www.samajalive.in
Sunday, December 14, 2025
19.1 C
Bhubaneswar

ଏଚ୍‌୩ଏନ୍‌୨ ଭୂତାଣୁ ନେଲା ଦୁଇ ଜୀବନ

ନୂଆଦିଲ୍ଲୀ/ବେଙ୍ଗାଲୁରୁ : ଏଚ୍‌୩ଏନ୨ ଭୂତାଣୁ ସଂକ୍ରମଣରେ ଦେଶରେ ୨ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ମୃତବ୍ୟକ୍ତି ହେଉଛନ୍ତି କର୍ଣ୍ଣାଟକ ହାସନ ଜିଲାର ହିରେ ଗୌଡା (୮୭)। ଫେବୃଆରୀ ୨୪ରେ ଗୌଡାଙ୍କୁ ହାସନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ନମୁନା ପରୀକ୍ଷା ରିପୋର୍ଟ ମିଳିବା ପରେ ହିରେ ଗୌଡାଙ୍କର ଏଚ୩ଏନ୍‌୨ ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁ ହୋଇଥିବା ନେଇ ମାର୍ଚ୍ଚ ୬ରେ ସ୍ପଷ୍ଟ ହୋଇଥିଲା। ଏଚ୩ଏନ୨ ଭୂତାଣୁ ସଂକ୍ରମଣରେ ଭାରତରେ ଏହା ପ୍ରଥମ ମୃତ୍ୟୁ ଘଟଣା। ହିରେ ଗୌଡାଙ୍କର ଉଚ୍ଚ ରକ୍ତଚାପ, ଆଜ୍‌ମା ଓ କିଡନୀ ସମସ୍ୟା ରହିଥିଲା। ତାଙ୍କ ମୃତ୍ୟୁକୁ ସରକାରୀ ଭାବେ ଏଚ୩ଏଚନ୨ ଭୂତାଣୁ ସଂକ୍ରମଣ ଜନିତ ପ୍ରଥମ ମୃତ୍ୟୁ କୁହାଯାଇଛି। ସେହିପରି ହରିୟାଣାର ଜିନ୍ଦ ଜିଲାରେ ଏଚ୍‌୩ଏନ୨ ଭୂତାଣୁ ସଂକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ମୃତକଙ୍କ ବୟସ ୫୬ ହୋଇଥିବାବେଳେ ସେ ଫୁସ୍‌ଫୁସ୍ କର୍କଟ ରୋଗରେ ମଧ୍ୟ ପୀଡିତ ଥିଲେ। ଜାନୁଆରୀରେ ସେ ଏଚ୩ଏନ୨ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଗତ ସପ୍ତାହରେ ତାଙ୍କର ମୃତ୍ୟୁ ହୋଇଛି। ମାତ୍ର ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଥିବା କୁହାଯାଇଛି। ପଞ୍ଜାବ ଓ ହରିୟାଣାରେ ଆଉ କେତେକ ସଂକ୍ରମିତ ଏଥିରେ ପ୍ରାଣ ହରାଇଥିବା ଜଣାଯାଇଛି। ଦେଶରେ ଏବେ ୪୧୫ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହା ଇଣ୍ଟିଗ୍ରେଟେଡ୍ ଡିଜିଜ୍‌ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସପି) ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରିସ୍ଥିତିକୁ ଅନୁଧ୍ୟାନ କରୁଛି।

ଏଚ୍‌୩ଏନ୍୨ ଭୂତାଣୁ କ’ଣ
ଏଚ୍‌୩ଏନ୍୨ ହେଉଛି ଏକ ପ୍ରକାର ଋତୁକାଳୀନ ଇନଫ୍ଲୁଏଞ୍ଜା ଭୂତାଣୁ। ତେଣୁ ଏହା ଋତୁକାଳୀନ ସଂକ୍ରମଣ ହୋଇଥାଏ। ଏହା ଜାନୁଆରୀରୁ ମାର୍ଚ୍ଚ ଏବଂ ବର୍ଷା ଋତୁ ପରେ ପରେ ସଂକ୍ରମଣ ହୋଇଥାଏ। ବର୍ଷର ଏହି ଦୁଇ ସମୟରେ ଏହାର ସଂକ୍ରମଣ ଅଧିକ ରହିଥାଏ। ଅନ୍ୟ ସମୟରେ ଏହାର ସଂକ୍ରମଣ କମ୍ ରହିଥାଏ। ଏହି ଭୂତାଣୁ ଆମର ଶ୍ବାସକ୍ରିୟା ବ୍ୟବସ୍ଥାକୁ ସଂକ୍ରମଣ କରିଥାଏ।
ଭୂତାଣୁ ସଂକ୍ରମଣର ଲକ୍ଷଣ
ଏଚ୍‌୩ଏନ୍୨ ଭୂତାଣୁ ସଂକ୍ରମଣ ଦ୍ବାରା ଜ୍ବର ହୋଇଥାଏ। ଏହା ସହିତ କାଶ, ତଣ୍ଟି ଦରଜ, ଛିଙ୍କ, ଥଣ୍ଡା, ନାକରୁ ପାଣି ବାହାରିଥାଏ ଓ ଶରୀର ବ୍ୟଥା ହୋଇଥାଏ। ବେଳେବେଳେ ଝାଡା, ବାନ୍ତି ଓ ଅଣନିଶ୍ବାସୀ ମଧ୍ୟ ଲାଗିଥାଏ। ଆଇସିଏମ୍‌ଆର କହିିବା ଅନୁଯାୟୀ ଭୂତାଣୁ ସଂକ୍ରମଣ ଜନିତ ଜ୍ବର ତିନିଦିନ ପରେ ଛାଡିଯାଏ। ମାତ୍ର କାଶ ଓ ଛିଙ୍କ ୩ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ହୋଇଥାଏ। ଜ୍ବର ହେଲେ ପାରାସିଟାମଲ୍‌ ଖାଇବାକୁ କୁହାଯାଇଛି। ତେବେ ଡାକ୍ତରଙ୍କ ଅନୁମୋଦନ ବିନା କୌଣସି ଆଣ୍ଟିବାୟୋଟିକ୍ ନ ଖାଇବାକୁ କୁହାଯାଇଛି। ସଂକ୍ରମଣ ଏଡାଇବା ପାଇଁ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଭୂତାଣୁ ସଂକ୍ରମଣକୁ ଏଡାଇବାକୁ ହେଲେ ଜନଗହଳିସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଅନ୍ୟ ସହିତ ଏକାଠି ବସି ନ ଖାଇବା, ସାମାଜିକ ଦୂରତା ରକ୍ଷା କରିବା, ଆଖି ଓ ନାକକୁ ବାରମ୍ବାର ନ ଛୁଇଁବାକୁ କୁହାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories