ନିଜ ଓ ପର ସଂସ୍କୃତି

ଭୁବନେଶ୍ଵର:  ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମାଜ ସହିତ ଜଡ଼ିତ ହୋଇ ରହିଥାଏ। ଦୁଇ ବା ତତୋଽଧିକ ବ୍ୟକ୍ତି ଏକତ୍ର ହୋଇ ଏକ ଗୋଷ୍ଠୀ ଗଠନ କରିଥାନ୍ତି। କେତେକ ଗୋଷ୍ଠୀ ମିଶି ସମାଜର ସଂରଚନା ହୋଇଥାଏ। ସମାଜ ମାଧ୍ୟମରେ ବ୍ୟକ୍ତି-ବ୍ୟକ୍ତି, ବ୍ୟକ୍ତି-ଗୋଷ୍ଠୀ ଓ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ମନୁଷ୍ୟର ସମ୍ପର୍କ ସ୍ଥାପନର ସୂତ୍ରପାତ ହୁଏ। ସାମାଜିକୀକରଣ ଏକ ପ୍ରକ୍ରିୟା ଯାହା ମାଧ୍ୟମରେ ସମାଜ ତା’ର ସଂସ୍କୃତିକୁ ବଂଶାନୁକ୍ରମିକ ଭାବେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ହସ୍ତାନ୍ତରକରଣ କରିଥାଏ। ଗୋଟିଏ ଗୋଷ୍ଠୀର ସଭ୍ୟମାନଙ୍କର ସମ୍ମତି, ପ୍ରତ୍ୟକ୍ଷଣ, ମୂଲ୍ୟବୋଧ ଓ ବିଶ୍ବାସର ଏକ ସଂଗଠିତ ବ୍ୟବସ୍ଥାକୁ ‘ସଂସ୍କୃତି’ କୁହାଯାଏ। ମନୁଷ୍ୟର ବ୍ୟବହାର, ଭାଷାର ପ୍ରୟୋଗ, ଭାବର ଆଦାନ ପ୍ରଦାନ, ପୋଷାକ ପରିଚ୍ଛଦ, ଖାଦ୍ୟରୁଚି ଇତ୍ୟାଦି ସଂସ୍କୃତି ଦ୍ବାରା ପ୍ରଭାବିତ ହୁଏ। ସୁତରାଂ ସମାଜର ଏକ ସଦସ୍ୟ ଭାବରେ ଆହରଣ କରିଥିବା ଜ୍ଞାନ, ଭାଷା, କଳା, ନୈତିକତା, ପରମ୍ପରା ଆଦିର ସମଗ୍ରତା ହିଁ ସଂସ୍କୃତି। ମନୁଷ୍ୟର ବ୍ୟବହାର ଓ ସଂସ୍କୃତି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମନୁଷ୍ୟର ଆଚରଣ ସଂସ୍କୃତିରୁ ସୃଷ୍ଟି ହୋଇଥାଏ। ଜଗତୀକରଣର ପ୍ରଭାବରେ ପୃଥିବୀ ପୃଷ୍ଠରେ ଭିନ୍ନଭିନ୍ନ ଜାଗାରେ ଯାଇ ଅବସ୍ଥାନ କରିବା ଫଳରେ ଓ ସମ୍ବାଦପତ୍ର, ଟେଲିଭିଜନ, ପ୍ରଚାରପତ୍ର, ସାମାଜିକ ଗଣମାଧ୍ୟମ ଇତ୍ୟାଦି ଦ୍ବାରା ପ୍ରଭାବିତ ହୋଇ ମନୁଷ୍ୟ ଅନ୍ୟର ସଂସ୍କୃତିକୁ ଗ୍ରହଣ କରୁଅଛି। ନିଜ ମୂଳ ସଂସ୍କୃତି ଶିକ୍ଷାକୁ ସଂସ୍କୃତିକରଣ କୁହାଯିବାବେଳେ ଅନ୍ୟ ସଂସ୍କୃତିକୁ ଆହରଣ ଏକ ପ୍ରକାର