ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣାରେ ପୁଲିସ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁରଙ୍କ ବୟାନ ରେକର୍ଡ କରିଛି। ସେଦିନ ରାତିରେ କ’ଣ ସବୁ ଘଟିଥିଲା ତାହାର ପୂରା ଦୃଶ୍ୟକୁ ପୁଲିସ ଆଗରେ ବଖାଣିଛନ୍ତି କରୀନା।
କରୀନା ବାନ୍ଦ୍ରା ପୁଲିସକୁ କହିଛନ୍ତି ଯେ, ସୈଫ ଏକୁଟିଆ ଆକ୍ରମଣକାରୀକୁ ସାମ୍ନା କରିଥିଲେ। ସେ ସମସ୍ତ ମହିଳା ଓ ପିଲାମାନଙ୍କୁ କୋଠାର ୧୨ତମ ମହଲାକୁ ପଠାଇ ଦେଇଥିଲେ। ସେ ନ ଥିଲେ ସେମାନଙ୍କ ସହିତ କିଛି ବି ହୋଇପାରିଥାଆନ୍ତା। ଆକ୍ରମଣକାରୀ ତାଙ୍କ ସାନ ପୁଅ ଶୋଇଥିବା କୋଠରୀକୁ ଯାଉଥିଲା। ଏହି ସମୟରେ ସୈଫ ଆକ୍ରମଣକାରୀ ଆଗକୁ ଚାଲିଆସିଥିଲେ। ଆତତାୟୀ ଜଣକ ଘରୁ କୌଣସି ଜିନିଷ ଚୋରି କରି ନ ଥିଲା। କିନ୍ତୁ ସେ ବହୁତ ଆକ୍ରମରାତ୍ମକ ଥିଲା। ସେ ଅନେକ ଥର ସୈଫଙ୍କ ଉପରେ ଆକ୍ରମଣ କରିଥିଲା।
ଏହା ପୂର୍ବରୁ ଘରେ କାମ କରୁଥିବା ନୈନୀଙ୍କ ମନ୍ତବ୍ୟ ମଧ୍ୟ ପୁଲିସ ରେକର୍ଡ କରିଛି। ନୈନୀ କହିଥିଲେ ଯେ, ସେ ୪ ବର୍ଷ ହେଲା ସୈଫଙ୍କ ଘରେ କାମ କରୁଛନ୍ତି। ଜାନୁୟାରୀ ୧୫ ରାତି ପ୍ରାୟ ୨ଟାରେ ଏକ ଶବ୍ଦ ଶୁଣି ସେ ନିଦରୁ ଉଠିଯାଇଥିଲେ। ସେତେବେଳେ ବାଥରୁମ ଲାଇଟ୍ ଜଳୁଥିଲା। ତେଣୁ ସେ ଲାଇଟ ବନ୍ଦ କରିବାକୁ ଯିବା ସମୟରେ ସେଥିରୁ ଜଣେ ବ୍ୟକ୍ତି ବାହାରକୁ ଆସିଲେ। ବ୍ୟକ୍ତି ଜଣକ ଜେହଙ୍କ ନିକଟକୁ ଯାଉଥିଲା। ଏହା ଦେଖି ସେ ତୁରନ୍ତ ଜେହଙ୍କ ଶୋଇବା ଘରକୁ ଯାଇଥିଲେ। କିନ୍ତୁ ଆତତାୟୀ ତାଙ୍କୁ ଇସାରା କରି ଚୁପ ରହିବାକୁ କହିଥିଲା। ସେ ତା’କୁ ରୋକିବାକୁ ଉଦ୍ୟମ କରିବାରୁ ଆତତାୟୀ ତାଙ୍କୁ ଆକ୍ରମଣ କରିଥିଲା। ତା’ ସହିତ ୧ କୋଟି ଟଙ୍କା ଦେବାକୁ ଦାବି କରିଥିଲା। ପାଟିତୁଣ୍ଡ ଶୁଣି ସୈଫ ଏବଂ କରୀନା ସେଠାରେ ପହଞ୍ଚିଥିଲେ। ଏହା ପରେ ଆତତାୟୀ ସୈଫଙ୍କୁ ଆକ୍ରମଣ କରିଥିଲା।



