ମତଦାତା ସୂଚୀରେ ୧୨ କୋଟି ଭୋଟର ନ ଥିବା ଅଭିଯୋଗ

0

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପୂର୍ବରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଦେଶର ପ୍ରାୟ ୧୨ କୋଟି ଲୋକଙ୍କ ନାମ ମତଦାତା ସୂଚୀରେ ନାହିଁ। ହାଇଦ୍ରାବାଦସ୍ଥିତ ଏକ ସଙ୍ଗଠନର ଦାବି ମୁତାବକ ଏଭଳି ନାମ ନ ଥିବା ଭୋଟରଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଏବଂ ଦଳିତ ଥିବା ଜଣାପଡିଛି। ସମ୍ବାଦ ସରବରାହ ସଂସ୍ଥା ‘ଦ ଓୟାର’କୁ ସାକ୍ଷାତକାର ଅବସରରେ ସଫ୍ଟଓୟାର ଇଞ୍ଜିନିଅର ସୟିଦ ସେଫୁଲ୍ଲାହ କହିଛନ୍ତି ଯେ, କେବଳ ମୁସଲମାନ କିମ୍ବା ଦଳିତ ନୁହନ୍ତି, ଏଥିରୁ ହିନ୍ଦୁ ଭୋଟରଙ୍କ ନାଁ ମଧ୍ୟ ବାଦ ପଡିଛି। ପୂର୍ବରୁ ଅନେକ ଘରେ ୭ରୁ୮ ଜଣ ଭୋଟର ଥିବାବେଳେ ୨୦୧୯ର ଚୂଡାନ୍ତ ଭୋଟର ତାଲିକାରେ ସେହି ସବୁ ଘରେ ଜଣେ ମାତ୍ର ଭୋଟର ଥିବା ଜଣାପଡିଛି। ସେ କହିଛନ୍ତି ତାଲିକାରୁ କଟିଥିବା ୧୨ କୋଟି ଭୋଟରଙ୍କ ମଧ୍ୟରୁ ୩ କୋଟି ମୁସଲିମ ଭୋଟର ଓ ୪ କୋଟି ଦଳିତ ଭୋଟର ଅଟନ୍ତି।

ଭୋଟରଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ଏହି ସଙ୍ଗଠନ କହିଛି ଯେ ଉଭୟ ଗୃହ ଗଣନା ରିପୋର୍ଟ ଓ ଭୋଟର ତାଲିକାକୁ ତର୍ଜମା କଲେ କେତେକ ପରିବାରର ୨୦୧୪ ନିର୍ବାଚନ ସମୟରେ ୭ରୁ୮ ଜଣ ଭୋଟର ଥିବାବେଳେ ୨୦୧୯ ବେଳକୁ ମାତ୍ର ଜଣେ ଭୋଟର ଥିବା ଜଣାପଡିଛି। ଗୃହ ଗଣନା ରିପୋର୍ଟ ଅନୁଯାୟୀ ଭାରତରେ ଜଣିକିଆ ପରିବାର ସଂଖ୍ୟା ୫ ପ୍ରତିଶତରୁ କମ ଥିବାବେଳେ, ଭୋଟର ତାଲିକାରେ ଏହି ସଂଖ୍ୟା ୧୦ ପ୍ରତିଶତ ରହିଛି। ୧୨ ପ୍ରତିଶତ ପରିବାରରେ ଏକରୁ ଅଧିକ ଭୋଟର ଥିଲେ ମଧ୍ୟ ସେହି ସବୁ ପରିବାରରେ କେହି ଭୋଟର ନଥିବା ତାଲିକାରୁ ଜଣାପଡିଛି। ସେହି ସଂସ୍ଥା ଓ କେତେକ ସହଯୋଗୀ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଲୋକଙ୍କ ପାଖରେ ଭୋଟର କାର୍ଡ ଥିଲେ ମଧ୍ୟ ସେମାନଙ୍କ ନାଁ ମତଦାତା ସୂଚୀରେ ନାହିଁ।

ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ କିଛି ଅସାଧୁ ଲୋକ ଫର୍ମ ୭ ବ୍ୟବହାର କରି ଅନ୍ୟମାନଙ୍କ ନାମ ତାଲିକାରୁ ବାଦ ଦେବାକୁ ଆବେଦନ କରୁଛନ୍ତି। ତେବେ ଏହି ଘଟଣାର ତଦନ୍ତ ପାଇଁ ନିଯୁକ୍ତ ଅଧିକାରୀ ତଦନ୍ତ ନ କରି ରିପୋର୍ଟ ଦେବା ଫଳରେ ଅନେକ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଛି।

ଅନ୍ୟ ପକ୍ଷରେ ଅର୍ଥନୈତିକ ଅନଗ୍ରସର ସମୁଦାୟର ଲୋକମାନେ ୪ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସବାସ କରୁ ନ ଥିବାରୁ ଭୋଟର ତାଲିକା ସଂଶୋଧନ ସମୟରେ ସେମାନଙ୍କ ନାମ ତାଲିକାରୁ ଅଲଗା କରିଦିଆଯାଉଛି। ତେବେ ସେହି ସଂସ୍ଥା ପକ୍ଷରୁ ‘ମିସିଙ୍ଗ ଭୋଟର ଆପ’ ପ୍ରସ୍ତୁତ କରାଯାଇଛି। ଇତି ମଧ୍ୟରେ ୬୦ ହଜାର ଥର ସେହି ଆପକୁ ଇନଷ୍ଟଲ କରାଯାଇଥିବା ବେଳେ ମତଦାତା ସୂଚୀରେ ନାମ ନ ଥିବା ୪୦ ହଜାର ଭୋଟରଙ୍କୁ ପୁନଃ ସାମିଲ କରାଯାଇଛି।

Leave A Reply