ଦିନକରେ ଆମେରିକାରେ ୩ ଆତଙ୍କବାଦୀ ଆକ୍ରମଣ: ଆଇଏସ୍‌ର ସମ୍ପୃକ୍ତି ସନ୍ଦେହ, ନ୍ୟୁ ଓର୍ଲିଅନ୍ସ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି

ୱାଶିଂଟନ: ନୂଆବର୍ଷ ପାଳନ ଆରମ୍ଭରୁ ଆମେରିକାରେ ଆତଙ୍କବାଦୀ ଆକ୍ରମଣ ଆରମ୍ଭ ହୋଇଛି। ଏପରିକି ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ତିନିଟି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ (ଆଇଏସ୍‌) ଏହିସବୁ ଆକ୍ରମଣ ଘଟାଇଥିବା ସନ୍ଦେହ କରାଯାଇଛି। ପ୍ରଥମ ଆକ୍ରମଣଟି ବୁଧବାର ସକାଳେ ଆମେରିକାର ଲୁଇସିଆନା ପ୍ରଦେଶର ନ୍ୟୁ ଓର୍ଲିଅନ୍ସ ସହରରେ ଘଟିଛି। ଏଥିରେ ୧୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ଜଣ ଆହତ ହୋଇଛନ୍ତି। ସାମସୁଦ୍‌ ଦିନ ଜାବର ନାମକ ଡ୍ରାଇଭର ପିକ୍‌ଅପ୍‌ ଟ୍ରକକୁ ଦ୍ରୁତ ବେଗରେ ଆଣି ଲୋକଙ୍କ ଉପରେ ମଡାଇ ଦେଇଥିଲେ। ଏହା ସହିତ ଲୋକଙ୍କ ଉପରକୁ ସେ ଆଖିବୁଜା ଗୁଳିମାଡ କରିଥିଲେ। ସାମସୁଦ ପୁଲିସ ଗୁଳିରେ ପ୍ରାଣ ହରାଇଥିଲା। ହତ୍ୟାକାରୀ ଜଣଙ୍କ ସହିତ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସହିତ ସମ୍ପର୍କ ରହିଥିଲା। ଏହି ଦିଗ ଉପରେ ମଧ୍ୟ ତଦନ୍ତ କରାଯାଉଛି।

prayash

ଦ୍ବିତୀୟ ଆକ୍ରମଣଟି ଲସ୍‌ ଭେଗାସ୍‌ର ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ବାହାରେ ହୋଇଛି। ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ପରିଚାଳିତ ହୋଟେଲ ବାହାରେ ଏକ ଟେସ୍‌ଲା ସାଇବର ଟ୍ରକ୍ ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁ ଅର୍ଲିଅନ୍ସ ଓ ଲସ୍‌ ଭେଗାସ୍‌ର ଆକ୍ରମଣ ସମାନ ପ୍ରକାରର ହୋଇଥିବାରୁ ଏଥିରେ ସମାନ ସଂଗଠନର ସମ୍ପୃକ୍ତି ଥିବା ଆଶଙ୍କା କରାଯାଇଛି। ତୃତୀୟ ଆକ୍ରମଣଟି ନ୍ୟୁୟର୍କର ଏକ ନାଇଟ୍ କ୍ଲବରେ ବୁଧବାର ରାତିରେ ଘଟିଛି। ତୃତୀୟ ଆକ୍ରମଣରେ ୧୨ଜଣ ଆହତ ହୋଇଛନ୍ତି। ନାଇଟ୍ କ୍ଲବରେ ନୂଆବର୍ଷ ପାଳନ କରାଯାଉଥିବାବେଳେ କ୍ଲବ ବାହାରେ ଅପେକ୍ଷା କରିଥିବା କେତେକ ଲୋକଙ୍କ ଉପରକୁ ୩-୪ଜଣ ଗୁଳିମାଡ କରିଥିଲେ। ପୁଲିସ କହିବା ଅନୁଯାୟୀ ଲୋକଙ୍କ ଉପରକୁ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଯାଇଛି।

ଗୁଳିମାଡ ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ସେଡାନ୍‌ କାର୍‌ ରାଜ୍ୟ ବାହାରର ନମ୍ବର ପ୍ଲେଟ ରହିଥିଲା। ଏହି ତିନିଟି ଆକ୍ରମଣ ପଛରେ ବଡ ଧରଣର ଷଡଯନ୍ତ୍ର ରହିଥିବା ବିଭିନ୍ନ ତଦନ୍ତକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି। ହ୍ବାଇଟ୍ ହାଉସ୍‌ ଓ ଏଲନ ମସ୍କ ମଧ୍ୟ ଅନୁରୂପ ଆଶଙ୍କା ବ୍ୟକ୍ତ କରିଛନ୍ତି। ନ୍ୟୁ ଓର୍ଲିଅନ୍ସ ଆକ୍ରମଣ ଘଟଣାରେ ବ୍ୟବହୃତ ଗାଡିରୁ ଏକ ଆଇଏସ୍‌ ପତାକା ଉଦ୍ଧାର କରାଯାଇଛି। ବିସ୍ଫୋରଣ ପାଇଁ ଯେଉଁସବୁ ଗାଡି ବ୍ୟବହାର ହୋଇଛି ତାହା ଗୋଟିଏ ସଂସ୍ଥା ଠାରୁ ଭଡାରେ ଆଣାଯାଇଛି। ଏହି ସବୁ ଘଟଣା ଉପରେ ଏଫବିଆଇ ତଦନ୍ତ କରୁଛି। ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆକ୍ରମଣରେ ଆଇଏସ୍‌ର ସମ୍ପୃକ୍ତି ସନ୍ଦେହ ପରେ ଏହାର ସମସ୍ତ ଦିଗ ଉପରେ ଏଫବିଆଇ ତଦନ୍ତ କରୁଛି। ନ୍ୟୁ ଓର୍ଲିଅନ୍ସରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ଏପରି ଆକ୍ରମଣକୁ ସେ କାପୁରୁଷତା ବୋଲି କହିଛନ୍ତି। ଏହା ସହିତ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

Comments are closed.