ଉତ୍ସାହିତ ଭାରତ ବନାମ ଚିନ୍ତିତ ଅଷ୍ଟ୍ରେଲିଆ
୨ୟ ଟେଷ୍ଟମ୍ୟାଚ୍ ଆଜିଠାରୁ
ନୂଆଦିଲ୍ଲୀ : ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଭାରତ ଏପରି ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବହୁତ କମ୍ ଲୋକ ଆଶା କରିଥିଲେ। ସମସ୍ତ ବିଭାଗରେ ଭାରତ ଶକ୍ତି ପ୍ରଦର୍ଶନ କରି ଇନିଂସ ବିଜୟ ହାସଲ କରିଥିଲା। ଶୁକ୍ରବାରଠାରୁ ଏଠାରେ ୨ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଭାରତ ଅନୁରୂପ ପ୍ରଦର୍ଶନର ଆଶାରଖିଛି। ଏପରି ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ କ୍ରମାଗତ ୪ର୍ଥ ଶୃଙ୍ଖଳା ଜିତିପାରିବ। ବିପୁଳ ବିଜୟ ପରେ ଭାରତୀୟ ଦଳ ବେଶ୍ ଉତ୍ସାହିତ ଅଛି। ଟେଷ୍ଟ ମାନ୍ୟତାରେ ୧ନଂ ସ୍ଥାନ ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ର ଫାଇନାଲ ଖେଳିବା ପାଇଁ ଭାରତକୁ ଅତିକମ୍ରେ ୩ଟି ଟେଷ୍ଟ ଜିତିବା ଆବଶ୍ୟକ। ଅନ୍ୟପକ୍ଷରେ ବିଶ୍ବର ୧ନଂ ଦଳ ଅଷ୍ଟ୍ରେଲିଆ ବଡ଼ ପରାଜୟ ପରେ ମନୋବଳ ହରାଇ ଚିନ୍ତାରେ ପଡ଼ିଯାଇଛି। ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେଲେ ଅଷ୍ଟ୍ରେଲିଆକୁ ତା’ର ଖ୍ୟାତି ଅନୁସାରେ ପ୍ରଦର୍ଶନ କରିବାକୁ ପଡ଼ିବ। ହେଲେ ନାଗପୁର ପରି ଦିଲ୍ଲୀରେ ମଧ୍ୟ ସ୍ପିନ୍ ଉପଯୋଗୀ ପିଚ୍ ଅଷ୍ଟ୍ରେଲିଆକୁ ଅପେକ୍ଷା କରିଛି। ବଡ଼ ସ୍କୋର୍ କରିବାକୁ ହେଲେ ଡେଭିଡ୍ ୱାର୍ଣ୍ଣର, ମାର୍ନସ ଲାବୁସେନ୍ ଓ ଷ୍ଟିଭେନ୍ ସ୍ମିଥ୍ଙ୍କୁ ଲମ୍ବା ଇନିଂସ ଖେଳିବାକୁ ପଡ଼ିବ।
୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ଜିତି ଶୃଙ୍ଖଳାକୁ ଜୀବନ୍ତ ରଖିବାକୁ ହେବ। ତଥାପି ଭାରତ ୨ୟ ଟେଷ୍ଟ ଜିତି ୨-୦ରେ ଆଗୁଆ ହେବାକୁ ଫେଭରିଟ୍। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଉପରେ ଭାରି ପଡ଼ିଥିଲେ ଆର୍ଆର୍ଆର୍ (ରବୀନ୍ଦ୍ର, ରୋହିତ, ରବିଚନ୍ଦ୍ରନ୍)। ଦିଲ୍ଲୀ ପିଚ୍ରେ ଜାଡ଼େଜା ଓ ଅଶ୍ବିନଙ୍କ ସହ ଅକ୍ଷର ପଟେଲ ଅଷ୍ଟ୍ରେଲିଆ ବ୍ୟାଟିଂକୁ କଡ଼ା ଆହ୍ବାନ ଦେବେ। ନାଗପୁରରେ ଅଶ୍ବିନ ୮ଟି ଓ ଜାଡ଼େଜା ୭ଟି ୱିକେଟ ନେଇଥିଲେ। ପୁଣି ଜାଡ଼େଜା ୭୦ ଓ ଅକ୍ଷର ୮୪ ରନ୍ କରିବା ଅଷ୍ଟ୍ରେଲିଆକୁ ବହୁତ ବାଧିଥିଲା। ଦିଲ୍ଲୀରେ ମାତ୍ର ୪ଟି ଟେଷ୍ଟରୁ ଅଶ୍ବିନ ୨୭ଟି ୱିକେଟ ନେଇଛନ୍ତି। ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାୟ ଆୟର ଖେଳିପାରନ୍ତି। କାରଣ ଆୟରଙ୍କ ଟେଷ୍ଟ ଆଭ୍ରେଜ୍ ୫୬.୭୨। ଅଷ୍ଟ୍ରେଲିଆ ନିକଟରେ ବିକଳ୍ପ ସୀମିତ। ମିଚେଲ ଷ୍ଟାର୍କ ପୂରା ସୁସ୍ଥ ହୋଇଥିଲେ ସ୍କଟ୍ ବୋଲାଣ୍ଡଙ୍କ ସ୍ଥାନରେ ଖେଳିବେ। ଜୋସ୍ ହାଜେଲଉଡ୍ ଫିଟ୍ ହୋଇନାହାନ୍ତି। ଯଦି କାମେରନ୍ ଗ୍ରୀନ୍ ଫିଟ୍ ଘୋଷିତ ହୁଅନ୍ତି; ତେବେ ମ୍ୟାଟ୍ ରେନ୍ସାଙ୍କ ସ୍ଥାନରେ ୬ନଂ ସ୍ଥାନରେ ଖେଳିବେ। ଫଳରେ ଜଣେ ପେସ୍ ବୋଲରଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ୩ୟ ସ୍ପିନର ଖେଳାଇ ପାରିବ। ତେବେ ଫିଟ୍ ଘୋଷିତ ହୋଇଥିବା ମିଚେଲ ଷ୍ଟାର୍କଙ୍କୁ ଏକାଦଶରୁ ବାଦ୍ଦେବା ଅଷ୍ଟ୍ରେଲିଆ ପାଇଁ ସହଜ ହେବନାହିଁ। ପୁଣି ବ୍ୟାଟିଂକୁ ମଜ୍ଭୁତ କରିବା ଲାଗି ରେନ୍ସାଙ୍କ ସ୍ଥାନରେ ଟ୍ରାଭିସ୍ ହେଡ୍ ମଧ୍ୟ ଖେଳିପାରନ୍ତି। ତେଣୁ ଚୂଡ଼ାନ୍ତ ଏକାଦଶ ବାଛିବା ନେଇ ଅଷ୍ଟ୍ରେଲିଆ ଚିନ୍ତାରେ ପଡ଼ିଛି। ନାଗପୁରରେ ଟେଷ୍ଟ ପଦାର୍ପଣ କରି ଏକମାତ୍ର ଇନିଂସରେ ୭ଟି ୱିକେଟ ନେଇଥିବା ଟଡ୍ ମର୍ଫି ଖେଳିବା ନିଶ୍ଚିତ। ନାଥାନ୍ ଲାୟନ୍ ଜଣେ ମ୍ୟାଚ୍ ବିଜେତା ସ୍ପିନର ହୋଇଥିଲେ ମଧ୍ୟ ଗୋଟିଏ ୱିକେଟ ପାଇଥିଲେ। ଲାୟନ୍ଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଅଧିନାୟକ ପ୍ୟାଟ୍ କମିନ୍ସ ଭଲ ବୋଲିଂ କରୁଥିଲେ ହେଁ ଭାରତୀୟ ପିଚ୍ରୁ ତାଙ୍କୁ ସହାୟତା ମିଳୁନାହିଁ। ୨ୟ ଇନିଂସରେ ମାତ୍ର ୯୧ ରନ୍ରେ ଅଲ୍ଆଉଟ୍ ହେବା ଅଷ୍ଟ୍ରେଲିଆ ବ୍ୟାଟିଂକୁ ଚିନ୍ତାରେ ପକାଇଛି। ଅଷ୍ଟ୍ରେଲିଆ ବିପକ୍ଷରେ ଚେତେଶ୍ବର ପୂଜାରାଙ୍କ ଟେଷ୍ଟ ରେକର୍ଡ ବହୁତ ଭଲ। ହେଲେ ୨୦୨୧ରୁ ଘରୋଇମାଟିରେ ପୂଜାରା ବିଫଳ ହୋଇଛନ୍ତି। ୧୦୦ତମ ଟେଷ୍ଟମ୍ୟାଚ୍ରେ ବଡ଼ ସ୍କୋର୍କରି ଏହାକୁ ସ୍ମରଣୀୟ କରିବାକୁ ପୂଜାରା ଚାହିଁବେ। ୧୯୮୭ରୁ ଦିଲ୍ଲୀରେ ଭାରତ କୌଣସି ଟେଷ୍ଟମ୍ୟାଚ୍ ହାରିନାହିଁ। ଏଥର ମଧ୍ୟ ଉକ୍ତ ଧାରା ବଜାୟ ରହିବ ବୋଲି ଆଶା କରାଯାଉଛି।
Comments are closed.