କାଶ୍ମୀର ଅଶାନ୍ତ ପଛରେ ପାକିସ୍ତାନ : ଏଲଇଟି ଆତଙ୍କବାଦୀ ଗୋଜ୍‌ରୀ

0

ପାକିସ୍ତାନ ଆମକୁ ବିଭ୍ରାନ୍ତ କରୁଛି, ଯୁବଗୋଷ୍ଠୀଙ୍କୁ ଉସୁକାଇ ଚଳାଇଛି ଅରାଜକତା
ନୂଆଦିଲ୍ଲୀ : ‘ପାକିସ୍ତାନ ଆମକୁ ବିଭ୍ରାନ୍ତ କରୁଛି। ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ପାଇଁ ଆମକୁ ନିୟୋଜିତ କରୁଛି। ପାକିସ୍ତାନ ଏଠାକାର ଯୁବକମାନଙ୍କୁ ହାତବାରିଶି କରି କାଶ୍ମୀରରେ ସେନା ଉପରକୁ ପଥରମାଡ଼ ଭଳି ହିଂସାକାଣ୍ଡ ଘଟାଉଛି। ଭାରତ ଏନେଇ ସିଧାସଳଖ ପାକିସ୍ତାନକୁ ଦାୟୀ କରିବା ସହ ଏସଂକ୍ରାନ୍ତ ତଥ୍ୟପ୍ରମାଣ ଦେଉଥିଲେ ମଧ୍ୟ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ ପାକିସ୍ତାନ। ପାକିସ୍ତାନ ଦ୍ୱାରା ବିଭ୍ରାନ୍ତ ହୋଇ ଯେଉଁ କାଶ୍ମୀର ଯୁବକମାନେ ଲସ୍କର ସଂଗଠନରେ ସାମିଲ ହୋଇଛନ୍ତି ଏବଂ ନିଜ ରାଜ୍ୟରେ ହିଂସାକାଣ୍ଡ ଭିଆଉଛନ୍ତି ସେମାନେ ମୁଖ୍ୟସ୍ରୋତକୁ ଫେରିବା ଆସିବା ଉଚିତ।’ ଏ ମନ୍ତବ୍ୟ କୌଣସି ଭାରତୀୟଙ୍କର ନୁହେଁ; ବରଂ ଜଣେ ଲସ୍କର ଆତଙ୍କବାଦୀର। ସମ୍ପ୍ରତି ସୁରକ୍ଷା କର୍ମୀଙ୍କ ଗୁଳିରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଲସ୍କର ଆତଙ୍କବାଦୀ ଏଜାଜ୍‌ ଅହମ୍ମଦ ଗୋଜ୍‌ରୀ ଏଭଳି ମନ୍ତବ୍ୟ ଦେଇ ସମସ୍ତଙ୍କୁ ଚମକାଇ ଦେଇଛି।
ଗୋଜ୍‌ରୀ କାଶ୍ମୀର ଉପତ୍ୟକାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରୁ ପରଦା ହଟାଇଛି। ପାକିସ୍ତାନ କିଭଳି ଜମ୍ମୁ-କାଶ୍ମୀର ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନ, ଯୁବଗୋଷ୍ଠୀଙ୍କୁ ହାୱଲା ଜରିଆରେ ଅର୍ଥପ୍ରଦାନ କରି ଏଭଳି ହିଂସାକାଣ୍ଡ ଓ ଅସ୍ଥିରତା ସୃଷ୍ଟି କରିଚାଲିଛି ସେ ସମ୍ପର୍କରେ ସୂଚନା ଦେଇଛି। କାଶ୍ମୀରର ଅର୍ଦ୍ଧଶିକ୍ଷିତ ଓ ଦରିଦ୍ର ଯୁବଗୋଷ୍ଠୀଙ୍କ ଜରିଆରେ ଭାରତ ବିରୋଧରେ ପାକିସ୍ତାନ କିଭଳି ଷଡ଼ଯନ୍ତ୍ର ରଚୁଛି ସେ ସମ୍ପର୍କରେ ଉକ୍ତ ଲସ୍କର ଆତଙ୍କବାଦୀ ଗୋଜ୍‌ରୀ ଚମତ୍କାର ସ୍ୱୀକାରୋକ୍ତି ପ୍ରଦାନ କରିଛି। କେବଳ ସେତିକି ନୁହେଁ; ଗୋଜ୍‌ରୀ ଭାରତୀୟ ସେନାକୁ ପ୍ରଶଂସା କରିବା ସହ ସେନା ଯୋଗୁଁ ତାକୁ ନୂତନ ଜୀବନ ମିଳିଥିବା କହିଛି।
