୧୯୯୩ ମୁମ୍ବଇ ବିସ୍ଫୋରଣ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

0

ନବସରି : ୧୯୯୩ ମୁମ୍ବଇ ବିସ୍ଫୋରଣ ମାମଲାରେ ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‍)କୁ ବଡ଼ଧରଣର ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଆତଙ୍କବାଦୀ ଅହମ୍ମଦ ମହମ୍ମଦ ଲାମ୍ବୁକୁ ଗୁଜରାଟର ନବସରି-ବଲସାଦ ଉପକୂଳ ଅଞ୍ଚଳରୁ ଏଟିଏସ୍‍ ଗିରଫ କରିଛି। ଲାମ୍ବୁ ଅଣ୍ଡରୱାର୍ଲଡ ଡନ୍‍ ଦାଉଦ୍‍ ଇବ୍ରାହିମ୍‍ର ଘନିଷ୍ଠ ସହଯୋଗୀ। ସେ ମୁମ୍ବଇର ମୁସାଫିର୍‍ ଖାନା ଅଞ୍ଚଳରେ ସକ୍ରିୟ ଅର୍ଜୁନ୍‍ ଗ୍ୟାଙ୍ଗର ସଦସ୍ୟ ବୋଲି ୧୯୯୩ ମୁମ୍ବଇ ବିସ୍ଫୋରଣ ମାମଲାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ଫିରୋଜ ଅବଦୁଲ ରସିଦ ଖାନ୍‍ ପୂର୍ବରୁ ପ୍ରକାଶ କରିଥିଲା। ଇଣ୍ଟରପୋଲ ଏବଂ ସିବିଆଇ ପକ୍ଷରୁ ଲାମ୍ବୁ ମୋଷ୍ଟ ୱାଣ୍ଟେଡ୍‍ ତାଲିକାଭୁକ୍ତ କରାଯିବା ସହ ତାକୁ ଧରାଇଦେବା ନିମନ୍ତେ ୧୯୯୭ରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଗୁଜରାଟର ନବସରି-ବଲସାଦଠାରେ ସେ ଆତ୍ମଗୋପନ କରିଥିବା ଖବର ମିଳିବା ପରେ ତା’କୁ ଗିରଫ କରିବା ଲାଗି ସିବିଆଇ ଏବଂ ଇଣ୍ଟରପୋଲ ପକ୍ଷରୁ ଗୁରୁବାର ରାତିରେ ଅଭିଯାନ ଆରମ୍ଭ ହୋଇଥିଲା। ଶୁକ୍ରବାର ସକାଳେ ଏଟିଏସ୍‍କୁ ସଫଳତା ମିଳିଛି। ଏଟିଏସ୍‍ର ସୂଚନା ଅନୁଯାୟୀ, ୧୯୯୩ ମୁମ୍ବଇ ବିସ୍ଫୋରଣ ନିମନ୍ତେ କେଉଁଠାରେ ବୋମା ଖଞ୍ଜାଯିବ ଏବଂ କିଭଳି ବିସ୍ଫୋରଣ ଘଟାଯିବ ସେସମସ୍ତ ଯୋଜନା ଲାମ୍ବୁ କରିଥିଲା। ଏହି ଘଟଣାରେ ୨୫୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ ଏବଂ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ଲାମ୍ବୁକୁ ଗିରଫ କରାଯିବା ଦ୍ୱାରା ମୁମ୍ବଇ ବିସ୍ଫୋରଣ ଏବଂ ଦାଉଦ୍‍ ସମ୍ବନ୍ଧରେ ବହୁ ସୂଚନା ମିଳିପାରିବ ବୋଲି ଏଟିଏସ୍‍ ଅଧିକାରୀ କହିଛନ୍ତି। ୨୦୧୭ ଜୁନ୍‍ରେ ସ୍ୱତନ୍ତ୍ର ଟାଡା କୋର୍ଟ ଏହି ବିସ୍ଫୋରଣ ମାମଲାରେ ଆବୁ ସାଲେମ ସମେତ ମୁସ୍ତଫା ଦୋସା, ଫିରୋଜ ଅବ୍‍ଦୁଲ ରସିଦ ଖାନ, ତାହେର ମର୍ଚାଣ୍ଟ, ରିୟାଜ ସିଦ୍ଦିକି ଏବଂ କାରିମୁଲାକୁ ଦେଶଦ୍ରୋହ ଅଭିଯୋଗରେ ଦୋଷୀ ଘୋଷଣା କରିଥିଲେ।

Leave A Reply