କିଙ୍ଗ୍‌ସ ଏକାଦଶକୁ ହରାଇଲା ରାଜସ୍ଥାନ

0

ଜୟପୁର : ଆଇପିଏଲ୍‌-୧୧ରେ ମଙ୍ଗଳବାର କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୧୫ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍‌ସ। କେ.ଏଲ୍‌. ରାହୁଲଙ୍କ ଅପରାଜିତ ୯୫ ରନ୍‌ ଇନିଂସ ଉପରେ ଭାରିପଡ଼ିଛି ଜୋସ୍‌ ବଟ୍‌ଲରଙ୍କ ୮୨ ରନ୍‌। ବଟ୍‌ଲରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ ବିଫଳ ହେବାରୁ ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂକରି ୮ ୱିକେଟରେ ୧୫୮ ରନ୍‌ କରିଥିଲା। ପରେ କେ.ଏଲ୍‌. ରାହୁଲଙ୍କ ଅପରାଜିତ ୯୫ ରନ୍‌ ସତ୍ତ୍ୱେ ପଞ୍ଜାବ ୭ ୱିକେଟରେ ୧୪୩ ରନ୍‌ କରି ପାରିଥିଲା। ୧୦ମ ମ୍ୟାଚ୍‌ରେ ୪ର୍ଥ ପରାଜୟ ପରେ ପଞ୍ଜାବ ପୂର୍ବପରି ୩ୟ ସ୍ଥାନରେ ରହିଛି। ୧୦ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ରାଜସ୍ଥାନ ପ୍ଲେଅଫ୍‌ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି।
ଏହା ଏକ ସଂଯୋଗ ହୋଇପାରେ ଯେ ମ୍ୟାଚ୍‌ର ଉଭୟ ଇନିଂସରେ ଜଣେ ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ରାଜସ୍ଥାନ ରୟାଲ୍‌ସ ପାଇଁ ଜୋସ୍‌ ବଟ୍‌ଲର ଏକା ଲଢ଼ିଥିବା ବେଳେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଇନିଂସରେ କେ.ଏଲ୍‌. ରାହୁଲଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। କିଙ୍ଗ୍‌ସ ଏକାଦଶ ୧୪ଶ ଓଭରରେ ୮୧ ରନ୍‌କରି ୬ଟି ୱିକେଟ ହରାଇ ସଙ୍କଟରେ ପଡ଼ି ଯାଇଥିଲା। ଗୋଟିଏ ପଟେ ଚଳିତ ସଂସ୍କରଣରେ ପଞ୍ଜାବର ସର୍ବାଧିକ ସ୍କୋରର କେ.ଏଲ୍‌. ରାହୁଲ ନିୟମିତ ଷ୍ଟ୍ରୋକ୍‌ ଖେଳି ଚାଲିଥିବା ବେଳେ ଅନ୍ୟ ପଟୁ ନିୟମିତ ଭାବେ ୱିକେଟ ପଡ଼ି ଚାଲିଥିଲା। କ୍ରିସ୍‌ ଗେଲ୍‌ ୧ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଆର୍‌. ଅଶ୍ୱିନ ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଖାତା ଖୋଲି ପାରିନଥିଲେ। କରୁଣ ନାୟାର ୩, ଅକ୍ଷଦୀପ ନାଥ ୯, ମନୋଜ ତିୱାରୀ ୭ ଓ ଅକ୍ଷର ପଟେଲ ୯ ରନ୍‌ କରି ପାରିଥିଲେ। ପରେ ରାହୁଲ ଓ ମାର୍କସ ଷ୍ଟୋଇନିସ୍‌ କ୍ରିଜ୍‌ରେ ଥିବା ବେଳେ ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିଲା। ଶେଷ ୩ ଓଭରରୁ ୫୭ ରନ୍‌ ଆବଶ୍ୟକ ଥିବା ବେଳେ ପଞ୍ଜାବ ପଛରେ ପଡ଼ି ଯାଇଥିଲା। ଷ୍ଟୋଇନିସ୍‌ ୧୧ ରନ୍‌ କରିଥିଲେ। ରାହୁଲ ୭୦ ବଲ୍‌ରୁ ୨ଟି ଛକା ଓ ୧୧ଟି ଚୌକା ସହ ୯୫ ରନ୍‌କରି ଅପରାଜିତ ଥିଲେ। କେ. ଗୌତମ ୨ଟି ୱିକେଟ ନେଇଥିଲେ।
ଘରୋଇ ଦଳ ରାଜସ୍ଥାନ ରୟାଲ୍‌ସ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରି ଥିଲା। ଟସ୍‌ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଇନିଂସ ଆରମ୍ଭରୁ ଇଂଲଣ୍ଡର ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟ୍‌ଲର ଚମତ୍କାର ଷ୍ଟ୍ରୋକ୍‌ସବୁ ଖେଳି ଚାଲିଥିଲେ। ଫଳରେ ୭ମ ଓଭରରେ ରାଜସ୍ଥାନର ସ୍କୋର୍‌ ୬୪ ରନ୍‌ ହୋଇଥିବା ବେଳେ ଆଉଟ ହୋଇଥିବା ଦୁଇ ବ୍ୟାଟ୍‌ସମ୍ୟାନ୍‌ ଅଧିନାୟକ ଅଜିଙ୍କ୍ୟ ରାହାଣେ ୯ ଓ କେ. ଗୌତମ ୮ ରନ୍‌ କରି ପାରିଥିଲେ। ବଟ୍‌ଲରଙ୍କୁ ସଞ୍ଜୁ ସାମ୍‌ସନ କିଛିଟା ସହଯୋଗ ଦେଇଥିଲେ। ୩ୟ ୱିକେଟ ପାଇଁ ବଟ୍‌ଲର ଓ କେରଳୀ ବ୍ୟାଟ୍‌ସମ୍ୟାନ୍‌ ସାମ୍‌ସନ ଠିକ୍‌ ୮ ଓଭରରୁ ୫୩ ରନ୍‌ ଯୋଡ଼ିଥିଲେ। ସାମ୍‌ସନ ୧୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌କରି ଆଉଟ ହୋଇଥିଲେ। ପରେ ବେନ୍‌ ଷ୍ଟୋକ୍‌ସ ପୁଣି ବିଫଳ ହୋଇ ମାତ୍ର ୧୪ ରନ୍‌କରି ବିଦାୟ ନେଇଥିଲେ। ଷ୍ଟୁଆର୍ଟ ବିନ୍ନି ଗୋଟିଏ ଛକା ସହ ୧୧ ଓ ମହିପାଳ ଲୋମରର ଅପରାଜିତ ୯ ରନ୍‌ କରିଥିଲେ। ୧୭ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ଜୋସ୍‌ ବଟ୍‌ଲର ବିସ୍ଫୋରକ ଇନିଂସ ଖେଳି ୫୮ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୮୨ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ଫାଷ୍ଟବୋଲର ଆଣ୍ଡରୁ ଟାଇ ୪ଟି ଓ ଆଫ୍‌ଗାନ ଅଫ୍‌ସ୍ପିନର ମୁଜିବ୍‌ ଉର୍‌ ରେହ୍‌ମାନ ମାତ୍ର ୨୧ ରନ୍‌ଦେଇ ୨ଟି ୱିକେଟ ନେଇଥିଲେ।

Leave A Reply