ସାମାଜିକ ଶିକ୍ଷାର ପ୍ରକ୍ରିୟାକୁ ପରସଂସ୍କୃତିକରଣ କୁହାଯାଏ। ସଂସ୍କୃତି ମନୁଷ୍ୟର ବ୍ୟବହାରକୁ ପ୍ରଭାବିତ କରିବା ସମୟରେ ସାମାଜିକ ପରିବେଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପରସଂସ୍କୃତି ଗ୍ରହଣ କରିବାଦ୍ବାରା ମୂଳ ସଂସ୍କୃତି, ପରମ୍ପରା, ଖାଦ୍ୟ ଓ ଭାଷା ଆଦି ଉପରେ ପ୍ରଭାବ ପଡ଼ିଥାଏ। ଓଡ଼ିଆମାନଙ୍କର ନୂତନ ବର୍ଷ ଆରମ୍ଭ ହୁଏ ବୈଶାଖ(ମେଷ) ମାସ ସଂକ୍ରାନ୍ତି ଦିନ। ସେହି ଦିନଟିକୁ ‘ପଣାସଂକ୍ରାନ୍ତି’ ବା ‘ମହାବିଷୁବ ସଂକ୍ରାନ୍ତି’ ‘ମେରୁ ସଂକ୍ରାନ୍ତି’ ନାମରେ ନାମିତ କରାଯାଇଅଛି। ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକମାନେ ତୁଳସୀଗଛରେ ଘଡ଼ି ବାନ୍ଧି ସେଥିରେ ଛେନା, ଗୁଡ଼, ବେଲ, ଛତୁଆ, କ୍ଷୀର, ଗୋଲମରିଚ, ଗୁଜୁରାତି ଆଦି ମିଶ୍ରିତ ପଣା ତିଆରି କରି ଭୋଗ କରିଥାନ୍ତି ଓ ପଣା ନିଜେ ପିଇବା ସହିତ ଅନ୍ୟକୁ ବାଣ୍ଟି ଖୁସିର ଆଦାନପ୍ରଦାନ କରିଥାନ୍ତି। ସେହିପରି ମାର୍ଗଶିର ମାସରେ ଘରେ ଘରେ ସମସ୍ତେ ଲକ୍ଷ୍ମୀପୂଜା କରିଥାନ୍ତି। ବିଭିନ୍ନ ପ୍ରକାର ଝୋଟିଚିତା ପକାଇ ପ୍ରତି ଗୁରୁବାରରେ ପିଠା କରି ଭୋଗ କରିଥାନ୍ତି। ବାରମାସରେ ଓଡ଼ିଆମାନେ ତେରପର୍ବ ପାଳନ କରିବାର ବିଧି ଅଛି। ପର୍ବପର୍ବାଣି ବ୍ୟତୀତ ପିଲାମାନଙ୍କ ଜନ୍ମଦିନ ପାଳନବେଳେ ଓଡ଼ିଆ ଘରେ ସତ୍ୟନାରାୟଣ ପୂଜା କରାଯାଏ। କନ୍ୟା ଓ ପୁତ୍ରର ବିବାହ ପୂର୍ବଦିନକୁ ମଙ୍ଗଳକୃତ୍ୟ ନାମରେ ଆଖ୍ୟାୟିତ କରି ବନ୍ଧୁବାନ୍ଧବ ଘରକୁ ଆଗମନ ସହ ମଙ୍ଗଳକାର୍ଯ୍ୟ ଆରମ୍ଭ ହୋଇଥିବାରୁ ସେହି ଦିନଟିକୁ ଆନନ୍ଦରେ ପାଳନ କରିଥାନ୍ତି। ମାତ୍ର ଆଜିକାଲି ସହରୀକରଣ ପ୍ରଭାବରେ ଭିନ୍ନଭିନ୍ନ ସଂସ୍କୃତିରୁ ଆସିଥିବା ଲୋକଙ୍କର ସଂସ୍ପର୍ଶରେ ଆସି ଜାନୁଆରୀ ମାସ ଏକ ତାରିଖକୁ ନୂଆବର୍ଷ ରୂପେ ଅତି ଧୁମ୍‌ଧାମରେ ଓଡ଼ିଆଘରେ ପାଳନ କରିବାର ଦୃଷ୍ଟାନ୍ତ ମିଳୁଅଛି। ନଭେମ୍ବର ମାସରେ ଧନତେରସ୍‌ ଦିବସରେ ସୁନା କିଣିବା, ପୁଅ-ଝିଅଙ୍କ ବିବାହଦିନ ପୂର୍ବରୁ ହଳଦୀ, ମେହେନ୍ଦୀ ଆଦି ଆଜିକାଲି ଓଡ଼ିଆ ଘରେ ପାଳନ କରାଯାଉଅଛି। ଜନ୍ମଦିନ, ବିବାହ ବାର୍ଷିକୀ, ପରୀକ୍ଷାରେ ଭଲନମ୍ବର ରଖି ଉତ୍ତୀର୍ଣ୍ଣ ସମୟରେ, ଶିକ୍ଷକ ଦିବସ ପାଳନ ଅବସରରେ ସମସ୍ତେ କେକ୍‌ କାଟି ଆନନ୍ଦ ଉପଭୋଗ କରୁଛନ୍ତି। ପୂର୍ବରୁ ଏସବୁ ପରମ୍ପରା ନଥିଲା। ଦୁଇଟି ଭିନ୍ନ ସମାଜ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଉଭୟଙ୍କ ସଂସ୍ପର୍ଶରେ ଆସିବା ଫଳରେ ମନୁଷ୍ୟ ନିଜ ମୂଳସଂସ୍କୃତି ଅନ୍ତର୍ଭୁକ୍ତ ଆଚରଣ, ଆଦର୍ଶ ଆଦି ପ୍ରକାଶ ନକରି ଅପର ବ୍ୟକ୍ତିର ସଂସ୍କୃତି ଅନ୍ତର୍ଭୁକ୍ତ ଆଚରଣ ପ୍ରଦର୍ଶନ କରିଥାଏ। ସମୟକ୍ରମେ ଅନ୍ୟର ସଂସ୍କୃତିକୁ ନିଜ ସଂସ୍କୃତି ଭାବେ ଗ୍ରହଣ କରିନିଏ। ଏହି ପ୍ରକ୍ରିୟା ହିଁ ‘ପରସଂସ୍କୃତି ଗ୍ରହଣ’। ଏହା ଦ୍ବାରା ମୂଳ ସଂସ୍କୃତି ସ୍ବୀକୃତ ଆଚରଣରେ ପରିବର୍ତ୍ତନ ଦେଖିବାକୁ ମିଳେ। ଏହି ପରିବର୍ତ୍ତିତ ଆଚରଣ ଦ୍ବାରା ବାସ୍ତବ ଓ ମାନସିକ ଦୃଷ୍ଟିରୁ ମଣିଷ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୁଏ। ଏକ ଗୋଷ୍ଠୀର କେତେକ ବ୍ୟକ୍ତି ନିଜର ସଂସ୍କୃତିକୁ ନେଇ ଗର୍ବ ଓ ଆତ୍ମସମ୍ମାନ ଲାଭ କରୁଥିବାବେଳେ ସେହି ଗୋଷ୍ଠୀର କତିପୟ ବ୍ୟକ୍ତି ପରସଂସ୍କୃତି ଗ୍ରହଣ କରିବା ଦ୍ବାରା ସମୂହର ମନୋବଳ କ୍ରମଶଃ କ୍ଷୁଣ୍ଣ ହେବାରେ ଲାଗେ। କେତେକ ବ୍ୟକ୍ତି ଗୋଷ୍ଠୀର ପ୍ରଭାବୀ ବ୍ୟକ୍ତିଙ୍କ ଚାପରେ ପଡ଼ି ପରସଂସ୍କୃତି ଗ୍ରହଣ କରିବା ଦ୍ବାରା ନିଜର ସ୍ବାଭିମାନ ଓ ସମ୍ମାନ ଉପରେ କୁଠାରାଘାତ ହେବାର ଅନୁମାନ କରି ମାନସିକ ଭାରସାମ୍ୟ ହରାଇବସନ୍ତି।
