୨୦୨୩: ବିତ୍ତୀୟ ଖବର

ବିଶ୍ୱ ବାଣିଜ୍ୟ ସୁଗମ କରିବାରେ ଭାରତ ଆଗୁଆ
ଚଳିତ ବର୍ଷ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିମନ୍ତେ ରହିଥିବା ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ କମିସନ (ୟୁନେସ୍‌‌କାପ) ପକ୍ଷରୁ ଡିଜିଟାଲ ଏବଂ ଦୀର୍ଘସ୍ଥାୟୀ ବାଣିଜ୍ୟ ସୌକାର୍ଯ୍ୟକାରିତା କ୍ଷେତ୍ରରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଭାରତ ବିଶ୍ୱସ୍ତରରେ ବାଣିଜ୍ୟ ପ୍ରକ୍ରିୟା ସୁଗମ କରିବା କ୍ଷେତ୍ରରେ ଆଗରେ ରହିଛି। ଏହା ୨୦୨୧ରେ ୯୦.୩୨ ପ୍ରତିଶତ ହାସଲ କରିଥିବାବେଳେ ଚଳିତ ବର୍ଷ ୯୩.୫୫ ପ୍ରତିଶତ ହାସଲ କରିଛି। ୧୪୦ଟି ରାଷ୍ଟ୍ର ଏବଂ ୬୦ଟି ବାଣିଜ୍ୟ ସୁଗମନ ପ୍ରକ୍ରିୟାକୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣାଯାଇଛି। ଏ କ୍ଷେତ୍ରରେ ବାଣିଜ୍ୟ ପଦ୍ଧତି ସରଳୀକରଣ ଏବଂ ସ୍ୱଚ୍ଛତାରେ ବୃଦ୍ଧି ଘଟାଇବାକୁ ଭାରତର ପ୍ରତିବଦ୍ଧତା ବିଶେଷ ସହାୟକ ହୋଇଛି।

ସପ୍ତମ ବୃହତ୍‌‌ ଷ୍ଟକମାର୍କେଟ
ଭାରତର ଷ୍ଟକ ମାର୍କେଟ ଏବେ ବଜାର ମୂଲ୍ୟ ଦୃଷ୍ଟିରୁ ବିଶ୍ୱର ସପ୍ତମ ସର୍ବବୃହତ ଷ୍ଟକ ମାର୍କେଟ ଭାବରେ ପରିଗଣିତ ହେଉଛି। ଏହାର ବଜାର ମୂଲ୍ୟ ପ୍ରାୟ ୩.୯୮୯ ଟ୍ରିଲିଅନ ଡଲାର ରହିଛି। ଭାରତର ନିଫ୍‌‌ଟି ୫୦ ଇଣ୍ଡେକ୍ସ ଏହି ବର୍ଷ ୧୬ ପ୍ରତିଶତ ବୃଦ୍ଧିପାଇଛି। ଏହା ହଂକଂର ହାଙ୍ଗସେଙ୍ଗ୍‌‌ ଇଣ୍ଡେକ୍ସକୁ ମଧ୍ୟ ଟପିଯାଇଛି। ହାଙ୍ଗସେଙ୍ଗ୍‌‌ରେ ଏହି ବର୍ଷ ୧୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ବିଶେଷକରି ବ୍ୟାଙ୍କିଙ୍ଗ, ସ୍ୱାସ୍ଥ୍ୟସେବା, ଶକ୍ତି ଆଦି କ୍ଷେତ୍ର ଉଚ୍ଚ ପ୍ରଦର୍ଶନକାରୀ ହୋଇଛି।

ଅଭିବୃଦ୍ଧି ପଥେ ଓଡ଼ିଶା
ଓଡ଼ିଶା ଶିଳ୍ପ, ବାଣିଜ୍ୟ, ଅର୍ଥନୀତି ଆଦି ସବୁ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ରାଜ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକୁ ୫-ଟିରେ ସାମିଲ କରାଯିବା ପରେ ସେଗୁଡିକର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି। ଏକଦା କେବଳ କୃଷି ଉପରେ ନିର୍ଭର କରୁଥିବା ରାଜ୍ୟ ଅର୍ଥନୀତି ପରବର୍ତ୍ତୀ ସମୟରେ ଲୌହ, ଆଲୁମିନିୟମ ଆଦି ଧାତୁ ଉତ୍ପାଦନକୁ ପ୍ରାଧାନ୍ୟ ଦେଇଥିଲା। ସମ୍ପ୍ରତି ଏହା ଧାତବ କ୍ଷେତ୍ରରେ ଆନ୍‌‌ସିଲାରୀ ଶିଳ୍ପ ସ୍ଥାପନ ସହିତ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟ ଶିଳ୍ପକୁ ମଧ୍ୟ ସମ ପରିମାଣରେ ଗୁରୁ୍‌‌ତ୍ୱ ଦେଉଛି। ରାଜ୍ୟ, ରାଜ୍ୟ ବାହାରୁ ଏପରିକି ବିଦେଶରୁ ପୁଞ୍ଜି ଆକୃଷ୍ଟ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ଏବଂ ସେଥିରୁ ସୁଫଳ ମିଳୁଛି।

