ଗୋଆରେ ଆସନ୍ତାକାଲିଠାରୁ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ
ପଣଜୀ : ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୩ତମ ସଂସ୍କରଣ ଆସନ୍ତାକାଲିଠାରୁ ଗୋଆରେ ଅନୁଷ୍ଠିତ ହେବ। ତାଲେଇଗାଓଁ ସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ଚଳଚ୍ଚିତ୍ର ସମାରୋହରେ ୭୯ ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଅଷ୍ଟ୍ରେଲିଆ ଚଳଚ୍ଚିତ୍ର ‘ଆଲ୍ମା ଆଣ୍ଡ୍ ଅସ୍କାର’ ଉଦ୍ଘାଟନୀ ଉତ୍ସବରେ ପ୍ରଥମେ ପ୍ରଦର୍ଶିତ ହେବ । ସତ୍ୟଜିତ ରାୟ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସ୍ପେନୀୟ ଚଳଚ୍ଚିତ୍ର ନିର୍ମାତା କାର୍ଲୋସ ସୌରଙ୍କୁ ସମ୍ମାନିତ କରାଯିବ। ଦାଦାସାହେବ ଫାଲକେ ପୁରସ୍କାର ବିଜେତା ଆଶା ପାରେଖଙ୍କ ଅତୀତର ସ୍ମୃତି କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଚଳଚ୍ଚିତ୍ର ତିସରୀ ମଞ୍ଜିଲ, ଦୋ ବଦାଁ ଏବଂ କଟି ପତଙ୍ଗ ପ୍ରଦର୍ଶିତ ହେବ। ‘ଇଣ୍ଡିଆନ ପାନୋରାମା’ରେ ୨୫ଟି ଫିଚର ଏବଂ ୨୦ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବ । ‘ଶ୍ରଦ୍ଧାଞ୍ଜଳି’ ବର୍ଗରେ ୧୫ଟି ଭାରତୀୟ ଏବଂ ୫ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଭାରତ ରତ୍ନ ଲତା ମଙ୍ଗେସକର, ଗାୟକ-ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ, ବିଶିଷ୍ଟ କଥକ ନୃତ୍ୟଶିଳ୍ପ ପଣ୍ଡିତ ବିର୍ଜୁ ମହାରାଜ, ଅଭିନେତା ରମେଶ ଦେଓ ଏବଂ ମାହେଶ୍ବରୀ ଆମ୍ମା, ଗାୟକ କେକେ, ନିର୍ଦ୍ଦେଶକ ତରୁନ, ଅହମୀୟା ଅଭିନେତା ଓ ମଞ୍ଚ କଳାକାର ମଜୁମଦାର ଏବଂ ଗାୟକ ଭୂପିନ୍ଦର ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ୨୮ ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମ ମହୋତ୍ସବ ଚାଲିବ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଚଳଚ୍ଚିତ୍ର ମହୋତ୍ସବର ସଫଳତା ଲାଗି ଶୁଭେଚ୍ଛା ଜଣାଇଛନ୍ତି । ଭାରତର ଆନ୍ତର୍ଜାତିକ ସଂପର୍କ ବୃଦ୍ଧି ଦିଗରେ ଏହି ଚଳଚ୍ଚିତ୍ର ମହୋତ୍ସବର ଅନେକ ଅବଦାନ ରହିଛି ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଏହି ସଂସ୍କରଣ ନିମନ୍ତେ ଶୁଭେଚ୍ଛା ଜଣାଇ କହିଛନ୍ତି ଗୋଆରେ ଏକତ୍ରିତ ହେବାକୁ ଥିବା ଏହି କ୍ଷୁଦ୍ର ଦୁନିଆ ମାଧ୍ୟମରେ ପାରସ୍ପରିକ ଆଲୋଚନା ଦ୍ୱାରା କଳାଜଗତକୁ ଉତ୍ତମ ରୂପେ ବୁଝିବା ସହିତ ନୂତନ କଥା ଶିଖିବା ଲାଗି ସୁଯୋଗ ମିଳିବ। ଆଇଏଫଏଫଆଇ ଏବଂ ଭାରତୀୟ ଚଳଚ୍ଚିତ୍ର ଜଗତ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ବିଭିନ୍ନ ଭାରତୀୟ ଭାଷାରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ଅଧିକ ପରିମାଣରେ ଅନ୍ତର୍ଜାତୀୟ ଦର୍ଶକମାନଙ୍କ ନିକଟରେ ପହଞ୍ଚୁଛି ଏବଂ ସାରା ବିଶ୍ୱରେ ଏହାକୁ ପ୍ରଶଂସା କରାଯାଉଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ସାମାଜିକ ଗତିଶୀଳତାକୁ ପ୍ରତିଫଳିତ କରିବା ଏବଂ ଆକାର ଦେବା କ୍ଷେତ୍ରରେ ଚଳଚ୍ଚିତ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ପ୍ରତିବନ୍ଧକକୁ ଅତିକ୍ରମ କରିବା ଏବଂ ଦର୍ଶକଙ୍କ ସହିତ ଏକ ଭାବନାତ୍ମକ ସଂପର୍କ ସ୍ଥାପନ ପାଇଁ ଚଳଚ୍ଚିତ୍ର ଗୁଡ଼ିକର ଅନନ୍ୟ ଦକ୍ଷତା ରହିଛି । ଚଳଚ୍ଚିତ୍ର ଗୁଡ଼ିକ ଶକ୍ତିଶାଳୀ କାହାଣୀ ମାଧ୍ୟମରେ ଜନସାଧାରଣଙ୍କୁ ଶିକ୍ଷିତ କରିବା ସହିତ ମନୋରଂଜନ କରିଥାଏ ଏବଂ ବିଭିନ୍ନ ସକାରାତ୍ମକ କାର୍ଯ୍ୟ କରିବା ଲାଗି ପ୍ରେରଣା ଯୋଗାଇଥାଏ। ସାମାଜିକ ପରିବର୍ତ୍ତନର ଏକ ବାହକ ହେବାରେ ଚଳଚ୍ଚିତ୍ରଗୁଡ଼ିକର ପ୍ରଭାବ ଅତୁଳନୀୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି ଭାରତ ଏକ ସମୃଦ୍ଧ ଏବଂ ବିବିଧ ସଂସ୍କୃତି ସହିତ ଆଶୀର୍ବାଦ ପ୍ରାପ୍ତ ଦେଶ, ଯାହା ହେଉଛି ଆଧୁନିକତା ସହିତ ପରମ୍ପରାର ମିଶ୍ରଣ । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଉତ୍ସବ ନିମନ୍ତେ ଗୋଆ ହେଉଛି ଉପଯୁକ୍ତ ସ୍ଥାନ। ନିଜର ସୁନ୍ଦର ପ୍ରକୃତି ଏବଂ ଜୀବନ୍ତ ସଂସ୍କୃତି ସହିତ ଆଇଏଫଏଫଆଇର ଆୟୋଜନ କରିବା ପାଇଁ ଗୋଆ ଉପଯୁକ୍ତ ପୃଷ୍ଠଭୂମି ପ୍ରଦାନ କରିଥାଏ। ଅଂଶଗ୍ରହଣକାରୀଙ୍କ ସୃଜନଶୀଳ କଳ୍ପନା ଓ ନୂତନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ ଗୋଆ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
Comments are closed.