ଜେସିବିକୁ ଧକ୍କା ଦେଲା ଟ୍ରେନ୍‍

0

ଯାଜପୁର: ଏର୍ଣାକୁଲମ୍‍-ହାୱଡ଼ା ଅନ୍ତୋଦୟ ଏକ୍ସପ୍ରେସ୍‍ ଏକ ଜେସିିବିକୁ ଧକ୍କା ଦେଇଛି। ଜେସିବିଟି ଭାଙ୍ଗି ଚୂରମାର ହୋଇଯାଇଥିବା ବେଳେ ଟ୍ରେନ୍‍ ଇଞ୍ଜିନ୍‍ର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ବେଳେ ଏକ୍ସପ୍ରେସ୍‍ ଟ୍ରେନ୍‍ ହରିଦାସପୁର ନିକଟ ୧୫୪ ନଂ ଲେଭଲ୍‍୍‍ କ୍ରସିଂ ପାର ହେଉଥିଲା। ହଠାତ୍‍ ଏକ ଜେସିବି ଟ୍ରେନ୍‍ ସାମ୍ନାକୁ ଆସିଯାଇଥିଲା। ଜେସିବିଟି ଲେଭଲ୍‍ କ୍ରସିଂ ପାର ହେଉଥିବା ବେଳେ ତେଲ ସରିଯିବାରୁ ମଝି ଟ୍ରାକ୍‍ରେ ଅଟକି ଯାଇଥିଲା। ଏ ସମ୍ପର୍କରେ ଷ୍ଟେସନ୍‍ ମାଷ୍ଟରଙ୍କ ନିକଟରେ ଖବର ନଥିବାରୁ ସେ ଟ୍ରେନ୍‍କୁ ଯିବା ପାଇଁ ସବୁଜ ସଙ୍କେତ ଦେଇଥିଲେ। ଟ୍ରେନ୍‍ ଆସୁଥିବା ଦେଖି ଜେସିବିର ଡ୍ରାଇଭର ଗାଡ଼ି ଛାଡ଼ି ଦୌଡ଼ି ପଳାଇ ଯାଇଥିବାରୁ ବର୍ତ୍ତି ଯାଇଥିଲେ। ଜେସିବିକୁ ଦେଖିପାରିଥିଲେ ଟ୍ରେନ୍‍ ଚାଳକ। କିନ୍ତୁ ହଠାତ ବ୍ରେକ୍‍ ମାରିବା ସମ୍ଭବ ନଥିବାରୁ ଧୀରେ ଧୀରେ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜେସିବିକୁ ଧକ୍କା ଦେଇ ଟ୍ରେନ୍‍ ଅଟକିଥିଲା। ସେଠାରେ ଜଗୁଆଳି ଥିଲେ ମଧ୍ୟ ଠିକ୍‍ ସମୟରେ ଗେଟ୍‍ ନ ପକାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ସମ୍ପୃକ୍ତ ଜଗୁଆଳି ଯଶୋବନ୍ତ ସ୍ୱାଇଁଙ୍କୁ ନିଲମ୍ବନ କରାଯାଇଛି। ସୌଭାଗ୍ୟବଶତଃ ଧନଜୀବନ କ୍ଷୟକ୍ଷତି ହୋଇନାହିଁ। ଡାଉନ୍‍ ଲାଇନ୍‍ରେ ଟ୍ରେନ୍‍ ଚଳାଚଳ ବନ୍ଦ ରହିଛି। ସେଠାରୁ ଟ୍ରେନ୍‍କୁ ଆଣିବା ପାଇଁ ଅନ୍ୟ ଏକ ଇଞ୍ଜିନ ପଠାଯାଇଛି। ଅନୁସନ୍ଧାନ ଜାରି ରହିଛି। ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନ୍‍ କର୍ତ୍ତୃପକ୍ଷ କହିଛନ୍ତି।

Leave A Reply