ବେଙ୍ଗାଲୁରରୁ ୯ ହଜାର ଭୋଟର ପରିଚୟପତ୍ର ଜବତ ପରେ ବିବାଦ
ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନକୁ ଆଉ ମାତ୍ର ତିନି ଦିନ ରହିଯାଇଥିବା ବେଳେ ରାଜ୍ୟର ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜନୈତିକ ଦଳମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏଭଳି ଏକ ସମୟରେ ବେଙ୍ଗାଲୁରୁର ଏକ ଘରୁ ୯,୭୪୬ ଭୋଟର ପରିଚୟ ପତ୍ର ଜବତ ହୋଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ଏଥିପାଇଁ କଂଗ୍ରେସକୁ ଦୋଷୀ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛି ବିଜେପି। ସେହି ଆସନରେ ନିର୍ବାଚନ ବାତିଲ କରିବାକୁ ବିଜେପି ଦାବି କରିଛି। ଏହାର ଉତ୍ତରରେ କଂଗ୍ରେସ କହିଛି ଯେ ଯେଉଁ କୋଠାରୁ ଭୋଟର ପରିଚୟପତ୍ର ଜବତ ହୋଇଛି ତାହାର ମାଲିକାନା ବିଜେପି ନେତାଙ୍କ ନାମରେ ରହିଛି। ତେଣୁ ଏଥିପାଇଁ ବିଜେପି ହିଁ ଦାୟୀ।