ବିଜେପି ବିଧାୟକ ସମ୍ପୃକ୍ତ: ସିବିଆଇ
ଆଲିଗଡ଼: ଉତ୍ତରପ୍ରଦେଶ ଉନ୍ନାଓର ଦଳିତ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ବିଜେପି ବିଧାୟକ କୁଲ୍ଦୀପ ସିଂହ ସେନ୍ଗାରଙ୍କ ସମ୍ପୃକ୍ତି ଥିବା ସିବିଆଇ ସ୍ପଷ୍ଟ କରିଛି। ଏହି ଘଟଣାରେ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଯାଇ ପୁଲିସ ପ୍ରମାଣ ନଷ୍ଟ କରିଥିବା ମଧ୍ୟ ସିବିଆଇ ସୂଚନା ପାଇଛି। ପ୍ରାଥମିକ ତଦନ୍ତରୁ ସିିବିଆଇ ପାଇଥିବା ପ୍ରମାଣ ଅନୁଯାୟୀ, ୨୦୧୭ ଜୁନ୍ ୪ ତାରିଖରେ ଶଶି ସିଂହ ନାମକ ଜଣେ ମହିଳାଙ୍କ ସହିତ ପୀଡ଼ିତା ବିଧାୟକଙ୍କ ଘରକୁ ଚାକିରି ମାଗିବାକୁ ଯାଇଥିଲେ। ସେହିଦିନ ବିଧାୟକ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ କିଛି ନ କହିବା ପାଇଁ ଧମକ ଦିଆଯାଇଥିବାରୁ ପୀଡ଼ିତା କିଛି ଦିନ ଚୁପ୍ ରହିଥିଲେ। କିନ୍ତୁ ପରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହେବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଗତ ଏପ୍ରିଲ୍ ୧୩ ତାରିଖରେ ସିବିଆଇ ବିଧାୟକ ସେନ୍ଗାରଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଶଶି ସିଂହଙ୍କୁ ମଧ୍ୟ ଗିରଫ କରାଯାଇଥିଲା।