ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷାରେ ପାସ୍ ଫେଲ୍ ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲା। ଏହାକୁ ବିରୋଧ କରି ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମରେ ଆଶ୍ବାସନାମୂଳକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିଲାଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଯଦି ଛାତ୍ରଛାତ୍ରୀମାନେ ଭାବୁଛନ୍ତି ସେମାନେ ପ୍ରସ୍ତୁତ ନୁହଁନ୍ତି, ତେବେ ଏନେଇ ବିଚାର ବିମର୍ଷ କରାଯିବ। ଏବର୍ଷ ଲାଗୁ ନ କରାଯିବା ପାଇଁ ରାଜ୍ୟ ସରକାର ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ୩୩% ରଖିଲେ ଛାତ୍ରଛାତ୍ରୀମାନେ ପାସ୍ ହୋଇ ଦ୍ବିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବେ ବୋଲି ରାଜ୍ୟ ସରକାର ପକ୍ଷରୁ ଘୋଷଣା ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଗତ ସୋମବାର କଟକ ଓ ଭୁବନେଶ୍ବରରେ ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ। କଟକର କିଛି ଛାତ୍ରଛାତ୍ରୀ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମହର୍ଷି କଲେଜ, ଏକାମ୍ର କଲେଜର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ସହ ମଙ୍ଗଳବାର ମଧ୍ୟ ରମାଦେବୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲା ପକାଇବା ସହ ଟାୟାର ଜାଳି ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରେ ଘଟଣାସ୍ଥଳରେ କଲେଜ କର୍ତ୍ତୃପକ୍ଷ ଓ ପୁଲିସ ପହଞ୍ଚି ଛାତ୍ରୀଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟିଥିଲା।



