ରାଜଗାଙ୍ଗପୁର: ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଅଘଟଣ। କମ୍ପାନୀ ପକ୍ଷରୁ ୩ ମୃତ ଶ୍ରମିକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଦାଶରଥୀ ସରାବ। ଆଜି ସକାଳେ ଭଗ୍ନାବଶେଷ ତଳୁ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୩୬ ଘଣ୍ଟାର ଅପରେସନ୍ ପରେ ପ୍ରଥମେ ଦୁଇ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ଜଣେ ନିଖୋଜ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବଂ ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଜଣେ ମୃତ ଶ୍ରମିକ ଦାଶରଥୀ ପାତ୍ର ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଗତ ୧୬ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ କାରଖାନାର ଲାଇନ ୨ ପ୍ଲାଣ୍ଟରେ କୋଲ୍ ହପର ଢାଞ୍ଚା ହଠାତ ଭୁଶୁଡ଼ି ପଡ଼ିଥିଲା। ନିୟମିତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଖବର ପାଇ ତୁରନ୍ତ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।



