ପ୍ରଥମଥର ବିଶ୍ବକପ୍‌ ଦଳରେ ୭ ଭାରତୀୟ

ନୂଆଦିଲ୍ଲୀ  : ଆଇସିସି ଦିିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପଯ୍ୟନ୍ତ ଭାରତରେ ଖେଳାଯିବ। ଏଥିପାଇଁ ବିସିସିଆଇ ପକ୍ଷରୁ ମଙ୍ଗଳବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା। ଦଳରେ ୭ଜଣ ଖେଳାଳି ପ୍ରଥମ ଥର ପାଇଁ ବିଶ୍ବକପ ଖେଳିବାକୁ ଯାଉଛନ୍ତି।
ଈଶାନ କିଷନ : ଋଷଭ ପନ୍ତ୍‌ ଦୁର୍ଘଟଣାର ଶିକାର ହେବା ପରେ କ୍ରିକେଟଠାରୁ ଦୂରରେ ରହିଛନ୍ତି। ୱିକେଟରକ୍ଷକ ବିଭାଗରେ ଦିନିକିଆ ବିଶ୍ବକପରେ ପନ୍ତ୍‌ଙ୍କ ସ୍ଥାନ ନେବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ସବୁ ଚର୍ଚ୍ଚାକୁ ଈଶାନ କିଷନ ପୁନଃଚ୍ଛେଦ ପକାଇଛନ୍ତି। ବାମହାତୀ ୱିକେଟରକ୍ଷକ ଈଶାନ ନିଜର ଦକ୍ଷତାକୁ ପ୍ରତିପାଦିତ କରି ବିଶ୍ବକପ ଦଳରେ ପ୍ରଥମ ପସନ୍ଦର ୱିକେଟ ରକ୍ଷକ ଭାବେ ସ୍ଥାନ ପାଇଛନ୍ତି। କିଷନ ଚଳିତ ଏସିଆ କପ୍‌ର ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଦାୟିତ୍ବପୂର୍ଣ୍ଣ ଇନିଂସ ଖେଳି ଦକ୍ଷତାର ପରିଚୟ ଦେଇଛନ୍ତି। ବିଶ୍ବକପରେ ଈଶାନ ୫ମ ସ୍ଥାନରେ ଖେଳିପାରନ୍ତି। ୨୦ ବର୍ଷୀୟ ଈଶାନ ୧୯ଟି ଦିନିକିଆ ଖେଳି ୧୭ଟି ଇନିଂସରୁ ୭ଟି ଅର୍ଦ୍ଧଶତକ ଓ ଗୋଟିଏ ଦ୍ବିଶତକ ସହ ୭୭୬ରନ କରିଛନ୍ତି।
ଶୁବମାନ୍‌ ଗିଲ୍‌ : ଭାରତୀୟ କ୍ରିକେଟର ଯୁବ ବ୍ୟାଟ୍‌ସମ୍ୟାନ ୨୪ ବର୍ଷୀୟ ଶୁବମାନ୍‌ ଗିଲ୍‌ ପ୍ରଥମ ଥର ପାଇଁ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି। ଡାହାଣହାତୀ ଓପନର ଶୁବମାନ୍‌ କ୍ରିକେଟର ୩ଟି ଯାକ ଫର୍ମାଟରେ ନିଜର ଉପସ୍ଥିତିକୁ ଜାହରି କରିବାରେ ସଫଳ ହୋଇଛନ୍ତି। ଓପନର ଭାବେ ଗିଲ୍‌ ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି। ଗିଲ୍ ଭାରତୀୟ ପିଚରେ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି। ଗିଲ୍‌ ଏପର୍ଯ୍ୟନ୍ତ ୨୯ଟି ଦିନିକିଆ ମ୍ୟାଚ ଖେଳି ୪ଟି ଶତକ ଓ ୭ଟି ଅର୍ଦ୍ଧଶତକ ସହ ୬୩.୧ ପ୍ରତିଶତ ହାରରେ ୧୫୧୪ରନ କରିଛନ୍ତି। ଯେଉଁଥିରେ ଏକ ଦ୍ବିଶତକ ମଧ୍ୟ ରହିଛି।
ସୂର୍ଯ୍ୟକୁମାର ଯାଦବ: ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପ୍ରଥମ ଥର ଲାଗି ଦିନିକିଆ ବିଶ୍ବକପ ଖେଳିବାକୁ ଯାଉଛନ୍ତି। ଟ୍ବେଣ୍ଟି୨୦ର ମାଷ୍ଟର ସୂର୍ଯ୍ୟକୁମାର ମଧ୍ୟଭାଗରେ ଜଣେ ଚମତ୍କାର ବ୍ୟାଟ୍‌ସମ୍ୟାନ । କିନ୍ତୁ ଦିନିକିଆରେ ଏପର୍ଯ୍ୟନ୍ତ ନିଜର ଦକ୍ଷତାକୁ ସଠିକ ଭାବେ ଉପଯୋଗ କରିବାରେ ସକ୍ଷମ ହୋଇନାହାନ୍ତି। ଚଳିତ ବିଶ୍ବକପରେ ତାଙ୍କୁ ମଧ୍ୟଭାଗରେ ଶ୍ରେୟାସ ଆୟରଙ୍କ ବୀପରିତ ଖେଳାଳି ଭାବେ ରଖାଯାଇଛି। ୩୦ ବର୍ଷୀୟ ସୂଯ୍ୟକୁମାର ୨୬ଟି ଦିନିକିଆରୁ ୨ଟି ଅର୍ଦ୍ଧଶତକ ସହ ୫୧୧ରନ କରିଛନ୍ତି।
