କଲକାତାକୁ ପୁଣିଥରେ ହରାଇଲା ମୁମ୍ବଇ

0

କଲକାତା : ଆଇପିଏଲ୍‌-୧୧ରେ କଲକାତା ନାଇଟ ରାଇଡର୍ସ (କେକେଆର୍‌) ବିରୋଧରେ ୪ ଦିନରେ ୨ୟ ଥର ବିଜୟଲାଭ କରିଛି ମୁମ୍ବଇ ଇଣ୍ଡିଆନ୍‌ସ। ଦୁଇ ପୂର୍ବତନ ଚମ୍ପିଆନ୍‌ଙ୍କ ମଧ୍ୟରେ ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ କଲକାତାକୁ ୧୦୨ ରନ୍‌ରେ ମୁମ୍ବଇ ପରାସ୍ତ କରିଛି। ଅଦ୍ୟାବଧି ଚଳିତ ଆଇପିଏଲ୍‌ରେ ଏହା ସର୍ବାଧିକ ରନ୍‌ରେ ବିଜୟ। ସୂଚନାଯୋଗ୍ୟ; ଗତ ୬ରେ ଏହି ୨ ଦଳଙ୍କ ମୁକାବିଲାରେ ମଧ୍ୟ ମୁମ୍ବଇ ଜିତିଥିଲା। ଈଶାନ୍‌ କିଷନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ଶର୍ମାଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ମୁମ୍ବଇ ୬ ୱିକେଟରେ ୨୧୦ ରନ୍‌ କରିଥିଲା। ପରେ ନିୟମିତ ୱିକେଟ ହରାଇ କଲକାତା ୧୮ ଓଭରରେ ୧୦୮ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୧୧ଶ ମ୍ୟାଚ୍‌ରେ ୫ମ ବିଜୟ ପରେ ମୁମ୍ବଇ ୪ର୍ଥ ସ୍ଥାନକୁ ଉଠିଛି। ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ପରେ କଲକାତା ୫ମ ସ୍ଥାନକୁ ଖସିଆସିଛି।
ସମ୍ମୁଖରେ ୨୧୧ ରନ୍‌ର ବିଶାଳ ଲକ୍ଷ୍ୟ ଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା। ସୁନୀଲ ନାରାୟଣ ୪ ରନ୍‌କରି ବିଦାୟ ନେବା ପରେ ସାଥୀ ଓପ୍‌ନର କ୍ରିସ୍‌ ଲିନ୍‌ ୧୨ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୦ ରନ୍‌କରି ଆଉଟ ହୋଇଥିଲେ। ରବିନ୍‌ ଉଥପ୍ପା ୧୩ ବଲ୍‌ରୁ ୨ଟି ଛକା ସହ ୧୪ ରନ୍‌ କରିଥିଲେ। ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ଆନ୍ଦ୍ରେ ରସେଲ ମାତ୍ର ୨ ରନ୍‌ କରି ପାରିଥିଲେ। ବେପରୁଆ ଭାବେ ଦୌଡ଼ି ଅଧିନାୟକ ଦିନେଶ କାର୍ତ୍ତିକ ୫ ରନ୍‌ରେ ରନ୍‌ଆଉଟ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ୧୯ ବଲ୍‌ରୁ ୨୧ ରନ୍‌ କରିଥିବା ନୀତୀଶ ରାଣା ଆଉଟ ହୋଇଥିଲେ। ରିଙ୍କୁ ସିଂହ ପୁଣି ବିଫଳ ହୋଇ ୫ ରନ୍‌କରି ବିଦାୟ ନେଇଥିଲେ। ୭୬ ରନ୍‌ରେ କଲକାତା ୭ଟି ୱିକେଟ ହରାଇ ପରାଜୟ ସ୍ୱୀକାର କରି ନେଇଥିଲା। ପାଣ୍ଡ୍ୟା ଭ୍ରାତା କ୍ରୁନାଲ ଓ ହାର୍ଦିକ ୨ଟି ଲେଖାଏଁ ୱିକେଟ ପାଇଥିଲେ।
ଘରୋଇ କଲକାତା ନାଇଟ ରାଇଡର୍ସ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ମୁମ୍ବଇ ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା। ମୁମ୍ବଇର ଓପ୍‌ନର ୬ଷ୍ଠ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୪୬ ରନ୍‌ ଯୋଡ଼ିଥିଲେ। ବାମହାତି ଏଭିନ୍‌ ଲୁଇସ୍‌ ୧୩ ବଲ୍‌ରୁ ୩ଟି ଚୌକା ସହ ୧୬ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। ଚମତ୍କାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ୩୨ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ୯ ଓଭରରେ ମୁମ୍ବଇ ୨ ୱିକେଟରେ ୬୨ ରନ୍‌ କରିଥିବା ବେଳେ ଈଶାନ୍‌ କିଷନ୍‌ଙ୍କ ପ୍ରହାର ଯୋଗୁଁ ପରବର୍ତ୍ତୀ ୫ ଓଭରରୁ ୭୫ ରନ୍‌ ହୋଇଥିଲା। କୁଲଦୀପ ଯାଦବ ବୋଲିଂ କରିଥିବା ୧୪ଶ ଓଭରରେ କିଷନ୍‌ କ୍ରମାଗତ ୪ଟି ଛକା ମାରିଥିଲେ। ୧୫ଶ ଓଭରରେ ଆଉଟ ହୋଇଥିବା ଝାଡ଼ଖଣ୍ଡର ବାମହାତି ଈଶାନ୍‌ କିଷନ୍‌ ୧୭ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ସହ ମାତ୍ର ୨୧ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ୬୨ ରନ୍‌ କରିଥିଲେ। ଅଧିନାୟକ ରୋହିତ ଶର୍ମାଙ୍କ ସହ କିଷନ୍‌ ୩ୟ ୱିକେଟ ପାଇଁ ୮୨ ରନ୍‌ ଯୋଡ଼ିଥିଲେ। ହାର୍ଦିକ ପାଣ୍ଡ୍ୟା ୧୩ ବଲ୍‌ରୁ ୨ଟି ଛକା ସହ ୧୯ ରନ୍‌ କରିଥିଲେ। ରୋହିତ ୩୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୬ ରନ୍‌ କରିଥିଲେ। ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂକରି ୨୨ ରନ୍‌ ନେଇଥିବା ବେନ୍‌ କଟିଙ୍ଗ୍‌ ୯ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ପୀୟୂଷ ଚାୱଲା ୩ଟି ୱିକେଟ ପାଇଥିଲେ।

Leave A Reply