ଫିଲ୍ମ ନିର୍ମାଣ ଆଳରେ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଠକେଇ ଅଭିଯୋଗ

ସମ୍ବଲପୁର  : ସମ୍ବଲପୁରର ବୁଢ଼ାରଜା କଲ୍ୟାଣ ନଗର ନିବାସୀ କିରଣ ଶଙ୍କର ପଣ୍ଡାଙ୍କଠାରୁ  ଫିଲ୍ପ ନିର୍ମାଣ ଆଳରେ ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ ହୋଇଥିବା ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି । ଅଇଁଠାପାଲି ପୁଲିସର ସୂଚନାନୂଯାୟୀ, କିରଣ ଶଙ୍କର ପଣ୍ଡାଙ୍କ ପୁତ୍ର ତୁଷାରଙ୍କ ସାଙ୍କ ତଥା ଝାରଖଣ୍ଡର ଜାମସେଦପୁର ନିବାସୀ ପ୍ରସନ୍ନଜିତ ମିଶ୍ର ଓ ତାଙ୍କର ଗୁଜରାଟ ବଡୋଦରା ନିବାସୀ ନରେନ୍ଦ୍ର ଭାଇ ପଟେଲ ଚଳଚିତ୍ର ନିର୍ମାଣ ପାଇଁ ଦେଇଥିବା ୧୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରିଛନ୍ତି । କୋଭିଡ ପରବର୍ତ୍ତୀ ସମୟରେ ପ୍ରସନ୍ନଜିତ ମିଶ୍ର ସମ୍ବଲପୁରକୁ ଆସି ତାଙ୍କର ସାଙ୍ଗ ତୁଷାରଙ୍କ ଘରେ ପ୍ରାୟ ୧ ବର୍ଷ ଧରି ରହିଥିଲେ। କୋଭିଡ ସମୟରେ ବଲିଉଡରେ ତାଙ୍କର ସମସ୍ତ ଟଙ୍କା କ୍ଷତିରେ ଚାଲିଯାଇଥିବାରୁ ସାଙ୍ଗର ସହାୟତା ଲୋଡିଥିଲେ । ଏଣୁ ସାଙ୍ଗକୁ ଅସମୟରେ ସହାୟତା କରିବା ପାଇଁ ପ୍ରାୟ ୧ ବର୍ଷ ମଧ୍ୟରେ ଚଳଚିତ୍ର ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ତେବେ ଟଙ୍କା ପାଇବା ପରେ ଉଭୟ ଠକ ସେମାନଙ୍କୁ ବିଭିନ୍ନ ଆଳରେ ଠକି ସମୟ ଗଡାଇବାରେ ଲାଗିଥିଲେ। ଏଣୁ ସେ ବାରମ୍ବାର କହିବାରୁ ୯ ଲକ୍ଷ ଟଙ୍କା ଫେରାଇବା ପରେ ବଡୋଦରାର ନରେନ୍ଦ୍ର ଭାଇ ପଟେଲ ତାଙ୍କର ସମସ୍ତ ଯୋଗାଯୋଗ ନମ୍ବର ଗୁଡିକୁ ବନ୍ଦ କରି ଦେଇଥିଲେ । ଏହା ପରେ ପ୍ରସନ୍ନଜିତ ମିଶ୍ର ମଧ୍ୟ ପୀଡିତଙ୍କୁ ଧରା ଛୁଆଁ ଦେଉ ନ ଥିବା ବେଳେ ଚଳଚିତ୍ର ନାମରେ ଜଣେ ଫଟୋ ସାମ୍ବାଦିକଙ୍କ ସମେତ ଅନ୍ୟାନ୍ୟ କିଛି କଳାକାର ମାନଙ୍କୁ ମଧ୍ୟ ଠକେଇ କରିଛନ୍ତି ବୋଲି ପୀଡିତ ଅଇଁଠାପାଲି ଥାନାରେ ଅଭିଯୋଗ କରିଛନ୍ତି । ଏଥି ସହ ବିଗତ ବର୍ଷ ଅଗଷ୍ଟ ମାସରେ ସମ୍ବଲପୁରକୁ ଆସି ଜଣେ ବରିଷ୍ଠ ସମାଜସେବୀଙ୍କ ପରିବାରର ସଦସ୍ୟଙ୍କୁ ତାଙ୍କର ଚଳଚିତ୍ରରେ ହିରୋଇନ ଏବଂ ଅନ୍ୟ ଜଣକୁ କଷ୍ଟ୍ୟୁମ ଡିଜାଇନର ରୂପେ ଲଞ୍ଚ କରିବାକୁ କହି ମଧ୍ୟ ଆର୍ଥିକ ଠକେଇ କରିଛନ୍ତି ବୋଲି ପୀଡିତ ଅଇଁଠାପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଅଇଁଠାପାଲି ଥାନାଧିକାରୀ କହିଛନ୍ତି।

Comments are closed.