ଜିନ୍‌ପିଙ୍ଗ୍‌- କିମ୍‌ ସାକ୍ଷାତ ଆଲୋଚନା

0

ବେଜିଂ : ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍‌ ଜଙ୍ଗ୍‌ ଉନ୍‌ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ସାକ୍ଷାତ କରିଛନ୍ତି। ଗତ ମାର୍ଚ୍ଚ ମାସରେ କିମ୍‌ ଚୀନ୍‌ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଉତ୍ତର ଚୀନ୍‌ର ବନ୍ଦର ନଗରୀ ଡାଲିଆନ୍‌ଠାରେ ସେମାନଙ୍କ ମଧ୍ୟରେ ପୁନଃ ସାକ୍ଷାତ ଆଲୋଚନା ହୋଇଛି। ଚୀନ୍‌ର ଜିନୁଆ ନ୍ୟୁଜ୍‌ ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଆଧାରିତ ବିଷୟ ଉପରେ ଆଲୋଚନା କରିଛନ୍ତି। ଚୀନ୍‌ ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଯୁଦ୍ଧବିମାନବାହୀ ଜାହାଜର ଜଳାବତରଣ କାର୍ଯ୍ୟକ୍ରମରେ ଉଭୟ ଏକାଠି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି। ଉତ୍ତର କୋରିଆ ଆଗକୁ ଘୋଷଣାମତେ ଆଣବିକ ନିରସ୍ତ୍ରୀକରଣ କାର୍ଯ୍ୟକ୍ରମକୁ ନିଧାର୍ଯ୍ୟ କରିବ ବୋଲି ଏହି ଆଲୋଚନାରୁ ସୂଚନା ମିଳିଛି। ଜିନ୍‌ପିଙ୍ଗ୍‌ ଉତ୍ତରକୋରିଆର ଅର୍ଥନୈତିକ ବିକାଶରେ ଚୀନ୍‌ ସହଯୋଗ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଗତ ମାସରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଯାଏ ଇନ୍‌ଙ୍କୁ ଭେଟି ଇତିହାସ ସୃଷ୍ଟି କରିବା ପରେ କିମ୍‌ ଚଳିତ ମାସ ଶେଷ ସୁଦ୍ଧା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପୁଣି ଏକ ଐତିହାସିକ ସମ୍ମିଳନୀରେ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply