁକୁ ଦୃଷ୍ଟିରେ ରଖି ବାଲେଶ୍ବରର ବିକାଶମୂଳକ କାର୍ଯ୍ୟରେ ଗଛ କଟା ନଯାଇ ଟ୍ରି ଟ୍ରାନ୍ସପ୍ଲାଣ୍ଟିଂ ହେଲେ ଫାଇଦା ମିଳନ୍ତା ବୋଲି ପରିବେଶବିତମାନେ ମତ ଦିଅନ୍ତି।
ପରିବେଶବିତ ତଥା ଗବେଷିକା ମେଧା ନାୟକ କହନ୍ତି, ବିଶ୍ବର ଅନେକ ଦେଶରେ ବଡ଼ ବଡ଼ କୋଠା ଘରକୁ ସ୍ଥାନାନ୍ତର କରାଯାଇପାରୁଛି। ଟ୍ରି ଟ୍ରାନ୍ସପ୍ଲାଣ୍ଟିଂ ଅତି ସହଜ କଥା। ଆମେରିକା, ଅଷ୍ଟ୍ରେଲିଆ, ଉତ୍ତର କୋରିଆ, ଚୀନ, ହଂକଂ, କାନାଡ଼ା, ଭାରତ ଭଳି ଦେଶରେ ଏହି କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଥିବାର ନଜିର ରହିଛି। ଚାରା ରୋପଣ, ପରିବେଶ ସୁରକ୍ଷା, ବାୟୁ ଓ ଜଳ ପ୍ରଦୂଷଣ ଆଦିକୁ ରୋକିବା ପାଇଁ ସରକାର ସଭା ସମିତି ଏବଂ ଶୋଭାଯାତ୍ରା ​କରି ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ଛୋଟ ଚାରାଟିଏ ବଡ଼ ହେବା ପାଇଁ ଆଦର ଯତ୍ନ ସହ ଯାହା ଖର୍ଚ୍ଚ ହେଉଛି ସେହି ଟଙ୍କାରେ ପରିବେଶକୁ ସୁରକ୍ଷା ଦେଉଥିବା ବଡ଼ ବଡ଼ ଗଛକୁ ଟ୍ରାନ୍ସପ୍ଲାଣ୍ଟିଂ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରନ୍ତା ବୋଲି ସେ କହିଛନ୍ତି। ଓଟି ରୋଡ଼ କଡ଼ରେ ପଡ଼ିଥିବା ଗଛର ମୂଳକୁ ଅନ୍ୟ ସ୍ଥାନରେ ରୋପଣ କରାଯିବାକୁ ଅନେକ ମତ ଦେବା ଦେବା ସହ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି ପରିସରରେ ଗତ ସେପ୍ଟେମ୍ବର ମାସରେ ୧୧୧ଟି ଅଶ୍ବତ୍ଥ ଓ ବର ଭଳି ବଡ଼ ବଡ଼ ଗଛକୁ ସ୍ଥାନାନ୍ତର କରାଯାଇଛି। ଏହା ଜଣାପଡ଼ିବା ପରେ ପରିବେଶ ସୁରକ୍ଷା ଦିଗରେ ଏହା ଖୁବ ପ୍ରଶଂସନୀୟ କାର୍ଯ୍ୟ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ସେମିତି ବେଙ୍ଗାଲୁରୁରେ ୧୦୮ଟି ଗଛକୁ ସ୍ଥାନାନ୍ତର କରାଯାଇଥିବାବେଳେ ସବୁ ଗଛଗୁଡ଼ିକ ସଜୀବ ରହିଛି। ମୁମ୍ବାଇର ସିଟି ଏୟାରପୋର୍ଟ ରନୱେ ନିକଟରେ ଥିବା ୧୮ଟି ନଡ଼ିଆ ଗଛକୁ ସ୍ଥାନୀୟ ମହାନଗର ନିଗମ ବୃହନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଛି। ଗଛଗୁଡ଼ିକୁ ସେଠାରୁ ନିଆଯାଇ ସମୁଦ୍ର କୂଳରେ ପୁନଃରୋପଣ କରାଯିବା ପାଇଁ ସେପ୍ଟେମ୍ବର ୨୭ ତାରିଖରେ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି।