ମନସ୍ତତ୍ତ୍ବବିତ୍‌ଙ୍କ ମତରେ ପରସଂସ୍କୃତି ଗ୍ରହଣ ଦ୍ବାରା ବ୍ୟକ୍ତିର ମୂଳ ଓ ଆହରଣ କରିଥିବା ସଂସ୍କୃତି ପରସ୍ପର ମଧ୍ୟରେ ବିଲୀନ ହୋଇ ଏକ ନୂତନ ସଂସ୍କୃତିର ଆବିର୍ଭାବ ହୋଇଥାଏ। ବେଳେବେଳେ ଚାପଗ୍ରସ୍ତ ହୋଇ ମନୁଷ୍ୟ ଅନ୍ୟର ସଂସ୍କୃତିକୁ ବ୍ୟବହାରରେ ପ୍ରତିଫଳିତ କରିିଥିଲେ ମଧ୍ୟ ମୂଳ ସଂସ୍କୃତିକୁ ବିସ୍ମୃତ ହୋଇ ନଥିବା ଫଳରେ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୁଏ। ଅନେକ ମଣିଷ ଉଭୟ ପୁରୁଣା ଓ ନୂଆ ସଂସ୍କୃତିରେ ସମନ୍ବୟ ରକ୍ଷାକରି ପୁରୁଣା ସଂସ୍କୃତିରେ ଥିବା ଦୋଷତ୍ରୁଟିକୁ ନୂଆ ସଂସ୍କୃତିର ଉତ୍କୃଷ୍ଟ ଗୁଣ ଦ୍ବାରା ଆଚ୍ଛାଦିତ କରିଦିଅନ୍ତି। ଏତଦ୍‌ ବ୍ୟତୀତ ପରସଂସ୍କୃତି ଗ୍ରହଣ କରିଥିବା ଲୋକମାନେ ନୂଆ ସଂସ୍କୃତିକୁ ଯୁକ୍ତିଯୁକ୍ତ ଦର୍ଶାଇ ପୂର୍ଣ୍ଣମାତ୍ରାରେ ଗ୍ରହଣ କରି ମୂଳସଂସ୍କୃତିକୁ ସଂପୂର୍ଣ୍ଣ ରୂପେ ପରିତ୍ୟାଗ କରିଥାନ୍ତି।
ସଂସ୍କୃତି ଓ ସଭ୍ୟତା ମାନବ ବିକାଶର ଦୁଇ ପ୍ରାଥମିକ ଉପାଦାନ ଅଟେ। ସଂସ୍କୃତି ସର୍ବଦା ସ୍ଥାୟୀ କିନ୍ତୁ ସଭ୍ୟତା ପରିବର୍ତ୍ତନଶୀଳ। ସଂସ୍କୃତି ଅନ୍ତର୍ମୁଖୀ ଓ ସଭ୍ୟତା ବାହ୍ୟମୁଖୀ ହୋଇଥାଏ। ବ୍ୟକ୍ତି ଓ ସମାଜ ପରସ୍ପର ସହ ଜଡ଼ିତ ହୋଇଥିବାରୁ ମଣିଷ ଜନ୍ମଲାଭ କରିଥିବା ସମାଜର ସଂସ୍କୃତି ଦ୍ବାରା ପ୍ରଭାବିତ ହୁଏ। ବ୍ୟକ୍ତି ସ୍ନେହ, ଦୟା, ତ୍ୟାଗ, କ୍ଷମା, ଶ୍ରଦ୍ଧା ଆଦି ଆତ୍ମିକ ଗୁଣଗୁଡ଼ିକୁ ସର୍ବସାଧାରଣଙ୍କ ପାଇଁ ଉପଯୋଗୀ କରି ସମାଜ କଲ୍ୟାଣକୁ କର୍ତ୍ତବ୍ୟ ମଣିବା ଉଚିତ। ଯଦି ପରିସ୍ଥିତିର ଚାପରେ ଅଥବା ନିଜର ମାନସିକତା ଦୃଷ୍ଟିକୋଣରୁ ବ୍ୟକ୍ତି ପରସଂସ୍କୃତିକୁ ଗ୍ରହଣ କରେ ଏବଂ ମୂଳସଂସ୍କୃତି ଓ ପରସଂସ୍କୃତିକରଣର ମିଶ୍ରଣ ହୋଇ ତୃତୀୟ ସଂସ୍କୃତିର ଆବିର୍ଭାବ ହୁଏ, ତାହା ପରପିଢ଼ି ପାଇଁ କ୍ଷତିକାରକ। ଏହା ସହିତ ମୂଳ ସଂସ୍କୃତି ବିଲୁପ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

Comments are closed.