ବିଦେଶୀ ପୁଞ୍ଜି ଆଗମନ
ବିଶ୍ୱସ୍ତରରେ ମାକ୍ରୋ ଇକୋନୋମିକ୍‌‌ ପରିବେଶରେ ଅନିଶ୍ଚିତ ଅବସ୍ଥା ଲାଗିରହିବା ଏବଂ ପାଣ୍ଠି ବାବଦ ଖର୍ଚ୍ଚ ବୃଦ୍ଧି କାରଣରୁ ଭାରତ ପ୍ରଭାବିତ ହୋଇଛି। ଏହି କାରଣରୁ ଚଳିତ ବର୍ଷ ଦେଶକୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ହ୍ରାସପାଇଛି। ଏହି କାରଣରୁ ଚଳିତ ବର୍ଷ ସର୍ବାଧିକ ବିଦେଶୀ ପାଣ୍ଠି ନିବେଶ କରାଯାଉଥିବା ରାଷ୍ଟ୍ରଗୁଡିକର ତାଲିକାରେ ଭାରତ ତଳକୁ ଖସିଆସିଛି।

ପୁଞ୍ଜିନିବେଶ ପରିବେଶ
ସରକାରଙ୍କର ଶିଳ୍ପ ଓ ପୁଞ୍ଜିନିବେଶ ଅନୁକୂଳ ନୀତି ତଥା ଲଜିଷ୍ଟିକ୍ସ ଓ ଭିତ୍ତିଭୂମି କ୍ଷେତ୍ରରେ ବର୍ଦ୍ଧିତ ମୂଳଧନ ନିବେଶ ଉପରେ ଦୃଷ୍ଟିନିବଦ୍ଧ ଯୋଗୁ ଏକାଧିକ ବହୁରାଷ୍ଟ୍ରୀୟ କମ୍ପାନୀ ଏହିବର୍ଷ ଭାରତରେ ସେମାନଙ୍କର ନିବେଶ ଯୋଜନା କରିଛନ୍ତି। ଏହି କାରଣରୁ ସମଗ୍ର ଏସିଆରେ ସମ୍ପ୍ରତି ମୁଖ୍ୟ ଉତ୍ପାଦନ ଏବଂ ଆସେମ୍ବ୍ଲି ସ୍ଥଳ ଭାବରେ ଭାରତ ପରିଗଣିତ ହେଉଛି।

ଷ୍ଟାର୍ଟଅପ୍‌‌ରେ ନିବେଶ ହ୍ରାସ
୨୦୨୩ରେ ଭାରତରେ ଷ୍ଟାର୍ଟଅପ୍‌‌ଗୁଡିକରେ ନିବେଶ ୭ ବିଲିଅନ ଡଲାରକୁ ହ୍ରାସପାଇଛି, ଯାହା ଗତବର୍ଷ ୨୫ ବିଲିଅନ ଡଲାର ଥିଲା। ଷ୍ଟାର୍ଟଅପ୍‌‌ଗୁଡିକୁ ପରବର୍ତ୍ତୀ ପର୍ଯ୍ୟାୟ ପାଣ୍ଠି ଯୋଗାଣ ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ତାହା ପଛକୁ ରହିଛି ମୂଳଧନ ପର୍ଯ୍ୟାୟ ନିବେଶ। ସମ୍ପ୍ରତି ଦେଶର ଷ୍ଟାର୍ଟଅପ୍‌‌ ପରିବ୍ୟବସ୍ଥାରେ ପ୍ରାୟ ୨୦ ବିଲିଅନ ଡଲାର ମୂଲ୍ୟର ଅନାବଣ୍ଟିତ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ ରହିଛି। ନିବେଶକମାନେ ଅଧିକରୁ ଅଧିକ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଏଆଇ ପରିଚାଳିତ ଉତ୍ପାଦ ଓ ସେବା ଉପରେ ଗୁରୁତ୍ୱ ଦେଉଛନ୍ତି।

prayash

ସରକାରୀ ବ୍ୟୟ ବଢ଼ୁଛି
ଚଳିତ ବର୍ଷ ଉପଭୋକ୍ତା ସ୍ତରରେ ଖର୍ଚ୍ଚ ଦୁର୍ବଳ ରହିବା ଏବଂ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶ ପଛରେ ପଡ଼ିବା କାରଣରୁ ସରକାର ରେକର୍ଡ ପରିମାଣର ମୂଳଧନ ନିବେଶ ଯୋଜନା କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ବହୁ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରୁଛନ୍ତି। ବିଶେଷକରି ୨୦୨୩-୨୪ ବଜେଟ୍‌‌ରେ ସଡ଼କ, ରାଜପଥ ଏବଂ ଶକ୍ତି ଉତ୍ପାଦନ କେନ୍ଦ୍ର ଆଦି ନିର୍ମାଣ ନିମନ୍ତେ ୧୨୨ ବିଲିଅନ ଡଲାର ଖର୍ଚ୍ଚ ଯୋଜନା କରାଯାଇଥିଲା। ଏଥିସହିତ ୫୦ଟି ନୂତନ ବିମାନ ବନ୍ଦର, ବିମାନ ଅବତରଣ ସ୍ଥଳ, ହେଲିପୋର୍ଟ ନିର୍ମାଣ ସହିତ ସୁଲଭ ବାସଗୃହ ପ୍ରକଳ୍ପ ବାବଦରେ ସରକାରୀ ଖର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଛି।

ବିନିର୍ମାଣ କ୍ଷେତ୍ରରେ ଦ୍ରୁତତମ ଅଭିବୃଦ୍ଧି
୨୦୨୩ରେ ଦେଶର କାରଖାନା ବିନିର୍ମାଣ କ୍ଷେତ୍ରରେ ସର୍ବାଧିକ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳିଛି। କ୍ରମାଗତ ଭାବରେ ୨୯ ମାସ ଧରି ଏହି କ୍ଷେତ୍ରରେ କଳ କାରଖାନା କାର୍ଯ୍ୟରେ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି। ଆଠଟି ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ଆଶାନୁରୂପ ଭାବରେ ବୃଦ୍ଧିପାଇଛି। ବିଶେଷକରି କୋଇଲା, ଇସ୍ପାତ, ସିମେଣ୍ଟ ଓ ବିଦ୍ୟୁତ ଆଦି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧିଘଟିଛି। କୋଇଲା, ଅଶୋଧିତ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌‌, ବିଶୋଧନାଗାରରେ ଉତ୍ପାଦିତ ସାମଗ୍ରୀ, ସାର, ଇସ୍ପାତ, ସିମେଣ୍ଟ ଓ ବିଦ୍ୟୁତ ଆଦି ଆଠଟି କ୍ଷେତ୍ର ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ରେ ୪୦.୨୭ ପ୍ରତିଶତ ଅବଦାନ ରଖୁଛି। ସେହି ସମୟରେ ମୋଟ ଉପରେ ଜିଡିପିରେ ବିନିର୍ମାଣ କ୍ଷେତ୍ରର ଅବଦାନ ୧୭ ପ୍ରତିଶତ ରହିଛି ଏବଂ ଆଗାମୀ ଛଅରୁ ସାତବର୍ଷ ମଧ୍ୟରେ ଏହା ୨୧ ପ୍ରତିଶତକୁ ବୃଦ୍ଧିପାଇବା ଆଶା କରାଯାଉଛି। ବିଶେଷକରି କୋଭିଡ ପରବର୍ତ୍ତୀ ସମୟରେ ବିଭିନ୍ନ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌‌ଆି) ଯୋଜନା ବିନିର୍ମାଣ କ୍ଷେତ୍ର ପାଇଁ ବରଦାନ ସଦୃଶ ହୋଇଛି।

ମହାକାଶ ବଜାରରେ ଭାରତର ଗୁରୁତ୍ୱ
୨୦୨୩ରେ ଭାରତ ସଫଳତାର ସହିତ ଚନ୍ଦ୍ରଯାନ ଅଭିଯାନକୁ କାର୍ଯ୍ୟକାରୀ କରିବା ପରେ ବିଶ୍ୱର ମହାକାଶ ବଜାରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ତାହାସହିତ ଦେଶରେ ଜି୨୦ ଶିଖର ସମ୍ମିଳନୀ ସଫଳତାର ସହିତ ଆୟୋଜନ ମଧ୍ୟ ଭାରତର ଅର୍ଥନୀତି ପାଇଁ ବିଶେଷ ସହାୟକ ହୋଇଛି। ଏକ ଆକର୍ଷଣୀୟ ପୁଞ୍ଜିନିବେଶ ସ୍ଥଳ ଭାବରେ ଭାରତ ସମ୍ପ୍ରତି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି ଏବଂ ବିଶ୍ୱର ବହୁ ପ୍ରତିଷ୍ଠିତ କମ୍ପାନୀ ଚୀନରୁ ମୁହଁ ଫେରାଇ ଭାରତରେ ସେମାନଙ୍କର ପ୍ରକଳ୍ପ ସ୍ଥାପନ କରିବାକୁ ଆଗେଇ ଆସୁଛନ୍ତି। ସରକାରଙ୍କର ପ୍ରୋତ୍ସାହନମୂଳକ ନୀତି, ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ କୁଶଳୀ ଲୋକଶକ୍ତି ଏବଂ ପ୍ରଯୁକ୍ତିଗତ ନବସୃଜନ ଏ କ୍ଷେତ୍ରରେ ବିଶେଷ ସହାୟକ ଭୂମିକା ନିର୍ବାହ କରୁଛି।

ଲଜିଷ୍ଟିକ୍ସ ଓ ଭିତ୍ତିଭୂମିରେ ବିପୁଳ ନିବେଶ
ଏହିବର୍ଷ ଭାରତର ଶିଳ୍ପ ବିନିର୍ମାଣ କ୍ଷେତ୍ର ଦମ୍‌‌ଦାର ଅଭିବୃଦ୍ଧି ଲକ୍ଷ୍ୟ କରିଛି। ଆପଲ୍‌‌ ଭଳି ବିଶ୍ୱର ପ୍ରମୁଖ ପ୍ରଯୁକ୍ତି କମ୍ପାନୀ ଭାରତରେ ତାହାର ଯୋଗାଣକାରୀ ନେଟୱର୍କ ପରିବ୍ୟାପ୍ତ କରିବାକୁ ଆଗ୍ରହ ପ୍ରକାଶ କରିଛି। ରାଜ୍ୟଗୁଡିକର ନିଜସ୍ୱ ପ୍ରୋତ୍ସାହନମୂଳକ ଶିଳ୍ପ ନୀତି ପ୍ରଣୟନ ମଧ୍ୟ ଏହାକୁ ପୁନଃ ସମର୍ଥନ କରୁଛି। ସମ୍ପ୍ରତି ନୂତନ ରାଜପଥ ଓ ସଡ଼କ ନିର୍ମାଣ, ରେଳପଥ, ଦ୍ରୁତଗାମୀ ଓ ଆରାମଦାୟକ ରେଳ ଚଳାଚଳ, ନୂତନ ବିମାନ ବନ୍ଦର ନିର୍ମାଣ ଭଳି ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିପୁଳ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶ କରାଯାଉଛି, ଯାହା ଆଗାମୀ ଦିନରେ ଦେଶର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ଲଜିଷ୍ଟିକ୍ସ ବାବଦ ଖର୍ଚ୍ଚ ହ୍ରାସ କରିବା ଉପରେ ଭାରତର ଦୃଷ୍ଟିନିବଦ୍ଧ ଏହାକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉପସ୍ଥାପିତ କରିବାକୁ ଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୫ ଶେଷ ସୁଦ୍ଧା ଆମ ଦେଶ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବାକୁ କେନ୍ଦ୍ର ସରକାର ରଖିଥିବା ଲକ୍ଷ୍ୟ ପଥରେ ଏହା ଅଗ୍ରସର ହେଉଛି।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପ୍ରୟାସ
୨୦୨୩ରେ ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ର ବର୍ଦ୍ଧିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଛନ୍ତି। ଏହାର ଅଂଶସ୍ୱରୂପ ସେହି ସବୁ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସୁଧହାର ବୃଦ୍ଧି କରିଛନ୍ତି ଏବଂ ସେହି ସମୟରେ ଅଭିବୃଦ୍ଧି ହାର ବଜାୟ ରଖିବା ଦିଗରେ ପଦକ୍ଷେପ ନେଇଛନ୍ତି। ବର୍ଷ ଶେଷ ଆଡକୁ ଅବଶ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଶ୍ୱର ଅଧିକାଂଶ କେନ୍ଦ୍ରୀୟ ବ୍ୟାଙ୍କ ସେଗୁଡିକର ସୁଧହାର ବୃଦ୍ଧି ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି। ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ, ଆମେରିକା ଫେଡେରାଲ ରିଜର୍ଭ ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡ ନଭେମ୍ବର ପ୍ରଥମ ଭାଗରୁ ସେମାନଙ୍କର ସୁଧହାରକୁ ସ୍ଥିର ରଖିଛନ୍ତି।
ସାମ୍ପ୍ରତିକ ସମୟରେ ପ୍ରଯୁକ୍ତି ଆଧୁନିକ ଜୀବନର ଅନେକ ଦିଗରେ ପରିବର୍ତ୍ତନ ଆଣୁଛି। ବୈଶ୍ୱିକ ଆର୍ଥିକ ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌‌ ପଡ଼ିନାହିଁ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଡିଜିଟାଲ ମୁଦ୍ରା ପ୍ରଚଳନ କରିଛି। ମୋଟ ଉପରେ କହିବାକୁ ଗଲେ ୨୦୨୩ ବର୍ଷଟି ବିଶ୍ୱ ଅର୍ଥନୀତି ପାଇଁ ଏକ ଅସ୍ଥିର ଏବଂ ଅପରିକଳ୍ପନୀୟ ବର୍ଷ ହୋଇଛି। ବିଶେଷଭାବରେ ଭୂରାଜନୈତିକ ଆପଦ ଅସ୍ଥିର ପରିବେଶ ସୃଷ୍ଟି କରୁଥିବାବେଳେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ମୁଦ୍ରାସ୍ଫୀତି ହାର ହ୍ରାସ ପାଇବା ଆଶାର ସଞ୍ଚାର କରିଛି। ଏସବୁ ସତ୍ତ୍ବେ ଅନେକଙ୍କର ଆକଳନ ଯେ ୨୦୨୪ ବର୍ଷଟି ବେଶ୍‌‌ ଆହ୍ୱାନପୂର୍ଣ୍ଣ ରହିବ।

ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର
ବିଗତ ଦୁଇବର୍ଷ ଧରି ଭାରତ ବିଶ୍ୱର ସର୍ବାଧିକ ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଥିବା ରାଷ୍ଟ୍ର ଭାବରେ ବିବେଚିତ ହେଉଛି। ଚଳିତ ବର୍ଷ ଏହା ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ଯାହା ବିଦେଶୀ ପୁଞ୍ଜିନିବେଶକଙ୍କ ଆସ୍ଥାକୁ ବହୁଗୁଣିତ କରିଛି। ଦେଶ ସମ୍ପ୍ରତି ସହରୀକରଣ, ଶିଳ୍ପାୟନ, ପରିବାରଗୁଡିକର ଆୟ ଏବଂ ଶକ୍ତି ବ୍ୟବହାର କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଦେଶର ଅର୍ଥନୀତି ଏବେ (ଜିଡିପି) ୩.୭୫ ଟ୍ରିଲିଅନ ଆମେରିକୀୟ ଡଲାରରେ ପହଞ୍ଚିଥିବାବେଳେ ଏହା ବିଶ୍ୱର ପଞ୍ଚମ ବୃହତ୍‌‌ ଅର୍ଥନୀତିରେ ପରିଣତ ହୋଇଛି। ସରକାରୀ ତଥ୍ୟ ମୁତାବକ ଦେଶରେ ମୁଣ୍ଡପିଛା ଆୟ ୨୦୨୨-୨୩ରେ ୯୮, ୩୭୪ ଟଙ୍କା ରହିଥିଲା। ୨୦୧୧-୧୨ ସ୍ଥିର ମୂଲ୍ୟସୂଚୀ ଆଧାରରେ ୨୦୨୩-୨୪ ଆର୍ଥିକ ବଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ଦେଶର ପ୍ରକୃତ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଆଶାନରୂପ ସ୍ତରଠାରୁ ଅଧିକ ୭.୬ ପ୍ରତିଶତ ହୋଇଥିଲା। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ମଧ୍ୟ ତାହାର ଅକ୍ଟୋବର ଅନୁମାନରେ ଉଲ୍ଲେଖ କରିଛି ଯେ, ଭାରତର ଅଭିବୃଦ୍ଧି ଚଳିତ ଏବଂ ଆଗାମୀ ଆର୍ଥିକ ବର୍ଷରେ ୬ ପ୍ରତିଶତରୁ ଅଧିକ ହେବ।

kalyan agarbati

Comments are closed.