ସେହିପରି ବିହାରରେ ଚାଲିଥିବା ୬ ଲେନ ବିଶିଷ୍ଟ ଆର-ବ୍ଲକ-ଦିଘା ରୋଡ଼ ନିର୍ମାଣ କାର୍ଯ୍ୟରେ ଅନେକ ଗଛ କଟାଯିବାର ପରିସ୍ଥିତି ଉପୁଜିଥିଲା। ମାତ୍ର ହାଇଦ୍ରାବାଦର ରାମଚନ୍ଦ୍ର ଆପ୍ପାରୀଙ୍କ ନେତୃତ୍ବରେ କାର୍ଯ୍ୟ କରୁଥିବା ଫାର୍ମ- ଗ୍ରୀନ ମର୍ଣ୍ଣିଂ ହର୍ଟିକଲଚର ସର୍ଭିସେସ ପ୍ରାଇଭେଟ ଲିମିଟେଡ(ଜିଏମଏଚଏସପିଏଲ) ସହଯୋଗରେ ଟ୍ରି ଟ୍ରାନ୍ସପ୍ଲାଣ୍ଟିଂ ପ୍ରୋଜେକ୍ଟ ମାଧ୍ୟମରେ ୨୦ଟି ଗଛ ପ୍ରଶସ୍ତୀକରଣ ହେଉଥିବା ରାସ୍ତା କଡ଼ରୁ ସହଜରେ ସଫଳ ସ୍ଥାନାନ୍ତର କରାଯାଇଛି। ଏବେ ସେଠାରେ ବର୍ଷା ଲାଗି ରହିଥିବାରୁ ଏହି କାର୍ଯ୍ୟ ବନ୍ଦ ରଖାଯାଇଛି। ପାଟନା ସହରରେ ଗଛ କଟା ନଯାଇ ପ୍ରାୟ ୮୦ ଶତକଡ଼ା ଟ୍ରି ଟ୍ରାନ୍ସପ୍ଲାଣ୍ଟିଂ କରିବା ପାଇଁ ଏହି ସଂସ୍ଥା ନିଷ୍ପତ୍ତି ନେଇଛି। ସେହିପରି ପୁନେରୁ ହାଇଦ୍ରାବାଦ ରେଳ ପ୍ରୋଜେକ୍ଟ କାର୍ଯ୍ୟରେ ଗଛ ସ୍ଥାନାନ୍ତର କରିବା ଏବଂ ଅହମ୍ମଦାବାଦରୁ ମୁମ୍ବାଇ ବୁଲେଟ ଟ୍ରେନ ପ୍ରୋଜେକ୍ଟ କାର୍ଯ୍ୟରେ ମଧ୍ୟ ଶ୍ରୀ ଆପ୍ପାରୀ ଗଛ ସ୍ଥାନାନ୍ତର କରିବା ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି। ବୁଲେଟ ଟ୍ରେନ ପ୍ରୋଜେକ୍ଟରେ ସେ ଓ ତାଙ୍କର ଟିମ ୫ ହଜାରରୁ ଅଧିକ ଗଛ ପୁନଃରୋପଣ କରିବାର ଯୋଜନା ରଖିଛନ୍ତି। ଶ୍ରୀ ଆପ୍ପାରୀ ଓଡ଼ିଶା ଜଙ୍ଗଲ ବିଭାଗ ଅଧୀନ ବାଲୁଗୁଡ଼ା ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟରେ ଗଛ ସ୍ଥାନାନ୍ତର ପାଇଁ କାମ କରୁଛନ୍ତି।
ପ୍ରକାଶ ଥାଉକି, ଗତ ଫେବୃଆରୀ ୧୦ ତାରିଖରେ ଓଡ଼ିଶାର ଗଞ୍ଜାମ ଜିଲାର ବ୍ରହ୍ମପୁର ସହରରେ ବ୍ରହ୍ମପୁର ସବୁଜ ବାହିନୀ ସହଯୋଗରେ ରାସ୍ତା କଡ଼ରୁ ଏକ ବର ଗଛକୁ ସ୍ଥାନାନ୍ତର କରାଯାଇ ନିକଟସ୍ଥ ଶିଶୁ ଉଦ୍ୟାନରେ ପୁନଃରୋପଣ କରାଯାଇଛି। ସେହିପରି କେନ୍ଦୁଝର ଜିଲାରେ ରାସ୍ତା ପ୍ରଶସ୍ତୀକରଣ ସମୟରେ ବହୁ ଗଛ ଉପୁଡ଼ା ଯାଇ ପୁନଃରୋପଣ କରାଯାଇଛି। ଭଦ୍ରକ ଜିଲାର ଧାମରା ଅଞ୍ଚଳରେ ମଧ୍ୟ ଗତ ମାସରେ କିଛି ଗଛ ଖୋଳାଯାଇ ଅନ୍ୟତ୍ର ରୋପଣ କରାଯାଇଛି। ଓଡ଼ିଶାର କୋଣ ଅନୁକୋଣରେ ଏହି କାର୍ଯ୍ୟ ସମ୍ଭବ ହେଉଥିବାବେଳେ ବାଲେଶ୍ବର ସହରରେ ଚିନ୍ତା କରାନଯାଇ ଏତେ ସଂଖ୍ୟକ ବର, ଅଶ୍ବତ୍ଥ, ଶାଗୁଆନ, ୟୁକାଲିପଟାସ, ଆକାଶୀ, ଚାକୁଣ୍ଡା ଭଳି ବହୁ ପୁରୁଣା ଗଛ କାଟି ଦିଆଯିବା ଚିନ୍ତାର ବିଷୟ ହୋଇଛି। ତେଣୁ ପରିବେଶ ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରୁଥିବା ସଂସ୍ଥା ଏବଂ ବ୍ୟକ୍ତି ବିଶେଷ ସଜାଗ ହେବାର ସମୟ ଆସିଛି। ନଚେତ ବିଷ ବଳୟର ଅସ୍ବାସ୍ଥ୍ୟକର ପରିବେଶରେ ବା​‌ଲେଶ୍ବର ସହରବାସୀ ଅଣନିଃଶ୍ବାସୀ ହେଉଥିବେ ଏଥିରେ ସନ୍ଦେହ ନାହିଁ।

Comments are closed.