ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୪୮୦ ରନରେ ସୀମିତ, ଭାରତ ୦/୩୬

ଅହମ୍ମଦାବାଦ୍‌ ଟେଷ୍ଟ : ଖାୱାଜାଙ୍କ ପରେ ଗ୍ରୀନଙ୍କ ଶତକ, ଅଶ୍ବିନଙ୍କୁ ୬ ୱିକେଟ

ଅହମ୍ମଦାବାଦ୍‌  : ଓପନର ଉସ୍‌ମାନ ଖାୱାଜାଙ୍କ ପରେ କାମେରୁନ ଗ୍ରୀନଙ୍କ ଶତକ ବଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅନ୍ତିମ ଟେଷ୍ଟରେ ଘରୋଇ ଭାରତ ବିପକ୍ଷରେ ପ୍ରଥମ ଇନିଂସରେ ବିଶାଳ ସ୍କୋର କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୮୦ରନ ଜବାବରେ ଭାରତ ପ୍ରଥମ ଇନିଂସରେ ୧୦ ଓଭର ଖେଳି ବିନା ୱିକେଟରେ ୩୬ରନ କରିଛି। ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଦୁଇ ଓପନର ଶୁବମାନ ଗିଲ୍‌ ୨୭ଟି ବଳରୁ ୧ଟି ଚୌକା ଓ ୧ଟି ଛକା ସହ ୧୮ ଓ ଅଧିନାୟକ ରୋହିତ ଶର୍ମା ୩୩ଟି ବଲରୁ ୨ଟି ଚୌକା ସହ ୧୭ରନ କରି ଅପରାଜିତ ରହିଛନ୍ତି। ଭାରତ ହାତରେ ସମସ୍ତ ୱିକେଟ ସୁରକ୍ଷିତ ଥିବାବେଳେ ଦଳ ୪୪୪ରନ ପଛରେ ରହିଛି।
ଅହମ୍ମଦାବାଦ୍‌ସ୍ଥ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଚାଲିଥିବା ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଅସମାପ୍ତ ୪/୨୫୫ରୁ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ ଉସ୍‌ମାନ ଖାୱାଜା ୧୦୪ ଓ କାମେରୁନ ଗ୍ରୀନ ୪୯ରନରୁ ଖେଳ ଆରମ୍ଭ କରିଥିଲେ। ଉଭୟେ ଭାରତୀୟ ବୋଲରଙ୍କୁ ଅନାୟସରେ ଖେଳି ଚାଲିଥିଲେ। ଭାରତୀୟ ବୋଲର ଉକ୍ତ ଯୋଡ଼ିଙ୍କୁ ଭାଙ୍ଗିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ମଧ୍ୟାହ୍ନବିରତି ପର୍ଯ୍ୟନ୍ତ ଦୁଇ ବ୍ୟାଟ୍‌ସମ୍ୟାନ କୌଣସି କ୍ଷତି ଘଟାଇବାକୁ ଦେଇନଥିଲେ। ଉଭୟେ ୫ମ ୱିକେଟ ପାଇଁ ୨୦୮ରନ ସଂଗ୍ରହ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ମଧ୍ୟାହ୍ନବିରତି ପରେ ରବିଚନ୍ଦ୍ରନ ଅଶ୍ବିନ ଉକ୍ତ ଯୋଡ଼ିକୁ ଭାଙ୍ଗିବା ସହିତ ଭାରତକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଥିଲେ। ସ୍କୋର ୩୭୯ରନ ଥିବାବେଳେ ଗ୍ରୀନ ୧୭୦ଟି ବଲରୁ ୧୮ଟି ଚୌକା ସହ ୧୧୪ରନ କରି ଅଶ୍ବିନଙ୍କ ବଲରେ ୱିକେଟରକ୍ଷକ କେ.ଏସ୍‌ ଭାରତଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲିଆ ୯ ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ଆଲେକ୍ସ କେରୀ ଖାତା ଖୋଲିବା ପୂର୍ବରୁ ଅଶ୍ବିନଙ୍କ ବଲରେ ଆଉଟ୍‌ ହୋଇଥିଲେ। ସ୍କୋର ୩୮୭ରନ ଥିବାବେଳେ ମିଚେଲ ଷ୍ଟାର୍କ ମଧ୍ୟ ୬ରନ କରି ଆଉଟ୍‌ ହୋଇଥିଲେ । ଅଷ୍ଟମ ୱିକେଟରେ ଖାୱାଜାଙ୍କୁ ପୂର୍ଣ୍ଣ ସହଯୋଗ ଦେଇଥିଲେ ଲାଥନ ଲାୟନ। ଉଭୟେ ୮ମ ୱିକେଟ ପାଇଁ ୨୨ରନ ସଂଗ୍ରହ କରିଥିଲେ। ସ୍କୋର ୪୦୯ରନ ଥିବାବେଳେ ଖାୱାଜା ୪୨୨ଟି ବଲରୁ ୨୧ଟି ଚୌକା ସହ ୧୮୦ରନ କରି ଅକ୍ଷର ପଟେଲଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ୯ମ ୱିକେଟରେ ଲାୟନ ଓ ଟଡ୍‌ ମର୍ଫି ୭୦ରନ କରିଥିଲେ। ସ୍କୋର ୪୭୯ରନ ଥିବାବେଳେ ମର୍ଫି ୬୧ଟି ବଲରୁ ୫ଟି ଚୌକା ସହ ୪୧ରନ କରି ଆଉଟ୍‌ ହୋଇଥିଲେ। ମାତ୍ର ୧ ରନ ବ୍ୟବଧାନରେ ଅନ୍ତିମ ୱିକେଟର ପତନ ଘଟିଥିଲା। ଅଷ୍ଟ୍ରେଲିଆ ୧୬୭.୨ ଓଭର ଖେଳି ୪୮୦ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଲାୟନ ଶେଷ ବ୍ୟାଟ୍‌ସମ୍ୟାନ ଭାବେ ୩୪ରନ କରି ଆଉଟ୍‌ ହୋଇଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ୬ଟି, ମହମ୍ମଦ ସାମି ୨ଟି, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comments are closed.