ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଯୁବକଙ୍କୁ ଆକ୍ରମଣ ମାମଲା; ୱାର୍ଡମେମ୍ବର ସମେତ ୨ କୋର୍ଟ ଚାଲାଣ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାର ସିଂ ପଞ୍ଚାୟତ କାର୍ୟ୍ୟାଳୟରେ ପଞ୍ଚାୟତସ୍ତରୀୟ ବୈଠକ ଚାଲିଥିବା ସମୟରେ ବାହାର ଲୋକ ପ୍ରବେଶକୁ ନେଇ ବିରୋଧ କରାଯିବା ସହ ଏହାକୁ ନେଇ ଘଟିଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୱାର୍ଡମେମ୍ବର ସମେତ ତାଙ୍କ ଭାଇକୁ ଗିରଫ କରି କୋର୍ଟ ଚାଲଣ କରିଛି। ଏଥିରେ ସମ୍ପୃକ୍ତ ରହିଥିବା ଅନ୍ୟ ୩ ଜଣଙ୍କୁ ପୁଲିସ ଗିରଫ କରି ନଥିବା ବେଳେ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। କୋର୍ଟ ଚାଲାଣ ହୋଇଥିବା ୱାର୍ଡମେମ୍ବର ତଥା କୋଠାର ସିଂ ବାସିନ୍ଦା ଏନ.ନିମେୟା ରେଡ୍ଡୀ ଓ ତାଙ୍କ ଭାଇ ଏନ.ତାରିଣୀ ରେଡ୍ଡୀ ବୋଲି ପୁଲିସ ସୂଚନା ଦେଇଛି।

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚଙ୍କ ଦ୍ଵାରା ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଓ୍ବାର୍ଡ ମେମ୍ବର ସମେତ ଲାଇନ ବିଭାଗ କର୍ମଚାରୀମାନେ ସାମିଲ ରହିଥିଲେ। ଏହି ସମୟରେ ଅଚାନକ ମାଣିକପୁର ଗ୍ରାମର କେ.ମାଧବ ପାତ୍ର ବୈଠକ ଗୃହରେ ପହଞ୍ଚି ବୈଠକ ରୁମରେ ବସି ଥିଲେ। ଏହାକୁ ନେଇ ଓ୍ବାର୍ଡ ମେମ୍ବର ନିମେୟା ବିରୋଧ କରିବା ସହ ବାହାରକୁ ଯିବାକୁ କହିଥିଲେ। ଏଥିରେ ମାଧବ ଓ ଅନ୍ୟ ଦୁଇ ସାଙ୍ଗ ଉତକ୍ଷିପ୍ତ ହୋଇ ନିମେୟାଙ୍କ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏଥିରେ ନିମେୟା ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉଭୟ ଆହାତ ହୋଇଥିଲେ।ଏହି ଘଟଣା ନେଇ ମାଧବଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୩୦/୨୨ରେ ଏକ ମାମଲା ରୁଜୁ କରି ଥିବା ବେଳେ ଆଜି ଓ୍ବାର୍ଡ ମେମ୍ବର ନିମେୟା ଓ ତାଙ୍କ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନ୍ୟ ପଟେ ଏହି ଘଟଣା ନେଇ ନିମେୟାଙ୍କ ପକ୍ଷରୁ ମାଧବଙ୍କ ପକ୍ଷରୁ ଗାଳିଗୁଲଜ ସହ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏହାକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୩୧/୨୨ ରେ ଅନ୍ୟ ଋକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.