ସ୍ମୃତିରେ ଏବେବି ସତେଜ ୨୬/୧୧ ମୁମ୍ବାଇ ଆକ୍ରମଣ, ଦେଖନ୍ତୁ କିଛି ଲୋମଟାଙ୍କୁରା ଦୃଶ୍ୟ

ମୁମ୍ବାଇ: ୨୦୦୮ ମସିହା ନଭେମ୍ବର ୨୬ ତାରିଖ.. ଏହା ହେଉଛି ସେହି କଳାଦିନ, ଯେଉଁଦିନ ଥରି ଉଠିଥିଲା ମାୟା ନଗରୀ। ପାକିସ୍ତାନର ଲଶ୍କର-ଏ-ତୈବାର ୧୦ ଆତଙ୍କବାଦୀ ମୁମ୍ବାଇ ଉପରେ କରିଥିଲେ ଆକ୍ରମଣ ଏବଂ ୪ ଦିନ ଧରି ଗୁଳିମାଡ଼ ବ୍ୟତୀତ ଅନେକ ସ୍ଥାନରେ ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣରେ ୧୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ମୁମ୍ବାଇକୁ ଥରାଇ ଦେଇଥିବା ଏହି ଆକ୍ରମଣକୁ ମଙ୍ଗଳବାର ୧୬ ବର୍ଷ ପୂରଣ ହୋଇଛି, କିନ୍ତୁ ଏହାର ସ୍ମୃତି ଏବେବି ସତେଜ ଏବଂ ଏହାର ଫଟୋ ଦେଖିଲେ ଆଜି ମଧ୍ୟ ଲୋମ ଟାଙ୍କୁରି ଉଠେ। ୪ ଦିନ ଧରି ଚାଲିଥିବା ଏହି ଅପରେସନରେ ଭାରତୀୟ ସୁରକ୍ଷା ବାହିନୀ ୯ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବାବେଳେ ଆମୀର ଅଜମଲ କସାବଙ୍କୁ ଜୀବନ୍ତ କାବୁ କରାଯାଇଥିଲା ଏବଂ ୨୦୧୨ରେ ତାକୁ ଫାଶୀ ଦିଆଯାଇଥିଲା।

୨୦୦୮ ମସିହା ନଭେମ୍ବର ୨୯ ତାରିଖରେ ମୁମ୍ବାଇର ତାଜ୍ ହୋଟେଲରେ ଗୁଳି ବିନିମୟ ସମୟରେ ଭାରତୀୟ ସେନାର ଯବାନମାନେ ପୋଜିସନ୍ ନେଇଥିବା ସମୟର ଏହି ଦୃଶ୍ୟ। ଯେତେବେଳେ ଆତଙ୍କବାଦୀ ଆକ୍ରମଣ କରିଥିଲେ, ସେତେବେଳେ ତାଜ୍ ହୋଟେଲରେ ପ୍ରାୟ ୪୫୦ ଅତିଥି ଥିଲେ ଏବଂ ଏଠାରେ ୪ ଦିନ ଧରି ଅପରେସନ୍ ଜାରି ରହିଥିଲା।

୨୬/୧୧ ଆକ୍ରମଣରେ ମୁମ୍ବାଇର ତାଜ୍ ହୋଟେଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ଏହି ଆକ୍ରମଣରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୮ ଜଣ ଆହତ ହୋଇଥିଲେ। ଆତଙ୍କବାଦୀ ଆକ୍ରମଣ ପରେ ତାଜ୍ ହୋଟେଲରରୁ ବାହାରୁଥିବା ଧୂଆଁ ମୁମ୍ବାଇ ଆତଙ୍କୀ ହମ୍‌ଲାର ପରିଚୟ ପାଲଟିଥିଲା।

ଏହି ଫଟୋରେ ନଭେମ୍ବର ୨୮, ୨୦୦୮ରେ ମୁମ୍ବାଇର ନରିମନ ହାଉସର ଚତୁର୍ଥ ମହଲାରେ ବିସ୍ଫୋରଣ ପରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ ଝରକା ଆଡ଼କୁ ଲକ୍ଷ୍ୟ ରଖିଥିବାର ନଜର ଆସିଛନ୍ତି।

ନଭେମ୍ବର ୨୯, ୨୦୦୮ରେ ମୁମ୍ବାଇରେ ଆତଙ୍କବାଦୀଙ୍କୁ ହଟାଇବା ପରେ ତାଜହୋଟେଲ ଭିତରର ଦୃଶ୍ୟ। ଏହି ଆକ୍ରମଣରେ ତାଜ ହୋଟେଲରେ ୪୦୦ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଥିଲା।

ଏହି ଫଟୋରେ ୨୬ ନଭେମ୍ବର ୨୦୦୮ରେ ମୁମ୍ବାଇର ଛତ୍ରପତି ଶିବାଜୀ ରେଳ ଷ୍ଟେସନରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳି ବିନିମୟ ପରେ ଜଣେ ପୁଲିସ ବୃଦ୍ଧଙ୍କୁ ଧରି ନେଉଥିବାର ନଜର ଆସିଛନ୍ତି। ଛତ୍ରପତି ଶିବାଜୀ ରେଳ ଷ୍ଟେସନରେ ଗୁଳି ମାଡ଼ରେ ପ୍ରାୟ ୫୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଫଟୋରେ ଷ୍ଟେସନରେ ସବୁ ସ୍ଥାନରେ ଛିନ୍ନ ବିଚ୍ଛିନ୍ନ ହୋଇ ଜିନିଷ ପଡ଼ିଥିବା ଏବଂ ଅନେକ ରକ୍ତ ଦାଗ ଦେଖାଯାଉଛି।

ଏହି ଦୁଇ ଫଟୋରେ ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲ ରେଳ ଷ୍ଟେସନ ପରିସରରେ ଆତଙ୍କୀ ଅଜମଲ ଆମୀର କସାବ ବୁଲୁଥିବା ନଜର ଆସିଛି। ଛତ୍ରପତି ଶିବାଜୀ ରେଳ ଷ୍ଟେସନରେ ଘଟିଥିବା ଗୁଳିକାଣ୍ଡରେ ଅଜମଲ ଆମୀର କସାବ ଏବଂ ଇସ୍ମାଇଲ ଖାନ ସମ୍ପୃକ୍ତ ଥିଲେ। ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଇସ୍ମାଇଲ ଖାନ ନିହତ ହୋଇଥିବାବେଳେ ଅଜମଲ ଆମୀର କସାବକୁ ଜୀବନ୍ତ କାବୁ କରାଯାଇଥିଲା। କସାବଙ୍କ ବିରୋଧରେ ଦୀର୍ଘ ଦିନ ଧରି ମୋକଦ୍ଦମା ଚାଲିଥିଲା ​​ଏବଂ ପରେ କୋର୍ଟ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହାପରେ ୨୦୧୨ ମସିହା ନଭେମ୍ବର ୨୧ ତାରିଖରେ ପୁଣେର ୟେରୱାଡା ଜେଲରେ ତାକୁ ଫାଶୀ ଦିଆଯାଇଥିଲା।

Comments are closed.