ଔରଙ୍ଗାବାଦରେ ଗୋଷ୍ଠୀ ସଂଘର୍ଷ, ୨ ମୃତ

0

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ବେଆଇନ ଜଳ ସଂଯୋଗ ଉଚ୍ଛେଦ ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୦ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଶନିବାର ସ୍ଥାନୀୟ ଅଞ୍ଚଳର ଶତାଧିକ ଦୋକାନ ଏବଂ ଯାନବାହନ ପୋଡି ଦେଇଛନ୍ତି। ପୁଲିସ ଗୁଳିରେ ଅବ୍‍ଦୁଲ କାଦ୍ରି ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଗଲଲାଲ୍‍ ବଂସିଲେ ନାମକ ଅନ୍ୟ ଜଣେ ବ୍ୟକ୍ତଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଳିଯାଇଥିବା ଏକ ଦୋକାନରୁ ଉଦ୍ଧାର କରାଯାଇଛି। ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ୧୪୪ ଧାରା ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଔରଙ୍ଗାବାଦସ୍ଥିତ ଏକ ଧାର୍ମିକ ପୀଠକୁ ବେଆଇନ ଜଳ ସଂଯୋଗ ଉଚ୍ଛେଦ ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ରାତିରେ ଦୁଇ ଦଳ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଶୁକ୍ରବାର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ସ୍ଥାନୀୟ ଏକ ହୋଟେଲ୍‍ରେ ଦୁଇ ଜଣ ଲୋକଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବିବାଦ ହୋଇଥିଲା। ପରେ ସେମାନେ ନିଜନିଜ ସମର୍ଥକଙ୍କୁ ଟେଲିଫୋନ୍‍ କରି ବିବାଦ ବିଷୟରେ ଜଣାଇଥିଲେ। ଚାହୁଁଚାହୁଁ ହୋଟେଲ୍‍ ବାହାରେ ପ୍ରବଳ ଭିଡ ଜମିଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିବା ବେଳେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଲାଗିଛି ବୋଲି ଗୁଜବ ପ୍ରଚାର ହୋଇଯାଇଥିଲା। ଏହି ଗୁଜବ ଶୁଣି ଉଭୟ ଗୋଷ୍ଠୀର ଅଧିକ ସଂଖ୍ୟକ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଉଭୟ ଗୋଷ୍ଠୀର ଲୋକେ ରାଜରାସ୍ତାକୁ ଚାଲିଆସି ପରସ୍ପରକୁ ମାରପିଟ କରିବା ସହ ଟେକାପଥର ଫିଙ୍ଗିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଲୁହ ବୁହା ଗ୍ୟାସ୍‍ ଛାଡିଥିଲା ଏବଂ ପରେ ଫାଙ୍କା ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା। ଏହି ସମୟରେ ଅବ୍‍ଦୁଲ କାଦ୍ରି ପୁଲିସ ଗୁଳିରେ ଆହତ ହୋଇ ପ୍ରାଣ ହରାଇଥିଲେ। ଉତ୍ତ୍ୟକ୍ତ ଲୋକେ ଶନିବାର ସକାଳେ ଶତାଧିକ ଦୋକାନ ଏବଂ ଯାନବାହନରେ ନିଆଁ ଲଗାଇଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply