ମହିଳା ସଶକ୍ତୀକରଣ:ଏକ ଆହ୍ବାନ
ନାରୀଙ୍କ ପ୍ରଗତି ବିନା ଦେଶର ଉନ୍ନତି ଅସମ୍ଭବ
ଭାରତୀୟ ଜନସଂଖ୍ୟାର ଅଧା ମହିଳା ହୋଇଥିବାବେଳେ ବିଭିନ୍ନ କ୍ଷେତ୍ରରେ ଲିଙ୍ଗଗତ ସମାନତାର ସ୍ବର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଗତ ବର୍ଷଗୁଡ଼ିକରେ ମହିଳାମାନେ ଉଦ୍ୟୋଗ, ଅମଲାତନ୍ତ୍ର, ବିଭିନ୍ନ କାର୍ୟ୍ୟାଳୟ, ଆନ୍ତର୍ଜାତିକ ସଂସ୍ଥା ଓ ଆନ୍ତଃରାଷ୍ଟ୍ରୀୟ କ୍ରୀଡ଼ା ଆଦି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ଆସୁଥିଲେ ମଧ୍ୟ ଲିଙ୍ଗଗତ ତାରତମ୍ୟ ଏବେବି ମୁଖ୍ୟ ଚିନ୍ତାର କାରଣ ହୋଇ ରହିଆସିଛି।
ୱାର୍ଲଡ ଇକୋନମିକ୍ ଫୋରମ୍ ଏକ ଲିଙ୍ଗଗତ ତାରତମ୍ୟ ତଥ୍ୟ ପ୍ରକାଶ କରିଛି। ଏହି ସୂଚ୍ୟାଙ୍କ ଅନୁଯାୟୀ ୨୦୧୮ ଡିସେମ୍ବରରେ ୧୪୯ଟି ରାଷ୍ଟ୍ରଙ୍କ ମଧ୍ୟରୁ ଭାରତର ସ୍ଥାନ ୧୦୮। ପୂର୍ବବର୍ଷ ମଧ୍ୟ ଭାରତର ସ୍ଥାନ ଥିଲା ସେହି ୧୦୮। ଅର୍ଥାତ୍ ଆମ ଦେଶର ମହିଳା- ପୁରୁଷ ପ୍ରଭେଦରେ ଗୋଟିଏ ବର୍ଷ କୌଣସି ପରିବର୍ତ୍ତନ ଆଣି ପାରିଲା ନାହିଁ। ମହିଳାଙ୍କ ସ୍ବାସ୍ଥ୍ୟ ଓ ଆୟୁଷ ଦୃଷ୍ଟିକୋଣରୁ ଭାରତର ସ୍ଥାନ ଗୋଟିଏ ବର୍ଷରେ ୧୪୧ରୁ ଖସି ୧୪୭ରେ ପହଞ୍ଚିଛି। ତଳଆଡ଼ୁ ଲଜ୍ଜାଜନକ ତୃତୀୟ ସ୍ଥାନରେ ରହିଛି ଭାରତ। ସେହିପରି ମହିଳା ଶିକ୍ଷାଗତ ସଫଳତା ପ୍ରେକ୍ଷାପଟ୍ଟରେ ଆମ ଦେଶର ସ୍ଥାନର ଅବନତି ଘଟିଛି ୧୩୯ରୁ ୧୪୨କୁ।
ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ ବା ଏନଏସଏସଓ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଭାରତରେ ନିଯୁକ୍ତି ପାଇଥିବା ବା ଖୋଜୁଥିବା ୧୬ ରୁ ୬୪ ବର୍ଷର ମହିଳାଙ୍କ ହାର ୨୦୦୪-୦୫ରେ ଥିଲା ୪୨.୭ ଶତକଡ଼ା। ୨୦୧୭-୧୮ରେ ତାହା ୨୩.୩ ଶତକଡ଼ାକୁ ହ୍ରାସ ପାଇଛି। ଅର୍ଥାତ୍ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଆନୁପାତିକ ଅଂଶଗ୍ରହଣ କମିବାରେ ଲାଗିଛି। ସମାନ ସମୟରେ ପୁରୁଷ ଶ୍ରମଶକ୍ତି ଅଂଶଗ୍ରହଣ ହାର ମଧ୍ୟ ୮୪ ଶତକଡ଼ାରୁ ୭୫.୮ ଶତକଡ଼ାକୁ ଖସିଛି। କିନ୍ତୁ ମହିଳାଙ୍କ ପାଇଁ ଏହି ହ୍ରାସ ତୀବ୍ର, ଦ୍ରୁୁତ, ସୁତରାଂ ଉଦବେଗଜନକ।
ନିଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କର ଏହି ନୈରାଶ୍ୟଜନକ ଉପଲବ୍ଧିକୁ ବିଭିନ୍ନ ଦିଗରୁ ତର୍ଜମା କରାଯାଇଛି। କେତେକଙ୍କ ମତରେ ମହିଳାମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଆଗକୁ ବଢ଼ିବାର ପ୍ରୟାସ ଜାରି ରଖିଛନ୍ତି। ଅଗତ୍ୟା ସେମାନେ ୧୬ବର୍ଷ ବୟସ ପରେ ପୂର୍ବଭଳି ନିଯୁକ୍ତି ବଜାରରେ ପ୍ରବେଶ ନ କରି ଶ୍ରେଣୀକକ୍ଷରେ ସମୟ ବିତାଉଛନ୍ତି। ନିଜ ଯୁକ୍ତିକୁ ବଳିଷ୍ଠ କରିବାପାଇଁ ସେମାନେ ଉଚ୍ଚଶିକ୍ଷା ନିମନ୍ତେ ମହିଳାଙ୍କ ନାମ ଲେଖା ସଂଖ୍ୟା ବୃଦ୍ଧିର ଅବତାରଣା ଦେଉଛନ୍ତି। ୨୦୧୦-୧୧ରେ ଏହି ସଂଖ୍ୟା, ୧୨ଲକ୍ଷ ଥିବାବେଳେ ୨୦୧୭-୧୮ରେ ପହଞ୍ଚିଛି ୧.୭୪ କୋଟିରେ। ଅନ୍ୟ କେହି କେହି ସମାଜର କିଛି ନିର୍ଦିଷ୍ଟ ବର୍ଗରେ ମହିଳାଙ୍କ ମୁକ୍ତ ଗତିବିଧିକୁ ଅଙ୍କୁଶ ଲଗାଇ ନିୟନ୍ତ୍ରିତ କରିବାର ପ୍ରଥା ଯୋଗୁଁ ନିଯୁକ୍ତି ବଜାରରେ ଭାରତୀୟ ମହିଳାଙ୍କ ଅଂଶଗ୍ରହଣ କମିଥିବାର ତର୍କ କରନ୍ତି। କିନ୍ତୁ ୨୦୦୪-୦୫ରୁ ୨୦୧୭-୧୮ ମଧ୍ୟରେ ମହିଳାଙ୍କ ବିରୋଧରେ ଏପରି କିଛି ରୁଢ଼ିବାଦୀ ଆକଟ ହଠାତ୍ ବଢ଼ି ଯାଇଥିବାର ଦୃଷ୍ଟାନ୍ତ ନାହିଁ। ବିଶେଷକରି ଏହି ଅବଧି ମହିଳାଙ୍କ ଭିତରେ ଉଚ୍ଚଶିକ୍ଷାର ବ୍ୟାପକ ପ୍ରସାର ଘଟିଛି। ତେଣୁ ସେମାନେ ଯେ ଏପରି କୁସଂସ୍କାର ମଧ୍ୟରେ ଆହୁରି ବେଶି ଉତ୍ପୀଡ଼ିତ ହେଉଥିବେ, ତାହା ବିଶ୍ବାସଯୋଗ୍ୟ ନୁହେଁ।
ଗତ ୫ ବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ମହିଳା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି, କିନ୍ତୁ ଏତେ ସବୁ ନାରୀ ସପକ୍ଷବାଦୀ ବୈଧାନିକ ବ୍ୟବସ୍ଥା ସତ୍ତ୍ବେ ମହିଳାଙ୍କ ଅବସ୍ଥାରେ ସୁଧାର ନ ଆସିବା ଏକ ବିଡ଼ମ୍ବନା। ‘ଉଳା’ ଯୋଜନାରେ ଦରିଦ୍ର ପରିବାରଙ୍କୁ ରିଆତି ଦରରେ ଇନ୍ଧନ ଗ୍ୟାସ ଯୋଗାଇ ଦେବା ଯୋଗୁଁ ଜାଳେଣୀ ପ୍ରଦୂଷଣ ଓ ରୋଷେଇ ଝିଞ୍ଜଟରୁ ଅନେକାଂଶରେ ତ୍ରାହି ପାଇଛନ୍ତି ଦରିଦ୍ର ମହିଳା। ଗତ ମୋଦୀ ସରକାରରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ମେନକା ଗାନ୍ଧୀ କାର୍ୟ୍ୟସ୍ଥଳରେ ମହିଳାଙ୍କ ଅଧିକାରକୁ ସାବ୍ୟସ୍ତ କରିବା ଦିଗରେ ବେଶ୍ ଉତ୍ସାହ ଦେଖାଇଛନ୍ତି। ଗତବର୍ଷ ଏପ୍ରିଲରେ ମହିଳା କର୍ମଜୀବୀଙ୍କ ପାଇଁ ପ୍ରସବକାଳୀନ ଛୁଟିକୁ ୧୨ ସପ୍ତାହରୁ ୨୬ ସପ୍ତାହକୁ ସେ ବୃଦ୍ଧି କରିଥିଲେ। ଏଥିଯୋଗୁଁ ନିଯୁକ୍ତିଦାତା ଅଧିକ ମହିଳାଙ୍କୁ ଚାକିରି ଦେବା ପାଇଁ ବିତସ୍ପୃହ ହେଲେ। ଏହାକୁ ଲକ୍ଷ୍ୟକରି ମେନକା ଗାନ୍ଧୀ ୧୫,୦୦୦ ଟଙ୍କାରୁ ଅଧିକ ଦରମା ପାଉଥିବା ମହିଳାଙ୍କ ପାଇଁ ଏହି ବର୍ଦ୍ଧିତ ୧୪ସପ୍ତାହ ପ୍ରାପ୍ୟର ଅର୍ଦ୍ଧେକ ଶ୍ରମିକ କଲ୍ୟାଣ ସେସ୍ରୁ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ସେ ମହିଳା କର୍ମଚାରୀଙ୍କ ଉପରେ ଯୌନ ନିର୍ୟାତନା ସଂକ୍ରାନ୍ତରେ ଅଭିଯୋଗ ପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍ ଉନ୍ମୋଚନ କରିଥିଲେ।
କର୍ପୋରେଟ ପରିଚାଳନା ବୋର୍ଡ଼ରେ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ଆଇନ୍ ଅଛି, କିନ୍ତୁ ଉଚ୍ଚ ପଦରେ ମହିଳାଙ୍କ ଅଧିକ ଉପସ୍ଥିତି ପାଇଁ ଏହି ଆଇନର ମୂଳ ଉଦ୍ଦେଶ୍ୟ ଫଳବତୀ ହୋଇ ପାରିଲା ନାହିଁ। ସମାନ ପରିସ୍ଥିତି ହେବ ମହିଳା ସଂରକ୍ଷଣ ଅଭିଯାନର। ମଧ୍ୟଯୁଗୀୟ ପ୍ରଥା ‘ତିନ୍ ତଲାକ୍’କୁ ନିଷିଦ୍ଧ କରିବା ପାଇଁ ଆଇନ ଆସିବା ପରେ ମୁସଲମାନ ରମଣୀ ମାନେ ଟିକିଏ ଆଶ୍ବସ୍ତି ଲାଭ କଲେ।
କ୍ରମେକ୍ରମେ ରାଜନୀତିରେ ମଧ୍ୟ ମହିଳାମାନଙ୍କର ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନରେ ୭୮ଜଣ ମହିଳା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ୨୦୧୪ ମସିହାରେ ୧୧.୨୩ ପ୍ରତିଶତ ମହିଳା ଥିବାବେଳେ ୨୦୧୯ରେ ଏହା ୧୪.୫୮ ପ୍ରତିଶତ ବୃଦ୍ଧି ପାଇଛି। ଗତ ନିର୍ବାଚନରେ ୮.୦୪୯ ଜଣ ପ୍ରାର୍ଥୀ ଲଢ଼ୁଥିଲାବେଳେ ମହିଳା ପ୍ରାର୍ଥୀଥିଲେ ୭୨୪ ଜଣ। ପୁରୁଷ ସହ ସମ ତାଳରେ ରାଜନୀତି କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଂଶଗ୍ରହଣ କରି ମହିଳାମାନେ ସୁନାମ ଅର୍ଜନ କରି ପାରିଛନ୍ତି। ଓଡ଼ିଶାର ଜନଜାତି ସଂପ୍ରଦାୟର ଝିଅ ଅନୁପ୍ରିୟା ଲାର୍କା ନିଜ ଅଧ୍ୟବସାୟ ବଳରେ ମହିଳା ପାଇଲଟ୍ ଭାବେ ନିଯୁକ୍ତି ପାଇ ଓଡ଼ିଶାର ନାଁ ରଖିଛନ୍ତି। ଓଡ଼ିଆ ମହିଳା ବୈଜ୍ଞାନିକମାନେ ଇସ୍ରୋରେ କାମ କରି ବେଶ୍ ସୁୁନାମ ଅର୍ଜନ କରି ପାରିଛନ୍ତି। ଏଣୁ ଭାରତରେ ମହିଳାମାନେ ଆସ୍ତେଆସ୍ତେ ଅସାଧାରଣ କୃତ୍ତିତ୍ବ ପ୍ରଦର୍ଶନ କରି ନିଜର ବ୍ୟକ୍ତିତ୍ବର ବିକାଶ ସଙ୍ଗେସଙ୍ଗେ ସାରା ଦେଶକୁ ଗୌରବାନ୍ବିତ କରୁଛନ୍ତି। ଦେଶର ସମୂହ ବିକାଶ କ୍ଷେତ୍ରରେ ନାରୀମାନଙ୍କର ସହଯୋଗରେ ଦେଶର ପ୍ରଭୂତ କଲ୍ୟାଣ ସାଧିତ ହୋଇପାରିବ।
ଅସୀମା ସାହୁ
ଅଧ୍ୟକ୍ଷା ଏସ.ସି.ବି.ଡିଗ୍ରୀକଲେଜ ରିଗ୍ଧା
ମୟୂରଭଞ୍ଜ
Comments are closed.