ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବା ଅଭିଳାଷ ଔଦ୍ଧତ୍ୱର ପରିଚାୟକ: ମୋଦି

0

ବାଙ୍ଗରପେଟ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବା ଲାଗି ଯେଉଁ ଅଭିଳାଷ ବ୍ୟକ୍ତ କରିଛନ୍ତି ତାହା ତାଙ୍କ ଔଦ୍ଧତ୍ୱର ପରିଚାୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବୁଧବାର ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ ଦଳର ବରିଷ୍ଠ ନେତାଙ୍କୁ ସୁଯୋଗ ନ ଦେଇ ରାହୁଲ ନିଜେ ପ୍ରଧାନମନ୍ତ୍ରୀ ହେବା ଲାଗି ଅଭିଳାଷ ବ୍ୟକ୍ତ କରିଛନ୍ତି। କଂଗ୍ରେସ ଦଳରେ ଅନେକ ଅଭିଜ୍ଞ ନେତା ଅଛନ୍ତି ଯେଉଁମାନେ ଦଳ ପାଇଁ ଦୀର୍ଘ ବର୍ଷ ଧରି କାମ କରିଆସୁଛନ୍ତି। ଏପରିସ୍ଥିତିରେ ଜଣେ ନିଜକୁ କିପରି ପ୍ରଧାନମନ୍ତ୍ରୀ ହେବାକୁ ଘୋଷଣା କରିପାରିବ। ଏହା ଔଦ୍ଧତ୍ୱ ବ୍ୟତୀତ ଅନ୍ୟ କିଛି ନୁହେଁ। ମୋଦି କହିଛନ୍ତି ଯେ ରାହୁଲ ଜଣେ ଅପରିପକ୍ୱ ନେତା। ଏପରି ଜଣେ ଅପରିପକ୍ୱ ନେତାଙ୍କୁ ଦେଶବାସୀ କଣ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବେ। ରାହୁଲଙ୍କର ନିଜର ସହଯୋଗୀ ଦଳଗୁଡିକ ଉପରେ ବିଶ୍ୱାସ ନାହିଁ। ତେଣୁ ସେ କହିଛନ୍ତି କଂଗ୍ରେସ ଯଦି ଏକାକୀ ସରକାର ଗଠନ କରେ ତେବେ ସେ ପ୍ରଧାନମନ୍ତ୍ରୀ ହେବେ। ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ଗଠନ କରି କଂଗ୍ରେସ ଲୋକସଭା ନିର୍ବାଚନ ଲଢୁଛି। ଲୋକସଭା ନିର୍ବାଚନରେ ଦଳ ବିଭିନ୍ନ ଦଳଗୁଡିକ ସହିତ ମେଣ୍ଟ କରି ନିର୍ବାଚନ ଲଢୁଛି ଓ ମେଣ୍ଟ କରି ସରକାର ଗଠନ କରୁଛି। ମୋଦି କହିଥିଲେ ଯେ କଂଗ୍ରେସ ସଂସ୍କୃତି, ସାମ୍ପ୍ରଦାୟିକତା, ଜାତିଆଣ, ଅପରାଧ, ଦୁର୍ନୀତି ଓ ଠିକା ବ୍ୟବସ୍ଥା ଦ୍ୱାରା ଦେଶ ଆଜି ରସାତଳଗାମୀ। ମଙ୍ଗଳବାର ରାହୁଲ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତ। ୨୦୧୯ ନିର୍ବାଚନରେ କଂଗ୍ରେସ ଯଦି ପୂର୍ଣ୍ଣ ବହୁମତ ହାସଲ କରେ ତେବେ ସେ ଦେଶର ପ୍ରଧାନମନ୍ତ୍ରୀ ହେବେ।

Leave A Reply