ଗୋଜ୍‌ରୀ ହେଉଛି ଲସ୍କର ସଂଗଠନର ଜଣେ ଆତଙ୍କବାଦୀ ଯିଏକି ସେନା ହାତରେ ବାରମୂଳା ଏନ୍‌କାଉଣ୍ଟର ସମୟରେ ତା’ର ସାଥୀ ମୁସ୍ତାକ୍‌, ସାହେବା ଓ ନାସିର ସହ ଧରାପଡ଼ିଥିଲା। ଗୋଜ୍‌ରୀର କହିବାନୁଯାୟୀ ଭାରତୀୟ ସେନା ଚାହିଁଥିଲେ ତାକୁ ଗୁଳି କରି ମାରିଦେଇଥାନ୍ତେ; କିନ୍ତୁ ତାକୁ ଜୀବନ୍ତ ଧରି ନୂଆ ଜୀବନ ଦେଇଛନ୍ତି। ଏବେ ସେ ହିଂସାତ୍ମକ ରାସ୍ତା ଛାଡ଼ି ରାଜ୍ୟର ବିକାଶ ଲାଗି ସ୍ୱପ୍ନ ଦେଖିବା ଆରମ୍ଭ କରିଛି। ସେଥିପାଇଁ ପାକିସ୍ତାନ ପ୍ରୋତ୍ସାହନ ଭ୍ରମରେ ପଡି ନିଜ ରାଷ୍ଟ୍ର ଓ ରାଜ୍ୟ ବିରୋଧରେ ହିଂସାତ୍ମକ କାର୍ଯ୍ୟ କରୁଥିବା କାଶ୍ମୀର ଯୁବଗୋଷ୍ଟୀଙ୍କୁ ଏହି ହିଂସାମାର୍ଗରୁ ଓହରି ଆସିବାକୁ ଗୋଜ୍‌ରୀ ନିବେଦନ କରିଛି।
ଗୋଜ୍‌ରୀ ସୂଚନାନୁଯାୟୀ, ‘ଆମେ ଦୀର୍ଘ ୬ ମାସ ହେଲା ଘରଦ୍ୱାର ଛାଡ଼ି ଜଙ୍ଗଲରେ ଲୁଚି ହିଂସାକାଣ୍ଡ ଭିଆଉଥିଲୁ। ଯେଉଁଦିନ ଭାରତୀୟ ଯବାନ ଏଠାରେ ଚଢ଼ଉ କଲେ, ସେଦିନ ପ୍ରଥମେ ଆମ ତରଫରୁ ଗୁଳିମାଡ଼ କରାଯାଇଥିଲା। ଆମେ ଏକ ପଥର ଖୋଲରେ ଲୁଚିରହିଥିଲୁ। ଚାହିଁଥିଲେ ଯବାନମାନେ ଆମକୁ ଏନ୍‌କାଉଣ୍ଟର କରିପାରିଥାନ୍ତେ; କିନ୍ତୁ ସେମାନେ ତାହା ନ କରି ମୋତେ ଗିରଫ କରି ଆଣି ନୂଆ ଜୀବନ ଦେଇଛନ୍ତି। ଭାରତ ବିରୋଧରେ ପାକିସ୍ତାନରେ ବସି ଷଡ଼ଯନ୍ତ୍ର କରୁଥିବା ‘ଆକା’ ଆମକୁ ଭାରତୀୟ ସେନା ବିରୋଧରେ ଉସୁକାଉଥିଲେ। ଭାରତୀୟ ସେନା ନିର୍ଦ୍ଦୟ ଓ ନୃସଂଶ ବୋଲି କହୁଥିଲେ; ମାତ୍ର ବାସ୍ତବରେ ଭାରତୀୟ ସେନାର ଉଦାରତା ମୁଁ ଉପଲବ୍ଧି କରିଛି। ତେଣୁ ମୋର ଅନ୍ୟ ସାଥୀମାନଙ୍କୁ ନିବେଦନ ଯେ ସେମାନେ ପାକିସ୍ତାନ ଓ ଲସ୍କର ସଂଗଠନ ଦ୍ୱାରା ବିଭ୍ରାନ୍ତ ହୋଇ ବାଛିଥିବା ରାସ୍ତା ଭୁଲ୍‌। ହିଂସାପଥ ଛାଡ଼ି ସେମାନେ ଘର ପରିବାରକୁ ଫେରିଆସନ୍ତୁ’।
କାଶ୍ମୀର ଯୁବକମାନଙ୍କୁ ଉଦ୍‌ଭ୍ରାନ୍ତ କରି ପାକିସ୍ତାନ ଏଠି ଆତଙ୍କବାଦର ଫସଲ ଆମଦାନୀ କରିଚାଲିଛି। ଜମ୍ମୁ-କାଶ୍ମୀରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ପଛରେ ଯେ ଇସଲାମାବାଦର ପ୍ରତ୍ୟକ୍ଷ ପ୍ରୋତ୍ସାହନ ରହିଛି ତାହା ଲସ୍କର ଉଗ୍ରବାଦୀ ଗୋଜ୍‌ରୀ ସ୍ୱୀକାରୋକ୍ତିରୁ ସ୍ପଷ୍ଟ। ଏହାସତ୍ତ୍ୱେ ପାକିସ୍ତାନ କାଶ୍ମୀର ଅସ୍ଥିରତା ନେଇ ତା’ର ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିବା ହାସ୍ୟାସ୍ପଦ।

Leave A Reply