ଶ୍ରେୟାସ ଆୟର : ଆହତ ସମସ୍ୟାରୁ ମୁକୁଳିବା ପରେ ମଧ୍ୟଭାଗ ବ୍ୟାଟ୍‌ସ୍ୟାନ ଶ୍ରେୟାସ ଆୟାର ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି। ଆୟର ମଧ୍ୟଭାଗରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍‌ସମ୍ୟାନ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଆୟର ପ୍ରଥମ ଥର ପାଇଁ ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି। ୨୯ ବର୍ଷୀୟ ଆୟର ଏପର୍ଯ୍ୟନ୍ତ ୪୪ଟି ଦିନିକିଆ ଖେଳି ୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ୪୫.୬୯ ପ୍ରତିଶତ ହାରରେ ୧୬୪୫ରନ କରିଛନ୍ତି। ବିଶ୍ବକପରେ ମଧ୍ୟକ୍ରମରେ ଭାରତ ପାଇଁ ଉପଯୋଗୀ ହେବା ନେଇ ଆଶା କରାଯାଉଛି।
ସାର୍ଦୁଳ ଠାକୁର : ବୋଲିଂ ଅଲରାଉଣ୍ଡର ଭାବେ ସାର୍ଦୁଳ ଠାକୁର ପ୍ରଥମ ଥର ପାଇଁ ଦିନିକିଆ ବିଶ୍ବକପରେ ସ୍ଥାନ ପାଇଛନ୍ତି। ସାର୍ଦୁଳ ଭାରତୀୟ ପିଚରେ ବ୍ୟାଟିଂ ଓ ବୋଲିଂରେ ଉପଯୋଗୀ ସାବ୍ୟସ୍ତ ହେବା ନେଇ ଆଶା କରାଯାଉଛି। ୩୨ ବର୍ଷୀୟ ମିଡ଼ିୟମ ଫାଷ୍ଟ ବୋଲର ସାର୍ଦୁଳ ୪୦ଟି ଦିନିକିଆରୁ ୩୧୮ରନ କରିଥିବାବେଳେ ବୋଲିଂରେ ୫୯ଟି ୱିକେଟ ନେଇଛନ୍ତି। ଦଳୀୟ ମ୍ୟାନେଜମେଣ୍ଟ ବିଶ୍ବକପରେ ତାଙ୍କଠାରୁ ଅଲରାଉଣ୍ଡର ପ୍ରଦର୍ଶନ ନେଇ ଆଶା ରଖିଛି।
ଅକ୍ଷର ପଟେଲ : ବାମହାତୀ ସ୍ପିନର ଅକ୍ଷର ପଟେଲ ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି। ୩୦ ବର୍ଷୀୟ ଅକ୍ଷର ୫୨ଟି ଦିନିକିଆରୁ ୨ଟି ଅର୍ଦ୍ଧଶତକ ସହ ୪୧୩ରନ କରିଥିବାବେଳେ ବୋଲିଂରେ ୫୮ଟି ୱିକେଟ ମଧ୍ୟ ନେଇଛନ୍ତି।
ମହମ୍ମଦ ସିରାଜ୍‌ : ବିଶ୍ବକପ ଭାରତୀୟ ଦଳରେ ଦ୍ରୁତ ବୋଲର ସ୍ପେଶାଲିଷ୍ଟ ଭାବେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କ ସହ ମହମ୍ମଦ ସିରାଜ୍‌ ସ୍ଥାନ ପାଇଛନ୍ତି। ପ୍ରଥମ ଥର ଲାଗି ବିଶ୍ବକପ ଖେଳିବାକୁ ଯାଉଥିବା ସିରାଜ୍‌ଙ୍କ ଗତି ଓ ସୁଇଂ ବିପକ୍ଷ ଦଳର ବ୍ୟାଟ୍‌ସମ୍ୟାନଙ୍କୁ ଅଡୁଆରେ ପକାଇବା ନେଇ ଆଶା କରାଯାଉଛି। ୩୦ ବର୍ଷୀୟ ସିରାଜ୍‌ ଏପର୍ଯ୍ୟନ୍ତ ୨୬ଟି ଦିନିକିଆରୁ ୪୬ଟି ୱିକେଟ ନେଇଛନ୍ତି। ୩୨ରନରେ ୪ଟି ୱିକେଟ ଶ୍ରେଷ୍ଠ ପ୍ରଦର୍ଶନ ରହିଛି।

Comments are closed.