ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ: ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହୃତ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ମହାଅଭିଯୋଗ ପ୍ରସ୍ତାବ ଖାରଜ ସଂକ୍ରାନ୍ତୀୟ ମାମଲାକୁ ଆବେଦନକାରୀ ପ୍ରତ୍ୟାହାର କରି ନେଇଛନ୍ତି। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଆଜି ଏହାର ଶୁଣାଣି ହେବାର ଥିଲା। ଆବେଦନ ପ୍ରତ୍ୟାହାର ପରେ ମାମଲାକୁ ଖଣ୍ଡପୀଠ ଖାରଜ କରିଛନ୍ତି। ଜଷ୍ଟିସ୍‍ ଏ କେ ସିକ୍ରି, ଏସ୍‍ ଏ ବୋବ୍‍ଡେ, ଏନ୍‍ ଭି ରମଣ, ଅରୁଣ ମିଶ୍ର ଓ ଏ କେ ଗୋୟଲଙ୍କୁ ନେଇ ଖଣ୍ଡପୀଠ ଗଠନ ହୋଇଥିଲା। କଂଗ୍ରେସ ପକ୍ଷରୁ ଗତ ୨୩ ତାରିଖରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା। କିନ୍ତୁ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇଥିଲେ। ଉପରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦୁଇ ଜଣ କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜ୍‍ୱା ଓ ଆମି ଏଚ୍‍ ୟାଜନିକ୍‍ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ନିର୍ଦେଶ ଦେଇଥିଲେ। ତେବେ କେଉଁ ଆଧାରରେ ଆବେଦନକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଗଲା ସେ ସମ୍ପର୍କିତ ନିର୍ଦେଶର ନକଲ ଦେବାକୁ ଆବେଦନକାରୀଙ୍କ ଓକିଲ କପିଲ୍‍ ଶିବଲ୍‍ ଦାବି କରିଥିଲେ। କିନ୍ତୁ ଖଣ୍ଡପୀଠ ନିର୍ଦେଶର ନକଲ ଦେବାକୁ ମନା କରିଦେବାରୁ ମାମଲାକୁ କପିଲ୍‍ ଶିବଲ୍‍ ପ୍ରତ୍ୟାହାର କରି ନେଇଥିଲେ। ଏହି ଘଟଣା ପରେ ବିଜେପି କଂଗ୍ରେସର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛି।

Leave A Reply