ସିରିଆରେ ଥିବା ଇରାନର ସାମରିକ ଭିତ୍ତିଭୂମିକୁ ନଷ୍ଟ କଲା ଇସ୍ରାଏଲ

0

ଜେରୁଜେଲମ୍‌ : ବିଶ୍ୱବାସୀଙ୍କ ମନରୁ ଯୁଦ୍ଧର ଆଶଙ୍କା ହଟୁ ନାହିଁ। ଗୋଟିଏ ପଟେ ଶାନ୍ତି ପ୍ରତିଷ୍ଠା ଚାଲିଥିବାବେଳେ ଅନ୍ୟପଟେ ଯୁଦ୍ଧ କଳାବାଦଲ ଘୋଟିବାରେ ଲାଗିଛି। ଉତ୍ତରକୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିବାବେଳେ ଏବେ ଇରାନ ଓ ଇସ୍ରାଏଲ ସମ୍ମୁଖ ଯୁଦ୍ଧକୁ ଓହ୍ଲାଇଛନ୍ତି। ସିରିଆରେ ଥିବା ଇରାନର ସମସ୍ତ ସାମରିକ ଭିତ୍ତିଭୂମି ଉପରେ ଇସ୍ରାଏଲ ରକେଟ୍‌ ମାଡ କରି ଧ୍ୱଂସ କରିଦେଇଛି। ଗୋଲାନ ହାଇଟ୍ସରେ ଥିବା ଇସ୍ରାଏଲ ସୈନିକଙ୍କ ଉପରେ ରକେଟ ମାଡ ପାଇଁ ଇରାନକୁ ଦାୟୀ କରି ଜେରୁଜେଲମ୍‌ ଏପରି ପଦକ୍ଷେପ ନେଇଛି। ଗୋଲାନ ହାଇଟ୍ସରେ ଥିବା ଇସ୍ରାଏଲ ସୈନିକଙ୍କ ଉପରେ ରକେଟ ମାଡ ପାଇଁ ଜେରୁଜେଲମ୍‌ ପରୋକ୍ଷରେ ଇରାନକୁ ଦାୟୀ କରିଛି। ଇସ୍ରାଏଲର ଏହି ଆକ୍ରମଣ ପରେ ଇରାନ ସହ ତିକ୍ତତା ବୃଦ୍ଧି ପାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ହୋଇଥିବା ପରମାଣୁ ବୁଝାମଣାକୁ ବାତିଲ କରିବା ପରେ ଇସ୍ରାଏଲର ଏପରି ଆକ୍ରମଣ କରିଛି। ୨୦୧୫ରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ପରମାଣୁ ବୁଝାମଣାକୁ ବାତିଲ କରିବା ପାଇଁ ଇସ୍ରାଏଲ ଦୀର୍ଘଦିନ ହେଲା ଦାବି କରିଆସୁଥିଲା। ଗୁରୁବାର ସକାଳେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଆଭିଗଡୋର ଲେବରମ୍ୟାନ କହିଛନ୍ତି ଯେ ଆମେ ଇରାନର ସମସ୍ତ ଭିତ୍ତିଭୂମି ଉପରେ ରକେଟ ମାଡ କରିଛୁ। ନିକଟ ଅତୀତରେ ଇସ୍ରାଏଲ ଦ୍ୱାରା ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହା ସବୁଠାରୁ ବଡ ଧରଣର।
ଇସ୍ରାଏଲ ଅଭିଯୋଗ କରିଛି ଗୋଲାନ ହାଇଟ୍ସରେ ଏହାର ସୈନିକଙ୍କ ଉପରେ ୨୦ଟି ରକେଟ ମାଡ ହୋଇଥିଲା। ଫେଜର ଓ ଗ୍ରାଡ ବର୍ଗର ଏହି କ୍ଷେପଣାସ୍ତ୍ରକୁ ବୁଧବାର ମଧ୍ୟରାତ୍ରରେ ମାଡ କରାଯାଇଥିଲା। ଇସ୍ରାଏଲର କ୍ଷେପଣାସ୍ତ୍ର ନିରୋଧ ବ୍ୟବସ୍ଥା ଦ୍ୱାରା ୪ଟି କ୍ଷେପଣାସ୍ତ୍ରକୁ ନଷ୍ଟ କରିଦିଆଯାଇଥିଲା। ଅନ୍ୟସବୁ କ୍ଷେପଣାସ୍ତ୍ରକୁ ଗୋଲାନ ହାଇଟ୍ସରେ ପଡିବାକୁ ଦିଆଯାଇ ନଥିଲା। ଏଥିରେ ଇସ୍ରାଏଲର କୌଣସି ସୈନିକ ଆହତ ହୋଇ ନଥିଲେ। ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ଅଲ-କୁଡସ୍‌ ସୈନିକଙ୍କ ଦ୍ୱାରା ଏହି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା। ଅଲ-କୁଡସ୍‌ ସୈନିକମାନେ ହେଉଛନ୍ତି ସିରିଆର ସ୍ୱତନ୍ତ୍ର ବର୍ଗର ସୈନିକ ଯେଉଁମାନେ କି ଇରାନ ସହ ଅନୁବନ୍ଧିତ। ଇସ୍ରାଏଲର ଏହି ଆକ୍ରମଣ ଉପରେ ଇରାନ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ। ରାଷ୍ଟ୍ରପତି ବାସର ଅଲ ଅସାଦଙ୍କୁ ସମର୍ଥନ ଜଣାଇବା ଲାଗି ସିରିୟାରେ ଇରାନ ତାର ସୈନିକ ମୁତୟନ କରିଥିବାବେଳେ ଇସ୍ରାଏଲ ଏହାକୁ ବିରୋଧ କରିଛି।
ସିରିଆର ମାନବାଧିକାର ସଂଗଠନ କହିଛି ଯେ ଇସ୍ରାଏଲ ଅଧିକୃତ ଗୋଲାନ ଅଞ୍ଚଳକୁ ସିରିଆ ପଟୁ ୧୨ରୁ ଅଧିକ କ୍ଷେପଣାସ୍ତ୍ର ମାଡ ହୋଇଛି। ତେବେ ଏହି କ୍ଷେପଣାସ୍ତ୍ରକୁ ଇରାନ ମାଡ କରିଛି ନା ଅନ୍ୟ କେହି ତାହା ସ୍ପଷ୍ଟ ହୋଇ ନାହିଁ। ଏହି ଘଟଣା ପରେ ଗୁରୁବାର ସକାଳେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା। ୧୯୮୧ରେ ଇସ୍ରାଏଲ ଗୋଲାନ ହାଇଟ୍ସକୁ ସିରିଆ ଠାରୁ ଅକ୍ତିଆର କରିଥିଲା। ତେବେ ଜାତିସଂଘ ଏହାକୁ ଅନୁମୋଦନ କରି ନାହିଁ।

Leave A Reply