କାବେରୀ ବିବାଦ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

0

ଜାମ୍ମୁ : କାବେରୀ ନଦୀ ଆବଣ୍ଟନ ବିବାଦକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। କାବେରୀ ନଦୀ ଜଳ ଆବଣ୍ଟନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବାରେ ସରକାରଙ୍କ ବିଫଳତାକୁ ନେଇ ଏପରି ସମାଲୋଚନା କରାଯାଇଛି। ଏପରି କି ମେ ୧୪ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଫେବୃଆରୀ ୧୬ରେ ସୁପ୍ରିମକୋର୍ଟ କାବେରୀ ନଦୀ ଜଳ ଆବଣ୍ଟନ ସମ୍ପର୍କରେ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ସରକାର ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ଯୋଜନା ପ୍ରସ୍ତୁତ କରି ନାହାନ୍ତି। ନିର୍ଦେଶ ପାଳନରେ ଅବହେଳା ନେଇ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲୁ କରାଯିବ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ ଧମକ ଦେଇଛନ୍ତି। ତେବେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଥିଲେ ଯେ କାବେରୀ ନଦୀ ଜଳ ବଣ୍ଟନ ପାଇଁ ଆବଶ୍ୟକ ଚିଠା ଯୋଜନା ପ୍ରସ୍ତୁତ କରାଯାଇଛି। ମାତ୍ର ଏହି ଚିଠା ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳି ନାହିଁ। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ଏହି ଚିଠାକୁ କ୍ୟାବିନେଟ ଅନୁମୋଦନ ମିଳିପାରି ନାହିଁ। ଆଟର୍ଣ୍ଣି ଜେନେରାଲଙ୍କ ଏପରି ଯୁକ୍ତି ପରେ ସୁପ୍ରିମକୋର୍ଟ ଉକ୍ତ ଚିଠା ଯୋଜନା ସହ ମେ ୧୪ରେ ହାଜର ହେବା ଲାଗି ଜଳସମ୍ପଦ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply