ଆଗାମୀ ପଚିଶ ବର୍ଷ ଗୁରୁତ୍ଵପୂର୍ଣ୍ଣ

ଭୁବନେଶ୍ଵର: ପ୍ରାକୃତିକ ସମ୍ପଦରେ ଭରପୂର, ଭୌଗୋଳିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏବଂ ସାଂସ୍କୃତିକ ଐତିହ୍ୟରେ ପରିପୂର୍ଣ୍ଣ ଓଡ଼ିଶାକୁ ଏକ ସମୃଦ୍ଧ ଓ ସ୍ଥାୟୀ କ୍ଷେତ୍ରରେ ବିକଶିତ କରିବା ପାଇଁ ଆଗାମୀ ୨୫ ବର୍ଷ ଭିତରେ ଏକ ବଡ଼ ସୁଯୋଗ ରହିଛି। ଓଡ଼ିଶାରେ ସାମ୍ପ୍ରତିକ ବିକାଶର ଗତି ଓ ସ୍ଥିତି, ଅର୍ଥନୈତିକ ଢାଞ୍ଚା ଓ ରୂପରେଖ ଏବଂ ବିକାଶମୂଳକ ପ୍ରତିବନ୍ଧକ ତଥା ସମସ୍ୟାକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ହେବ ଯେ ଆଗାମୀ ଦଶନ୍ଧିମାନଙ୍କରେ ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ଏବଂ ଭବିଷ୍ୟତରେ ଭାରତର ବିକାଶ ରାସ୍ତାରେ ଏକ ଉଲ୍ଲେଖଯୋଗ୍ୟ ଯୋଗଦାନକାରୀ ରାଜ୍ୟ ଭାବରେ ନିଜକୁ ସ୍ଥାନିତ କରିବା ପାଇଁ ହେବ। ଏହା କିଭଳି କରାଯିବ ଓ ଉପାୟ ସବୁ କଣ?
ଅର୍ଥନୈତିକ ସାମର୍ଥ୍ୟ ଓ ଦକ୍ଷତାକୁ ଉପଲବ୍ଧି କରିବାକୁ ହେଲେ ଓଡ଼ିଶାକୁ ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏଥିରେ ମୂଳତଃ ସଡ଼କ, ରେଳ ଏବଂ ବିମାନ ପରିବହନ ବ୍ୟବସ୍ଥାର ବିକାଶ ଏବଂ ଆଧୁନିକୀକରଣ ଅନ୍ତର୍ଭୁକ୍ତ। ବେଙ୍ଗାଲୁରୁ ଭଳି ସହରକୁ ପଛରେ ପକାଇବା ଭଳି ଲକ୍ଷ୍ୟ ଯଦି ଆମେ ରଖିବା ଗ୍ରେଟର ଭୁବନେଶ୍ବର ପ୍ରକଳ୍ପ ଭଳି ଏକ ବଡ ପଦକ୍ଷେପ ଜରୁରୀ। ଇତିମଧ୍ୟରେ ଏ ଦିଗରେ ବେଶ୍ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି। ଆକାଂକ୍ଷା ପ୍ରଦର୍ଶନ ଭଲ କିନ୍ତୁ ତାହାର ସଫଳ ରୂପାୟଣ ଉପରେ ବି ଧ୍ୟାନ ଦେବାକୁ ପଡ଼ିବ। ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଚୂଡ଼ାନ୍ତ ରୂପ ଦେବା ଏବଂ ୨୦୪୭ ସୁଦ୍ଧା ପାରାଦ୍ବୀପ ବନ୍ଦରର ଧାରଣ କ୍ଷମତା ୫୦୦ ନିୟୁତ ଟନ୍କୁ ବୃଦ୍ଧି କରିବା ଭଳି ଲକ୍ଷ୍ୟ ଯଦି ଆମେ ରଖିବା ଏହାଦ୍ବାରା ବନ୍ଦର କ୍ଷମତା କେବଳ ବୃଦ୍ଧି ହେବ ତାହା ନୁହେଁ ବାଣିଜ୍ୟ ଓ ପର୍ଯ୍ୟଟନ ବି ବୃଦ୍ଧି ପାଇବ।
ଭୁବନେଶ୍ୱର ସ୍ମାର୍ଟ ସିଟି ଭାବେ ସ୍ୱୀକୃତି ପାଇଥିବା ବେଳେ ଜନସଂଖ୍ୟା ବୃଦ୍ଧି ଓ ସ୍ଥାନାନ୍ତରକୁ ଦୃଷ୍ଟିରେ ରଖି କଟକ, ରାଉରକେଲା ଓ ସମ୍ବଲପୁର ଭଳି ଟାୟର-୨ ସହରକୁ ଅର୍ଥନୈତିକ କେନ୍ଦ୍ରରେ ପରିଣତ କରିବା ଉପରେ ଓଡ଼ିଶା ଗୁରୁତ୍ୱ ଦେବା ଦରକାର।
କୋଇଲା ସହିତ ସୌର ଓ ପବନ ଭଳି ଅକ୍ଷୟ ଶକ୍ତି ସମ୍ବଳର ଉପଯୋଗ କରି ଓଡ଼ିଶା ୨୪ ଘଣ୍ଟିଆ ଭରସାଯୋଗ୍ୟ ବିଜୁଳି ଯୋଗାଣ କରିବାକୁ ଲକ୍ଷ୍ୟ ରଖିଛି। ୨୦୧୪ ମସିହାରେ ସ୍ଥାପିତ ହୋଇଥିବା ୫୪,୦୦୦ କୋଟି ଟଙ୍କାର ଶକ୍ତି କ୍ଷେତ୍ର ଯୋଜନା ସମେତ ପୂର୍ବ ସରକାରଙ୍କ ପ୍ରତିଶ୍ରୁତିକୁ ଆଧାର କରି ଆଗାମୀ ପଦକ୍ଷେପ ନିଆଯିବା ଦରକାର। ଭାରତରେ ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ କରିବା ପାଇଁ ୨୦୩୪ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତା ୬୭୦.୪୮ ମେଗାୱାଟରୁ ଅଧିକ ବୃଦ୍ଧି କରିବା ଜରୁରୀ ଏବଂ ଏହା ବିଶ୍ୱସ୍ତରୀୟ ବିକାଶ ସହିତ ସମାନ।
ଐତିହାସିକ ଦୃଷ୍ଟିରୁ ଓଡ଼ିଶାର ଅର୍ଥନୀତି ଖଣି ଓ ଭାରୀ ଶିଳ୍ପ ଉପରେ ନିର୍ଭର କରି ଆସୁଥିଲେ ହେଁ ଏଥିରେ ବିବିଧତା ଓ ନୂତନତା ଆଣିବା ଜରୁରୀ। ଓଡ଼ିଶାର ଶିଳ୍ପ ବିକାଶ ଯୋଜନା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ବୟନ ଶିଳ୍ପ ଓ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇ ଆସିଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରଗୁଡ଼ିକର ସମ୍ପ୍ରସାରଣ କଲେ ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟି ହେବା ସହ ଲୁହାପଥର ଓ ବକ୍ସାଇଟ୍ ଭଳି ଖଣିଜ ସମ୍ପଦ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଖଣିଜ ସମ୍ପଦକୁ ଯୋଜନାବଦ୍ଧ ଭାବରେ ଶେଷ କରି ଦିଆଯାଉଛି ବୋଲି ବିଭିନ୍ନ ମହଲରୁ ଯେଉଁ ଅଭିଯୋଗ ଆସୁଛି ସେଥିପ୍ରତି କର୍ଣ୍ଣପାତ କରାଯିବା ଦରକାର।
ଯେହେତୁ କୃଷି କ୍ଷେତ୍ରରେ ଶ୍ରମଶକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ନିୟୋଜିତ ଅଛି, ତେଣୁ ଉତ୍ପାଦକତାରେ ଉନ୍ନତି ଆଣିବା ଏବଂ ଜଳବାୟୁ ସମ୍ବନ୍ଧୀୟ ଆହ୍ୱାନର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ ପ୍ରଯୁକ୍ତିଭିତ୍ତିକ ଚାଷ ପଦ୍ଧତି ଗ୍ରହଣ କରିବା ସହିତ, ଫସଲରେ ବିବିଧତା ଆଣିବା ଏବଂ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଭଳି ଜଳସେଚନ ବ୍ୟବସ୍ଥାକୁ ବୃଦ୍ଧି କରିବା ଆବଶ୍ୟକ। ଜଳସେଚନ ଏବେ ବି ଓଡିଶାରେ ଯଥେଷ୍ଟ ନୁହେଁ।
ଓଡ଼ିଶାର ସୁଦୀର୍ଘ ସମୁଦ୍ର କୂଳ, ମଠ ମନ୍ଦିର ଓ ସମୃଦ୍ଧ ଜୈବ ବିବିଧତାର ଫାଇଦା ନେବା ସହ ପର୍ଯ୍ୟଟନ କ୍ଷେତ୍ର ଆଗକୁ ବଢ଼ିବା ଦରକାର।
ପୂର୍ବରୁ ଇନଫୋସିସ୍ ଓ ଟିସିଏସ୍ ଭଳି କମ୍ପାନୀ ଭୁବନେଶ୍ବରକୁ ଆଇଟିର ପରିଚୟ ଦେଇଥିବା ବେଳେ ଆଗକୁ ଦେଶର ଏକ ବଡ ଆଇଟି ହବ୍ ପାଇଁ ଯୋଜନା ରହିଛି। ଆଇଟି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଦକ୍ଷ ଏବଂ ସୁସ୍ଥ ଶ୍ରମଶକ୍ତି ଜରୁରୀ। ରାଜ୍ୟର ସାକ୍ଷରତା ହାର ବୃଦ୍ଧି ହେବା ଦରକାର (ବର୍ତ୍ତମାନ ଏହା ୭୩.୫%)। ଭୁବନେଶ୍ବର ବିଶ୍ୱ ଦକ୍ଷତା କେନ୍ଦ୍ର ବାହାରେ ବି ଅନେକ ଗୁଡିଏ ଶୀର୍ଷସ୍ତରୀୟ ଅନୁଷ୍ଠାନର ବିକାଶ ହେବା ଦରକାର ଯାହା ଯୁବପିଢ଼ିଙ୍କୁ ନୂତନ ଉଦ୍ୟୋଗ ପାଇଁ ସଶକ୍ତ କରିବ। ଷ୍ଟେମ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେବା ବି ଆବଶ୍ୟକ। ଯୁବ ବେକାରୀ ରାଜ୍ୟରେ ଏବେ ଏକ ବଡ଼ ସମସ୍ୟା ହୋଇପଡ଼ିଛି।
ରାଜ୍ୟ ବଜେଟରେ ଯୁବ ବର୍ଗ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ଦରକାର। ଯୁବକମାନଙ୍କ ପାଇଁ ଯଥେଷ୍ଟ ଚାକିରି ସୃଷ୍ଟି କରାଯିବା ଆବଶ୍ୟକ କାରଣ ଶିଳ୍ପ ଉଦ୍ୟୋଗୀ ହେବାର ଲାଳସା ଆମ ଯୁବକଙ୍କ ପାଖରେ ଆଦୌ ନାହିଁ କହିଲେ ଚଳେ। ଓଡ଼ିଶାର ଯୁବ ଶକ୍ତିର ଲାଭ ଉଠାଇବା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ନଚେତ ଏହା ଏକ ବଡ଼ ସାମାଜିକ ସଙ୍କଟର ରୂପ ନେବାର ସମ୍ଭାବନା ରହିଛି।
ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି (୨୦୧୩ରେ ପ୍ରତି ଏକ ଲକ୍ଷରେ ଶିଶୁ ମୃତ୍ୟୁ ହାର ୨୨୨ ଥିଲା) ଏବଂ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଉପଲବ୍ଧତା ବି ବୃଦ୍ଧି ହେବା ଦରକାର। ଓଡ଼ିଶାର ମାନବ ବିକାଶ ସୂଚକାଙ୍କ (୨୦୧୮ରେ ଏହା ଥିଲା ୦.୬୦୬)କୁ ବୃଦ୍ଧି କରିବା ଆବଶ୍ୟକ।
ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ କ୍ଷେତ୍ରରେ ଓଡ଼ିଶାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏକ ସ୍ଥାୟୀ ଆଭିମୁଖ୍ୟର ଆବଶ୍ୟକତା ରହିଛି। ବିପର୍ଯ୍ୟୟ ପ୍ରସ୍ତୁତି (ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବନ୍ୟା ପରିଚାଳନା) ବୃଦ୍ଧି କରିବା ଏବଂ ପରିବେଶ ଅନୁକୂଳ ଶିଳ୍ପକୁ ଉତ୍ସାହିତ କରିବା ଦରକାର ଯାହା ଫଳରେ କି ଲୋକଙ୍କ ଜୀବନ ଏବଂ ଜୀବିକାକୁ ସୁରକ୍ଷିତ ରଖିହେବ।
ଓଡିଶାର ଜନସଂଖ୍ୟାର ୨୨.୧% ଅନୁସୂଚିତ ଜନଜାତି ହୋଇଥିବାରୁ ଜଙ୍ଗଲଭିତ୍ତିକ ବ୍ୟବସାୟ ଭଳି ସ୍ଥାୟୀ ନିଯୁକ୍ତି ସୁଯୋଗ ମାଧ୍ୟମରେ ଏହି ସମ୍ପ୍ରଦାୟଗୁଡ଼ିକୁ ସାମିଲ କରିବା ଜରୁରୀ।
ସୁଦୃଢ଼ ଶାସନ ଏବଂ ପୁଞ୍ଜିନିବେଶ ବୃଦ୍ଧି ଗୋଟିଏ ରାଜ୍ୟର ପ୍ରଗତିର ଚାବିକାଠି ଏଥିରେ ଦ୍ବିମତ ନାହିଁ। ଅଧୁରା ପ୍ରକଳ୍ପଗୁଡ଼ିକର ସମାଧାନ ଏବଂ ଦୁର୍ନୀତି ସମସ୍ୟାର ମୁକାବିଲା କରାଯିବା ଦରକାର। ଓଡ଼ିଶାରେ ଦୁର୍ନୀତି ଦୀର୍ଘଦିନ ଧରି ଚିନ୍ତାର ବିଷୟ ପାଲଟିଛି। ଦୁର୍ନୀତିକୁ ହଟାଇ ପାରିଲେ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବାରେ ଏହା ସହାୟକ ହେବ।
ଭଲ ପ୍ରମାଣପତ୍ର ପାଇ ଆସିଥିବା ଓଡ଼ିଶାର ଆର୍ଥିକ ସ୍ଥିରତାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି, ଯଦି ବି ଭବିଷ୍ୟତରେ ଋଣ ସ୍ତର ବୃଦ୍ଧି ପାଏ। ୨୦୧୯ରୁ ୨୦୨୪ ମଧ୍ୟରେ ୧୭୧.୯୬ ନିୟୁତ ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆକର୍ଷିତ କରିଥିବା ବେଳେ ଓଡ଼ିଶା ୨୦୩୦ ସୁଦ୍ଧା ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି।
ଏମ୍ଏସ୍ଏମ୍ଇ ବିକାଶ ନୀତି ୨୦୨୨ରେ ଦର୍ଶାଯାଇଥିବା ପ୍ରୋତ୍ସାହନ ଏବଂ ଉନ୍ନତ ଭିତ୍ତିଭୂମି ମାଧ୍ୟମରେ ଅନେକ ନିଯୁକ୍ତି ପ୍ରଦାନ କରୁଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଅଧିକ ସମର୍ଥନ ଦିଆଯିବା ଆବଶ୍ୟକ ଯାହା ଫଳରେ କି ତୃଣମୂଳ ସ୍ତରରେ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିବ।
ସାମାଜିକ ପ୍ରଗତିକୁ ଆଗେଇ ନେବା ସହ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ଜରୁରୀ। ଜଗନ୍ନାଥ ଐତିହ୍ୟ ଭଳି, ପରିବେଶ ପର୍ଯ୍ୟଟନ ଓ ସାଂସ୍କୃତିକ ବିକାଶ ଉପରେ ଗୁରୁତ୍ବ ଦିଆଯିବା ବି ଜରୁରୀ। ଓଡ଼ିଶାକୁ ପ୍ରତିବର୍ଷ ଆସୁଥିବା ୧୪ ନିୟୁତ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି କରାଯାଇ ପାରିବ।
