ବାଙ୍ଗାଲୋର ବିଜୟୀ : ପ୍ଲେ ଅଫ ଆଶା ଉଜ୍ଜୀବିତ

0

ନୂଆଦିଲ୍ଲୀ : ଦୁଇ ଚମ୍ପିଆନ୍‍ ବ୍ୟାଟ୍‍ସମ୍ୟାନ୍‍ ବିରାଟ କୋହଲି ଓ ଏବି ଡି’ଭିଲିଅର୍ସଙ୍କ ଦର୍ଶନୀୟ ଇନିଂସ ବଳରେ ଆଇପିଏଲ୍‍-୧୧ରେ ଶନିବାର ୨ୟ ମ୍ୟାଚ୍‍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି) ବିଜୟୀ ହୋଇଛି। ଦିଲ୍ଲୀ ଡେୟାରଡେଭିଲ୍‍ସକୁ ୫ ୱିକେଟ ହରାଇ ବାଙ୍ଗାଲୋର ପ୍ଲେଅଫ୍‍ ଆଶା ବଜାୟ ରଖିଛି। ଦୁଇ ଯୁବ ବ୍ୟାଟ୍‍ସମ୍ୟାନ୍‍ ଋଷଭ ପନ୍ତ୍‍ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ଡେୟାରଡେଭିଲ୍‍ସ ୪ ୱିକେଟରେ ୧୮୧ ରନ୍‍ କରିଥିଲା। ପରେ ଅଧିନାୟକ ବିରାଟ କୋହଲି ଓ ଏବି ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ ବଳରେ ଆର୍‍ସିବି ୧୯ ଓଭରରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା। ୧୧ଶ ମ୍ୟାଚ୍‍ରେ ୪ର୍ଥ ବିଜୟ ପରେ ଆର୍‍ସିବି ପ୍ଲେ ଅଫ ଆଶା ବଜାୟ ରଖିଛି। ତେବେ ପ୍ଲେ ଅଫ୍‍ରୁ ବାଦ୍‍ ପଡ଼ିଥିବା ଦିଲ୍ଲୀ ୧୨ଶ ମ୍ୟାଚ୍‍ରେ ୯ମ ପରାଜୟ ଭୋଗିଛି।
ବାଙ୍ଗାଲୋର ସମ୍ମୁଖରେ ୧୮୨ ରନ୍‍ର ବିଜୟଲକ୍ଷ୍ୟ ଥିବା ବେଳେ ଦିଲ୍ଲୀ ପରି ଏହାର ଓପ୍‍ନିଂ ଯୋଡ଼ି ମଧ୍ୟ ଜଲ୍‍ଦି ବିଦାୟ ନେଇଥିଲେ। ଏହା ଏକ ସଂଯୋଗ ଯେ ଉଭୟ ଦଳ ୨.୪ ଓଭରରେ ଉଭୟ ଓପ୍‍ନରଙ୍କୁ ହରାଇଥିଲେ। ମୋଇନ୍‍ ଅଲୀ ୧ ଓ ପାର୍ଥିବ ପଟେଲ ୬ ରନ୍‍କରି ବିଦାୟ ନେଇଥିଲେ। ପରେ ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ ଦର୍ଶନୀୟ ଷ୍ଟ୍ରୋକ୍‍ ଖେଳି ଆବଶ୍ୟନ୍‍ ରନ୍‍ହାରଠାରୁ ଅଧିକ ଗତିରେ ସ୍କୋର୍‍ କରିଥିଲେ। ୩ୟ ୱିକେଟ ପାଇଁ ଏବି-ବିରାଟ ଯୋଡ଼ି ୬୪ ବଲ୍‍୍‍ରୁ ୧୧୮ ରନ୍‍ ଯୋଗ କରିଥିଲେ। କୋହଲି ୪୦ ବଲ୍‍ରୁ ୩ଟି ଛକା ଓ ୭ଟି ଚୌକାମାରି ୭୦ ରନ୍‍ର ଇନିଂସ ଖେଳିଥିଲେ। ୪ ଓଭରରୁ ୨୯ ରନ୍‍ ଆବଶ୍ୟକ ଥିବା ବେଳେ ମନଦୀପ ସିଂହ ୧୩ ଓ ସର୍ଫରାଜ ଖାଁ ୧୧ ରନ୍‍କରି ଆଉଟ ହୋଇଥିଲେ। ତେବେ ଡି’ଭିଲିଅର୍ସ ଦଳକୁ ଜିତାଇଥିଲେ। ଡି’ଭିଲିଅର୍ସ ୩୭ ବଲ୍‍ରୁ ୬ଟି ଛକା ଓ ୪ଟି ଚୌକା ସହ ୭୨ ରନ୍‍କରି ଅପରାଜିତ ଥିଲେ। ଟ୍ରେଣ୍ଟ ବୋଲ୍‍ଟ ୨ଟି ୱିକେଟ ପାଇଥିଲେ।
ଏହି ‘କର ବା ମର’ ମ୍ୟାଚ୍‍ରେ ଟସ୍‍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ଫିଲ୍‍ଡିଂ ନେଇଥିଲା। ୨.୪ ଓଭରରେ ଦିଲ୍ଲୀର ଦୁଇ ଓପ୍‍ନର ଆଉଟ ହୋଇ ଯାଇଥିଲେ। ପୃଥ୍ୱୀ ସ’ ୨ ଓ ଜେସନ୍‍ ରୟ ୧୨ ରନ୍‍ କରିଥିଲେ। ତେବେ ୩ୟ ୱିକେଟ ପାଇଁ ଅଧିନାୟକ ଶ୍ରେୟାସ ଆୟର ଓ ଫର୍ମରେ ଥିବା ଋଷଭ ପନ୍ତ୍‍ ଚମତ୍କାର ବ୍ୟାଟିଂ କରିଥିଲେ। ୬୨ ବଲ୍‍ରୁ ଆୟର-ପନ୍ତ୍‍ ୯୩ ରନ୍‍ ଯୋଡ଼ିଥିଲେ। ଚମତ୍କାର ଫର୍ମରେ ଥିବା ଋଷଭ ପନ୍ତ୍‍ ଚିରାଚରିତ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୩୪ ବଲ୍‍ରୁ ୪ଟି ଛକା ଓ ୫ଟି ଚୌକା ସହ ସର୍ବାଧିକ ୬୧ ରନ୍‍ କରିିଥିଲେ। ଏହି ଇନିଂସକୁ ମିଶାଇ ସର୍ବାଧିକ ୫୮୨ ରନ୍‍କରି କେଇ ଘଣ୍ଟା ମଧ୍ୟରେ କେ.ଏଲ୍‍. ରାହୁଲଙ୍କଠାରୁ ଅରେଞ୍ଜ୍‍ କ୍ୟାପ୍‍ ଋଷଭ ପନ୍ତ୍‍ ଛଡ଼ାଇ ଆଣିଛନ୍ତି। ଶ୍ରେୟାସ ଆୟର ଧିମା ବ୍ୟାଟିଂକରି ୩୫ ବଲ୍‍ରୁ ୩ଟି ଚୌକା ସହ ୩୨ ରନ୍‍ କରିଥିଲେ। ଶେଷ ୨୯ ବଲ୍‍ରୁ କିନ୍ତୁ ଦିଲ୍ଲୀ ଡେୟାରଡେଭିଲ୍‍ସ ୬୧ ରନ୍‍ ନେଇ ପାରିଥିଲା। ଏହା ସମ୍ଭବ ହୋଇଥିଲା ୧୭ ବର୍ଷ ବୟସ୍କ ଅଭିଷେକ ଶର୍ମାଙ୍କ ପ୍ରହାର ଯୋଗୁଁ। ୧୯ ବର୍ଷରୁ କମ୍‍ ବିଶ୍ୱକପ୍‍ ଚମ୍ପିଆନ୍‍ ଦଳର ସଦସ୍ୟ ପଞ୍ଜାବର ଅଭିଷେକ ଶର୍ମା ମାତ୍ର ୧୯ ବଲ୍‍ରୁ ୪ଟି ଛକା ଓ ୩ଟି ଚୌକା ସହ ୪୬ ରନ୍‍କରି ଅପରାଜିତ ଥିଲେ। ବିଜୟ ଶଙ୍କର ୨୦ ବଲ୍‍ରୁ ୨ଟି ଚୌକା ସହ ୨୧ ରନ୍‍ କରିଥିଲେ। ୟୁଜୁବେନ୍ଦ୍ର ଚହଲ ୨ଟି ୱିକେଟ ପାଇଥିଲେ।

Leave A Reply