ନୂଆଦିଲ୍ଲୀ: କରୋନା ଯୋଗୁ ଆଇପିଏଲ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। କଲକାତା ନାଇଟ ରାଇଡର୍ସ (କେକେଆର)ର ୨ ଖେଳାଳି କରୋନାରେ ସଂକ୍ରମିତ ହେବା ପରେ ସୋମବାର ହେବାକୁ ଥିବା କେକେଆର-ଆରସିବି ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହା ମଧ୍ୟରେ ଚେନ୍ନଇ ସୁପର କିଙ୍ଗ୍ସ (ସିଏସକେ)ର ୩ ଜଣ ସଦସ୍ୟ କୋଭିଡ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେମାନେ ହେଲେ ସିଏସକେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କାଶୀ ବିଶ୍ଵନାଥନ, ବୋଲିଂ କୋଚ୍ ବାଲାଜୀ ଏବଂ ଜଣେ ବସ୍ ସଫେଇ କର୍ମଚାରୀ।
ତେବେ ସିଏସକେର କୌଣସି ଖେଳାଳି କରୋନାରେ ଆକ୍ରାନ୍ତ ହୋଇ ନ ଥିବା ଜଣାପଡ଼ିଛି। ଗତ ରବିବାର ଖେଳାଳି ଏବଂ ସଦସ୍ୟମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ତେବେ ୩ ଜଣ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ସୋମବାର ଅଭ୍ୟାସ ସେସନକୁ ବନ୍ଦ କରିଦିଆଯାଇଥିଲା। ଖେଳାଳିମାନେ ଏବେ ଦିଲ୍ଲୀ ଅଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଆଇପିଏଲ ପୂର୍ବରୁ ସିଏସକେ ଟିମ୍ କରୋନା ଦ୍ବାରା ପ୍ରଭାବିତ ହୋଇଥିଲା। ଗତ ଥର ଓପନର ବ୍ୟାଟ୍ସମ୍ୟାନ ରୁତୁରାଜ ଗାଏକୱଡ ଓ ଦ୍ରୁତ ବୋଲର ଦୀପକ ଚହରଙ୍କ ସମେତ ୮ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।