ବହୁ ଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା ଭଳି କାର୍ଯ୍ୟକ୍ରମ ମହିଳାଙ୍କୁ କେତେ ଦୂର ସଶକ୍ତ କରିବ ତାହା ଦେଖିବା ଦରକାର। ତେବେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ବର୍ତ୍ତମାନ ଥିବା ୯୭୮ ମହିଳା – ଏହି ଲିଙ୍ଗ ଅସମାନତାକୁ ଦୂର କରିବା ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ବ୍ୟାପକ ଉଦ୍ୟମ ହେବା ଉଚିତ। ଓଡ଼ିଶାର ‘ବିମାରୁ’ ଭାବେ ପରିଚିତ କେବିକେ (କୋରାପୁଟ-ବଲାଙ୍ଗିର-କଳାହାଣ୍ଡି) ଅଞ୍ଚଳରେ ଆଞ୍ଚଳିକ ଅସମାନତା ଦୂର କରିବା ପାଇଁ ନିର୍ଦିଷ୍ଟ ବିକାଶମୂଳକ ପଦକ୍ଷେପର ଆବଶ୍ୟକତା ରହିଛି।
୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୪-୨୫ରେ ଓଡ଼ିଶାର ଘରୋଇ ଉତ୍ପାଦ ବା ଜିିଡିପି ଥିଲା ୧୧୧ ବିଲିୟନ ଡଲାର। ଦେଢ଼ ଟ୍ରିଲିୟନ ଲକ୍ଷ୍ୟ ହାସଲ ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସଫଳତା ଉପରେ ନିର୍ଭର କରିବ।
ଆଗାମୀ ୨୫ ବର୍ଷ ଭିତରେ ଓଡ଼ିଶାକୁ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ଅଂଶଗ୍ରହଣକାରୀ ଭାବରେ ପ୍ରତିଷ୍ଠା କରିବା ଦରକାର। ଶିଳ୍ପ ବିକାଶ ଏବଂ ଜନସାଧାରଣଙ୍କ ଜୀବନ ମାନରେ ସନ୍ତୁଳନ ଓ ପରିବେଶର ଉନ୍ନତି ସୁନିଶ୍ଚିତ କରିବା ଦିଗରେ ପ୍ରାଧାନ୍ୟ ଦିଆଯିବା ଉଚିତ।
ଲୋକଙ୍କ ସ୍ବାର୍ଥରେ ଆସୁଥିବା ସରକାରୀ ନୀତିର ନିରନ୍ତର ରୂପାୟଣ, ଘରୋଇ କ୍ଷେତ୍ର ସହ ସହଯୋଗ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ଥିବା ଅନୁକୂଳ ସ୍ଥିତିର ଉପଯୋଗ ଉପରେ ଆଗାମୀ ଦିନରେ ଓଡିଶାର ଭବିଷ୍ୟତ ଓ ସଫଳତା ନିର୍ଭର କରିବ। ଓଡ଼ିଶା ଭାରତର ଏକ ସର୍ବୋତ୍ତମ ରାଜ୍ୟ ଭାବେ ପରିଚିତ ହୋଇପାରିବ। ଏଥିପାଇଁ ଏକ ସୁସ୍ଥ ଓ ସ୍ବଚ୍ଛ ମଡେଲର ଆବଶ୍ୟକତା ରହିଛି। ଓଡ଼ିଶା ପାଇଁ ଆଗାମୀ ପଚିଶ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
Comments are closed.