୧୦ହଜାର କୋଟି ଟଙ୍କାର ମାମଲା ହାରିଲେ ମାଲ୍ୟା

0

ବ୍ଲମବର୍ଗ : ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ବି୍ରଟେନ ଅଦାଲତରେ ୧୦ହଜାର କୋଟି ଟଙ୍କା (୧୫୫କୋଟି ଡଲାର)ର ଏକ ମାମଲା ହାରିଯାଇଛନ୍ତି। ମାଲ୍ୟାଙ୍କ ଠାରୁ ୧୦ହଜାର କୋଟି ଟଙ୍କା ଋଣ ଆଦାୟ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କ ମାମଲା ରୁଜୁ କରିଥିଲେ। ଆଇଡିବିଆଇ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କମାନେ ଏହି ମାମଲା ରୁଜୁ କରିଥିଲେ। ମାଲ୍ୟା ତାଙ୍କର କିଙ୍ଗଫିସର ଏୟାର ଲାଇନ୍ସ ପାଇଁ ନେଇଥିବା ୧୪୦କୋଟି ଡଲାର ଋଣକୁ ଉଦ୍ଦେଶ୍ୟମୂଳକ ଭାବେ ପରିଶୋଧ ନ କରି ବୁଡାଇ ଦେଇଥିଲେ। ଲଣ୍ଡନ ଅଦାଲତର ବିଚାରପତି ଆଣ୍ଡ୍ରୁ୍ୟ ହେନସ କହିଛନ୍ତି ଯେ ମାଲ୍ୟାଙ୍କ ଠାରୁ ଋଣ ଅର୍ଥ ଆଦାୟ ପାଇଁ ଭାରତୀୟ ଅଦାଲତଙ୍କ ରାୟକୁ ବ୍ୟାଙ୍କଗୁଡିକ କାର୍ଯ୍ୟକାରୀ କରିପାରିବେ। ମାଲ୍ୟାଙ୍କ ଠାରୁ ଋଣ ଅର୍ଥ ଆଦାୟ ପାଇଁ ବିଶ୍ୱବ୍ୟାପୀ ଥିବା ତାଙ୍କ ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ ଲାଗି ନିର୍ଦେଶ ଦିଆଯାଇଛି। ଏପରି ନିର୍ଦେଶ ଉପରେ ରହିତାଦେଶ ଦେବାକୁ ମାଲ୍ୟା ଆବେଦନ କରିଥିବାବେଳେ ବି୍ରଟେନ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ମାଲ୍ୟାଙ୍କ ଓକିଲ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଏପରିକି ଅଦାଲତଙ୍କ ଏହି ନିର୍ଦେଶକୁ କୋର୍ଟ ଅଫ ଅପିଲରେ ଆବେଦନ ପାଇଁ ଅନୁମତି ମିଳି ନାହିଁ। ତେବେ ମାଲ୍ୟା ସିଧାସଳଖ ଏହାକୁ କୋର୍ଟ ଅଫ ଅପିଲରେ ଆବେଦନ କରିବେ ବୋଲି ଜଣାଯାଇଛି। ଭାରତୀୟ ବ୍ୟାଙ୍କ ଗୁଡିକ ପକ୍ଷରୁ ମାମଲା ଲଢୁଥିବା ଲଣ୍ଡନର ଟିଏଲଟି ଲ’ ଫାର୍ମ କହିଛି ଯେ ଅଦାଲତଙ୍କ ଏହି ରାୟ ପରେ ମାଲ୍ୟାଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ଭାରତୀୟ ଟ୍ରାଇବୁନାଲ ଦେଇଥିବା ନିର୍ଦେଶକୁ କାର୍ଯ୍ୟକାରୀ କରାଯିବାରେ କୌଣସି ପ୍ରତିବନ୍ଧକ ନାହିଁ। ମାଲ୍ୟାଙ୍କ କିଙ୍ଗ ଫିସର ଏୟାର ଲାଇନ୍ସ ଆଇଡିବିଆଇ ବ୍ୟାଙ୍କରୁ ୯୧୦୦କୋଟି ଟଙ୍କା (୧୪୦ କୋଟି ଡଲାର) ଋଣ ନେଇ ଆତ୍ମସାତ କରିଛି। ବ୍ୟାଙ୍କ ଋଣ ଠକେଇ ଓ ଜାଲିଆତିକୁ ନେଇ ମାଲ୍ୟାଙ୍କ ବିରୋଧରେ ଅନେକ ମାମଲା ଚାଲୁରହିଛି। ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଆବେଦନ କରିଥିବାବେଳେ ଏଥିପାଇଁ ସେ ଗିରଫ ହୋଇ ଜାମିନରେ ଅଛନ୍ତି।

Leave A Reply