nua o banner

ରୋଜି ଖୋଜୁଛି ବଞ୍ଚିବାର ରାହା, ଚିକିତ୍ସା ପାଇଁ ଅସହାୟ ମା’ର ଗୁହାରି

BJD Bijuli 480×75 Mob

ବୌଦ୍ଧ: ମାତ୍ର ଅଠର ମାସର କଅଁଳ ଶିଶୁ ଉପରେ ଦାଉ ସାଜିଛି ଦଇବ। ଶିଶୁକନ୍ୟାଟିର ଶରୀରଠାରୁ ବଡ ତା ମୁଣ୍ଡ। ଶିଶୁଟିର ମୁଣ୍ଡ ଅସ୍ୱାଭାବିକ ଭାବେ ବଢି ବଢି ଚାଲିଥିବା ବେଳେ ଗରିବ ଅସହାୟ ହୋଇପଡିଛନ୍ତି ଶିଶୁଟିର ମାଆ। ଅତ୍ୟନ୍ତ ଅସହାୟ ତଥା ଦୁର୍ଦ୍ଦିନରେ କାଳ କାଟୁଥିବା ପରିବାର ପ୍ରତି ଶିଶୁଟିର ଚିକିତ୍ସା କରାଇବା ସହଜସାଧ୍ୟ ନଥିବା ବେଳେ କୁନି ଝିଅ ରୋଜିର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି। ବୋଝ ଉପରେ ନଳିତା ବିଡା ଭଳି ଦୁଃଖ ଉପରେ ଦୁଃଖ ଦେଇ ଦାଉ ସାଧୁଛି ଦଇବ। ନିଜ କୁନି ଝିଅର ଜୀବନ ବଞ୍ଚାଇବାକୁ ମାଆ ଟୁନି ସମସ୍ତଙ୍କୁ ନେହୁରା ହେଉଛନ୍ତି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବ୍ରହ୍ମଣୀପାଲି ପଞ୍ଚାୟତରେ।

ବୌଦ୍ଧ ଜିଲ୍ଲା ସଦର ବ୍ଲକ ବ୍ରହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଲାବେଡା ଗ୍ରାମର ଟୁନି ସାହୁଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। ଟୁନିଙ୍କ ସ୍ବାମୀ ଶୁକଦେବ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କ ଦୁଇ ଝିଅକୁ ନେଇ ତାଙ୍କ ପରିବାର। ଜମି ହୀନ ଏହି ପରିବାରର ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡିଏ ନଥିବା ବେଳେ ମୂଲ ମଜୁରୀ କରି ଚଳନ୍ତି ଟୁନିଙ୍କ ପରିବାର। ତେବେ ବର୍ତ୍ତମାନ ଏହି ଦୁଃଖୀ ପରିବାର ଉପରେ ପୁଣି ଦଇବ ଦାଉ ସାଧୁଛି। ଟୁନିଙ୍କ ସାନ ଝିଅ ରୋଜି ଜନ୍ମର କିଛି ଦିନ ପରେ ମୁଣ୍ଡ ବଢ଼ିବାରେ ଲାଗିଥିଲା। ଧାର କରଜ କରି ଗରିବ ଟୁନି ଝିଅର ଚିକିତ୍ସା ପାଇଁ ମନମୁଣ୍ଡା, ସୋନପୁର, ବୁର୍ଲା ଓ ଶେଷରେ କଟକ ସ୍ଥିତ ଶିଶୁଭବନକୁ ନେଇ ଚିକିତ୍ସା କରାଇଥିଲେ। ହେଲେ କିଛି ମାସ ବ୍ୟବଧାନରେ ଶିଶୁ କନ୍ୟାର ପୁଣି ମୁଣ୍ଡ ଅସ୍ବାଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ଚିକିତ୍ସା ଚାଲୁଥିଲେ ମଧ୍ୟ ଏଠାରେ ଏହି ଚିକିତ୍ସା ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ତେଣୁ ଶିଶୁର ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଏକାନ୍ତ ଜରୁରୀ ହୋଇପଡିଛି। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୟ ସାହୁ ମଧ୍ୟ ଶିଶୁର ଚିକିତ୍ସା କରୁଥିଲେ ମଧ୍ୟ ଏଭଳି ବିରଳ ରୋଗ ପାଇଁ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ତେବେ ଶିଶୁ କନ୍ୟାର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାର ଓ ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଛନ୍ତି ଶିଶୁଟିର ମାଆ। ଏ ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସରକାର ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।

Comments are closed.